ଖେଲୋ ଇଣ୍ଡିଆ, ଖିଲେ ଇଣ୍ଡିଆ ଯୋଜନା ବାଟବଣା: କୋଭିଡ୍‌‌ ବେଳେ ଖେଳ ଉପକରଣ ଖର୍ଚ୍ଚ ୭ କୋଟି!

୩ ବର୍ଷ‌ ହେଲା ସ୍କୁଲ ଖୋଲିନି, କିନ୍ତୁ କିଣା ଚାଲିଛି ଖେଳ ଉପକରଣ

ପୁରୀ:‌ କୋଭିଡ୍‌ ସଂକ୍ରମଣ ପାଇଁ କୌଣସି ବିଦ୍ୟାଳୟ ଖୋଲାନାହିଁ। ୩ ବର୍ଷ ହେଲା ବିଦ୍ୟାଳୟରେ ପାଠପଢ଼ା ବନ୍ଦ ରହିଛି। ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଯିବାରେ କଟକଣା ଲଗାଯାଇଛି। ତଥାପି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଖେଳିବା ପାଇଁ ଖେଳ ଉପକରଣ କିଣା ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ନା ଖେଳ ଉପକରଣର ମାନ ଯାଞ୍ଚ ହେଉଛି ନା ଏହା କିଣା ହୋଇଛି କି ନାହିଁ କିମ୍ବା ତା’ର ପ୍ରତ୍ୟକ୍ଷ ସ୍ଥିତି ଯାଞ୍ଚ ହେଉଛି। ଫଳରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ଖେଲେ ଇଣ୍ଡିଆ, ଖିଲୋ ଇଣ୍ଡିଆ ଯୋଜନା’ରେ ଏହି ଅନୁଦାନ ବାଟମାରଣା ହେବାରେ ଲାଗିଛ। ଯେଉଁ ମହତ୍‌ ଲକ୍ଷ୍ୟ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା, ତାହା ଲକ୍ଷ୍ୟଚ୍ୟୁତ ହେବାରେ ଲାଗିଛି।

