କଳିଙ୍ଗ ଷ୍ଟାଡ଼ିଅମରେ ପ୍ରତିଷ୍ଠା ହେବ ଖେଲୋ ଇଣ୍ଡିଆ ଷ୍ଟେଟ୍ ସେଣ୍ଟର ଅଫ ଏକ୍ସଲେନ୍ସ

ଓଡ଼ିଶା ସମେତ ଦେଶର ଆଠଟି ରାଜ୍ୟରେ ଥିବା କ୍ରୀଡ଼ା ସୁବିଧାକୁ ପ୍ରଥମ ପର୍ଯ୍ୟାୟରେ ଚୟନ

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ଫ୍ଲାଗ ସିପ୍ କାର୍ଯ୍ୟକ୍ରମ “ଖେଲୋ ଇଣ୍ଡିଆ ଯୋଜନା” ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟରେ ରାଜ୍ୟସ୍ତରୀୟ ଖେଲୋ ଇଣ୍ଡିଆ ଉତ୍କର୍ଷ କେନ୍ଦ୍ରମାନ ପ୍ରତିଷ୍ଠା କରାଯିବ । ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରରେ ଏଥିପାଇଁ ଗୋଟିଏ ଲେଖାଏଁ କେଆଇଏସିଇ ସ୍ଥାପନ ସକାଶେ ସ୍ଥାନ ଚିହ୍ନଟ କରାଯିବ । ପ୍ରଥମ ଚରଣରେ ମନ୍ତ୍ରାଳୟ ପକ୍ଷରୁ ଆଠଟି ରାଜ୍ୟରେ ଥିବା ରାଜ୍ୟସ୍ତରୀୟ କ୍ରୀଡ଼ା ସଂସାଧନ ସୁବିଧାକୁ ଚୟନ କରାଯାଇଛି ଏବଂ ସେଥିରେ ଓଡ଼ିଶା ସମେତ କର୍ଣ୍ଣାଟକ, କେରଳ, ତେଲଙ୍ଗାନା ଏବଂ ଉତ୍ତର ପୂର୍ବାଞ୍ଚଳର ଅରୁଣାଚଳ ପ୍ରଦେଶ, ମଣିପୁର, ମିଜୋରାମ ଓ ନାଗାଲାଣ୍ଡ ରାଜ୍ୟ ରହିଛି । ଏହିସବୁ ରାଜ୍ୟର କ୍ରୀଡ଼ା କେନ୍ଦ୍ରଗୁଡ଼ିକୁ ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ର ଭାବେ ଉନ୍ନୀତ କରାଯିବ ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ  କିରେନ ରିଜିଜୁ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ  ରିଜିଜୁ କହିଲେ ଯେ ଏହା ରାଜ୍ୟଗୁଡ଼ିକରେ କ୍ରୀଡ଼ା ସୁବିଧାକୁ ସୁଦୃଢ଼ କରିବ । ଅଲମ୍ପିକ କ୍ରୀଡ଼ାରେ କିଭଳି ଭାବେ ଭାରତୀୟ କ୍ରୀଡ଼ାବିତମାନଙ୍କ ପ୍ରଦର୍ଶନ ଉନ୍ନତ ମାନର ହୋଇପାରିବ ତାହା ସୁନିଶ୍ଚିତ କରିବା ସକାଶେ ସରକାର ରାଜ୍ୟମାନଙ୍କରେ ଏଭଳି ଖେଲୋ ଇଣ୍ଡିଆ ଉତ୍କର୍ଷ କ୍ରୀଡ଼ା କେନ୍ଦ୍ରମାନ ପ୍ରତିଷ୍ଠା କରିବେ । ଏହା ଫଳରେ ରାଜ୍ୟମାନଙ୍କରେ ଉନ୍ନତ ମାନର କ୍ରୀଡ଼ା ସଂସାଧନ ଉପଲବ୍ଧ କରାଯିବ ଯଦ୍ୱାରା କ୍ରୀଡ଼ାବିତମାନେ ସହଜରେ କ୍ରୀଡ଼ା ଅଭ୍ୟାସ କରିପାରିବେ । ସମସ୍ତ କ୍ରୀଡ଼ାବିତଙ୍କ ନିମନ୍ତେ ବିଶ୍ୱସ୍ତରୀୟ କ୍ରୀଡ଼ା ସଂସାଧନ ଉପଲବ୍ଧ କରାଇବା ସରକାରଙ୍କ ଉଦ୍ଦେଶ୍ୟ । ଏହାଦ୍ୱାରା ସେମାନେ ନିର୍ଦ୍ଦିଷ୍ଟ ଶୃଙ୍ଖଳାରେ କ୍ରୀଡ଼ାଭ୍ୟାସ କରିପାରିବେ । ସରକାରୀ କମିଟିରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପରେ ଏଭଳି ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ଏହାଦ୍ୱାରା ଦେଶର ବିଭିନ୍ନ ରାଜ୍ୟରେ ଥିବା ନୂଆ ନୂଆ ତଥା ଲୁକ୍କାୟିତ କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କୁ କ୍ରୀଡ଼ାଭ୍ୟାସର ସକଳ ପ୍ରକାର ସୁବିଧାସୁଯୋଗ ଯୋଗାଇଦେବା ସମ୍ଭବପର ହୋଇପାରିବ । ଏହା ସେମାନଙ୍କୁ ସମସ୍ତ ପ୍ରମୁଖ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ଏବଂ ବିଶେଷ କରି ଅଲିମ୍ପିକ ପ୍ରତିଯୋଗିତାରେ ଦେଶପାଇଁ ପଦକ ବିଜୟୀ କରିବାରେ ସହାୟକ ହେବ ବୋଲି  ରିଜିଜୁ କହିଛନ୍ତି ।

ଶ୍ରୀ ରିଜିଜୁ କହିଛନ୍ତି ଯେ ଏହି କ୍ରୀଡ଼ାଙ୍ଗନ ସୁବିଧା ଚୟନ ପ୍ରକ୍ରିୟା ୨୦୧୯ ଅକ୍ଟୋବର ମାସଠାରୁ ଆରମ୍ଭ ହୋଇଥିଲା । ଏଥିପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ସେମାନଙ୍କର ନିକଟରେ ଶ୍ରେଷ୍ଠ କ୍ରୀଡ଼ା ସୁବିଧା କ’ଣ, କି ପ୍ରକାର ଏଜେନ୍ସି ବା ଯୋଗ୍ୟ ଏଜେନ୍ସିମାନ ରହିଛି ତାହା ଜଣାଇବାକୁ କୁହାଯାଇଥିଲା । ବର୍ତ୍ତମାନ ଥିବା କ୍ରୀଡ଼ାକେନ୍ଦ୍ରଗୁଡ଼ିକୁ କେଆଇଏସସିଇକୁ ଉନ୍ନୀତ କରିବା ନିମନ୍ତେ କେନ୍ଦ୍ର ସରକାର ସମ୍ଭାବ୍ୟ ଆବଶ୍ୟକ ପାଣ୍ଠି ଯୋଗାଇଦେବେ ଯେଉଁଠାରେ କି ବିଶ୍ୱସ୍ତରୀୟ କ୍ରୀଡ଼ା ସୁବିଧାର ବିକାଶ କରାଯିବ । ସରକାରଙ୍କୁ ମିଳିଥିବା ୧୫ଟି ପ୍ରସ୍ତାବ ଉପରେ ତର୍ଜମା କରାଯିବା ପରେ ସେଥିରୁ ୮ଟିକୁ ସର୍ଟଲିଷ୍ଟ କରାଯାଇଥିଲା । ସେହି ଆଠଟି କେନ୍ଦ୍ର ହେଲା ଓଡ଼ିଶାର କଳିଙ୍ଗ ଷ୍ଟାଡ଼ିଅମ,  ଅରୁଣାଚଳ ପ୍ରଦେଶର ସାଙ୍ଗେ ଲାହଡ଼େନ ସ୍ପୋର୍ଟସ ଏକାଡ଼େମୀ, ଇଟାନଗର, କର୍ଣ୍ଣାଟକର ବାଙ୍ଗାଲୋରସ୍ଥିତ ଜୟପ୍ରକାଶ ନାରାୟଣ ନ୍ୟାସନାଲ ୟୁଥ ସେଣ୍ଟର, କେରଳର ଥିରୁଅନନ୍ତପୁରମସ୍ଥିତ ଜି ଭି ରାଜା ସିନିଅର ସେକେଣ୍ଡାରୀ ସ୍ପୋର୍ଟସ ସ୍କୁଲ, ମଣିପୁରର ଇମ୍ଫାଲସ୍ଥିତ ଖୁମାନ ଲାମ୍ପାକ ସ୍ପୋର୍ଟସ କମ୍ପ୍ଲେକ୍ସ, ମିଜୋରାମର ଆଇଜଲସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡ଼ିଅମ, ନାଗାଲାଣ୍ଡର କୋହିମାସ୍ଥିତ ଷ୍ଟେଟ ସ୍ପୋର୍ଟସ ଏକାଡ଼େମୀ, ଆଇଜି ଷ୍ଟାଡ଼ିଅମ ଏବଂ ତେଲଙ୍ଗାନାର ହକୀମପେଟସ୍ଥିତ ରିଜିଓନାଲ ସ୍ପୋର୍ଟସ ସ୍କୁଲ ।

ସମ୍ବନ୍ଧିତ ଖବର