ପ୍ରକୃତିର ମନଲୋଭା ଦୃଶ୍ୟର ସନ୍ତକ: ଖସଡ଼ା ଜଳପ୍ରପାତ

ଚନ୍ଦ୍ରଗିରି ( ମାଣିକ ଜେନା ) : ଜଳପ୍ରପାତରୁ ବହିଆସୁଥିବା ଜଳରାଶିର କୁଳୁ କୁଳୁ ଶବ୍ଦରେ ଯେଉଁଠି ଜଙ୍ଗଲର ନିରବତା ଭାଙ୍ଗେ, ପଶୁପକ୍ଷୀଙ୍କ କଳରବ ଦିଏ ସ୍ବର୍ଗୀୟ ଆନନ୍ଦ, ସେହିଭଳି ପ୍ରାକୃୃତିକ ସୌନ୍ଦର୍ଯ୍ୟଭରା ସ୍ଥାନ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଳକ୍‌ର ଖସଡ଼ା ଜଳପ୍ରପାତ ଘଞ୍ଚ ସବୁଜ ବନାନୀ ତଥା ଛୋଟ ବଡ଼ ପର୍ବତ ଏବ˚ ଖସଡ଼ା ନଦୀର ଅପରୂପା ଶୋଭା ପରିବେଷ୍ଟିତ ଏହି ସ୍ଥାନର ସୌନ୍ଦର୍ଯ୍ୟ ବର୍ଣ୍ଣନାତୀତ। ପାର୍ଶ୍ବକୁ ଲାଗି ରହିଛି ରାମ ମନ୍ଦିର। ପ୍ରକୃତିର ଅପୂର୍ବ ମିଳନ ସହ ଦ୍ବିଗୁଣିତ କରୁଛି ଖସଡ଼ା ଜଳପ୍ରପାତର ମନଲୋଭା ଦୃଶ୍ୟ ।

ପ୍ରାକୃତିକ ପ୍ରାଚୀର ସଦୃଶ ରହିଛି ପର୍ବତମାଳା । ଏଭଳିକି, ସୂର୍ଯ୍ୟକିରଣ ମଧ୍ୟ ସେଠାରେ ପହଞ୍ଚିବା କଷ୍ଠକର। ସ୍ଥାନେ ସ୍ଥାନେ ଔଷଧୀୟ ବୃକ୍ଷର ସମ୍ଭାର। ୨୦ ଫୁଟ ଉଚ୍ଚରୁ ଖସଡ଼ା ଜଳପ୍ରପାତର ପାଣି ତଳକୁ ପଡ଼ୁଥିବା ବେଳେ ନିମ୍ନ ଭାଗରେ କୁଳୁକୁଳୁ ନାଦ ହୋଇ ବହି ଯାଉଛି ଝରଣା। ଏହି ଅପୂର୍ବ ସ୍ଥାନର ଅନ୍ୟତମ ଆକର୍ଷଣ ହେଉଛି ଛୋଟ ବଡ଼ ଗଭୀର ମାଛକୁଣ୍ତ । ଏହା କେତେ ଗଭୀର ତା’ ବି ଆଜି ପର୍ଯ୍ୟନ୍ତ ଅଜଣା ହୋଇ ରହିଛି। କୁଣ୍ଡଗୁଡ଼ିକରେ ଭରି ରହିଛନ୍ତି ବିଭିନ୍ନ ପ୍ରଜାତିର ମାଛ। କିଛି ଖାଇବା ଜିନିଷ ପକାଇଲେ ଦଳଦଳ ହୋଇ ପାଖକୁ ଚାଲି ଆସନ୍ତି। ‌ପିଲାଏ ଏଥିରୁ ବେଶ ଆନନ୍ଦ ଉଠାନ୍ତି।
ପାରଳା ଠାରୁ ୯୦ କିଲୋମିଟର ଦୂର ତଥା ଗଞ୍ଜାମରୁ ୮୫ କିମି. ଦୂରରେ ଥିବା ‌ଖସଡ଼ା ଜଳପ୍ରପାତ ଲୋକଲୋଚନର ଆଢୁଆଳରେ ରହିଥିବାରୁ ଏହାକୁ ଆଧୁନିକତା ସ୍ପର୍ଶ କରି ପାରିନାହିଁ। ତଥାପି ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ବହୁ ପର୍ଯ୍ୟଟକ ଆସନ୍ତି। ଏଣୁ, ବର୍ତ୍ତମାନ କିଛି କିଛି ସୁବିଧା ମଧ୍ୟ କରାଗଲାଣି। ଜଳପ୍ରପାତକୁ ରାସ୍ତା, ପ୍ରର୍ଯ୍ୟଟକମାନଙ୍କ ରହଣି, ଗାଡ଼ି ରଖିବା ପାଇଁ ପାର୍କିଂସ୍ଥଳୀ ଭଳି ବହୁ ଉନ୍ନତିମୂଳକ କାମ ମଧ୍ୟ ହେଲାଣି। ପର୍ଯ୍ୟଟକଙ୍କ ଆଗମନ ହେତୁ ସ୍ଥାନୀୟ ଜନସାଧାରଣଙ୍କ ଗୁଜୁରାଣରେ ଉନ୍ନତି ମଧ୍ୟ ଦେଖା ଦେଲାଣି। ଛୋଟ ବଡ଼ ଦୋକାନ କରି ସେମାନେ କିଛି ମାତ୍ରାରେ ରୋଜଗାର କଲେଣି। ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟି ଦିଆଗଲେ ଏହା ଏକ ବିଶେଷ ପର୍ଯ୍ୟଟନସ୍ଥଳୀ ଭାବେ ଯେ ମାନ୍ୟତା ପାଇବାର ହକଦାର ହେବ ଏଥିରେ ସନ୍ଦେହ ନାହିଁ।

 

ସମ୍ବନ୍ଧିତ ଖବର