ବିଦ୍ୟାଳୟସ୍ତରରୁ କ୍ରୀଡ଼ା ଭିତ୍ତିଭୂମି ତଥା ଛାତ୍ରଛାତ୍ରୀଙ୍କ ଭିତରେ କ୍ରୀଡ଼ା ପ୍ରତିଭାର ବିକାଶ ଲକ୍ଷ୍ୟରେ ୨୦୧୮-୧୯ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଖେଲେ ଇଣ୍ଡିଆ, ଖିଲେ ଇଣ୍ଡିଆ ଯୋଜନା। ଏହି ଯୋଜନାରେ ଖେଳ ଉପକରଣ କିଣିବା ପାଇଁ ପ୍ରତି ପ୍ରାଥମିକ ବିଦ୍ୟାଳୟକୁ ବାର୍ଷିକ ୫ହଜାର ଟଙ୍କା, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବାର୍ଷିକ ୧୦ହଜାର ଟଙ୍କା ଓ ଉଚ୍ଚ ବିଦ୍ୟାଳୟକୁ ବାର୍ଷିକ ୧୦ହଜାର ଟଙ୍କା ପ୍ରଦାନ କରାଯାଉଛି। ପ୍ରତି ଜିଲ୍ଲାରେ ସର୍ବଶିକ୍ଷା ଅଭିଯାନ ତଥା ସମଗ୍ର ଶିକ୍ଷା ଅଭିଯାନ ଜରିଆରେ ପ୍ରତି ବିଦ୍ୟାଳୟକୁ ଏହି ଅନୁଦାନ ପ୍ରଦାନ କରାଯାଉଛି। ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଉପରେ ନଜର ପକାଇଲେ, ପୁରୀ ଜିଲ୍ଲାକୁ ଏହି ଯୋଜନାରେ ବାର୍ଷିକ ପ୍ରାୟ ୨.୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୦୧୮-୧୯, ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ ଜିଲ୍ଲାକୁ ପ୍ରାୟ ୭ କୋଟି ଟଙ୍କାର ଅନୁଦାନ ମିଳିଛି। ବିଦ୍ୟାଳୟ ଉପରେ ନଜର ପକା‌ଇଲେ ପୁରୀ ଜିଲ୍ଲାରେ ୨ହଜାର ୦୬୨ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ଏହି ସବୁ ବିଦ୍ୟାଳୟକୁ ‘ଖେଲେ ଇଣ୍ଡିଆ, ଖିଲେ ଇଣ୍ଡିଆ’ ଯୋଜନାରେ ପ୍ରାୟ ୨ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ସେହିଭଳି ଉଚ୍ଚ ବିଦ୍ୟାଳୟ ଉପରେ ନଜର ପକାଇଲେ, ସମୁଦାୟ ୧୮୯ଟି ବିଦ୍ୟାଳୟକୁ ୪୭ଲକ୍ଷ ୨୫ହଜାର ଟଙ୍କା ଅନୁଦାନ ମିଳିଛି। ସବୁକୁ ହିସାବକୁ ନେଲେ, ପ୍ରତିବର୍ଷ ପୁରୀ ଜିଲ୍ଲାକୁ ଖେଲେ ଇଣ୍ଡିଆ, ଖେଲୋ ଇଣ୍ଡିଆ ଯୋଜନାରେ ପ୍ରାୟ ୨.୫ କୋଟି ଟଙ୍କାର ଅନୁଦାନ ମିଳିଛି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଶେଷଥର ଡିସେମ୍ବର ମାସରେ ଅନୁଦାନ ପ୍ରଦାନ କରାଯାଇଥିବା ନେଇ ପୁରୀ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପ୍ରତି ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ଚିଠି(ନଂ-୩୮୭୦/୨୮.୧୨.୨୦୨୧) କରାଯାଇଥିଲା। ଯେଉଁ ଅନୁଦାନ ମିଳିଛି, ସେଥିରେ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ସଟ୍‌ପୁଟ୍‌, ଡିସ୍‌କସ୍‌, ବ୍ୟାଡମିଣ୍ଟନ, କ୍ରିକେଟ୍‌ ବ୍ୟାଟ୍‌, ଟେନିସ୍‌ ବଲ, ଥ୍ରୋ ବଲ୍‌, ଭଲିବଲ୍‌, ହ୍ୟାଣ୍ଡ୍‌ ବଲ୍‌, ବାସ୍କେଟ୍‌ ବଲ୍‌, ରଗ୍‌ବୀ ବଲ, ଫୁଟ୍‌ବଲ୍‌, ଗୋଲ୍‌ ପୋଷ୍ଟ ଆଦି କିଣିବାକୁ କୁହାଯାଇଛି। ସେହିଭଳି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳ ଉପକରଣ ଭିନ୍ନ ଭିନ୍ନ ରହିଛି। କେଉଁ ଖେଳ ଉପକରଣ କେତେ ଟଙ୍କାରେ କିଣାଯିବ, ତାର ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି।

ଏବେପ୍ରଶ୍ନ ଉଠୁଛି, ୨୦୧୯ ମସିହାରୁ କୋଭିଡ୍‌ ପାଇଁ ବିଦ୍ୟାଳୟ ସବୁ ବନ୍ଦ ରହିଛି। ଆଜି ୮ମରୁ ୧୦ମ ଯାଏ ଶ୍ରେଣୀ ଖୋଲାଯାଇଥିଲେ ମଧ୍ୟ ପାଠପଢ଼ା ଆରମ୍ଭ ହୋଇନି। ପିଲାଏ ଏପର୍ଯ୍ୟନ୍ତ ସ୍କୁଲ ଯାଇନାହାନ୍ତି। ତେବେ ଏମାନେ କିଣାଯାଉଥିବା ଖେଳ ଉପକରଣରେ କେମିତି ଖେଳିଲେ। ବଡ଼ କଥା ହେଉଛି, ପ୍ରତିବର୍ଷ ସମାନ ପ୍ରକାର ଖେଳ ଉପକରଣ ପାଇଁ ଅନୁଦାନ ମିଳୁଛି। ଯଦି ଏତେ ଟଙ୍କାର ଅନୁଦାନ ମିଳୁଛି, ତେବେ ସତରେ ଏହି ଟଙ୍କା ଖେଳ ଉପକରଣ କିଣାରେ ଖର୍ଚ୍ଚ କରାଯାଉଛି, ନା ଦୁର୍ନୀତିଖୋର ଅଧିକାରୀଙ୍କ ପାଇଁ ଦୁର୍ନୀତିର ବାଟ ଖୋଲି ଦିଆଯାଇଛି ବୋଲି ବୁଦ୍ଧିଜୀବୀ ମହଲ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର