ଖରସ୍ରୋତା ଆନ୍ଦୋଳନ: ଦୁଇ ପୂର୍ବତନ ବିଧାୟକଙ୍କ ସମେତ ୧୨୨ଜଣଙ୍କୁ ଆଗୁଆ ଜାମିନ

କଟକ : ଖରସ୍ରୋତା ଆନ୍ଦୋଳନ ସମୟରେ ୨୦୨୧ରେ ଆନ୍ଦୋଳନକାରୀଙ୍କ ବିରୋଧରେ ରାଜକନିକା ଥାନାରେ ରୁଜୁ ମାମଲାରେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ ଓ ଦେବେନ୍ଦ୍ର ଶର୍ମାଙ୍କ ସମେତ ୧୨୨ଜଣଙ୍କୁ ହାଇକୋର୍ଟ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି।

ପୂର୍ବରୁ ହାଇକୋର୍ଟ ମାମଲାର ଶୁଣାଣିକରି ସମସ୍ତ ଆବେଦନକାରୀଙ୍କୁ ୨୦୨୧, ସେପ୍ଟେମ୍ବର ୭ରେ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ସମସ୍ତ ଆବେଦନକାରୀଙ୍କୁ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ମାମଲା ପରିଚାଳନା କରୁଥିବାବେଳେ ଆଇନଜୀବୀ କ୍ଷୀରୋଦ ରାଉତ ଓ ଆକାଶ ଭୂୟାଁ ସହାୟତା କରୁଥିଲେ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ରାପଡ଼ା ଜିଲ୍ଲା ଭାରୀଗଦାଠାରେ ପ୍ରସ୍ତାବିତ ପାନୀୟ ଜଳପ୍ରକଳ୍ପକୁ ବିରୋଧ ଘଟଣାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବାପାଇଁ ପୂର୍ବତନ ବିଧାୟକ ଶ୍ରୀ ନାୟକ ଓ ଶ୍ରୀ ଶର୍ମାଙ୍କ ସମେତ ୧୨୨ଜଣ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର