ଖେଲୋ ଇଣ୍ଡିଆ ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍: ସେପ୍ଟେମ୍ବର ୨୬ରେ ସୁନ୍ଦରଗଡ଼ରେ ପ୍ରଥମ ଚରଣ

ସୁନ୍ଦରଗଡ଼ : ଆସନ୍ତା ଅକ୍ଟୋବରରେ ଭାରତରେ ୧୭ ବର୍ଷରୁ କମ୍ ବାଳିକା ବିଶ୍ୱକପ୍ ଆୟୋଜିତ ହେବ। ଏହି ପ୍ରତିଯୋଗିତା ପରେ ସେହି ଧାରାକୁ ଦେଶରେ ଆଗେଇ ନେବା ପାଇଁ ଜନସମୂହଙ୍କ ଭାଗିଦାରୀ ଅତ୍ୟନ୍ତ ଆବଶ୍ୟକ। ଏହାକୁ ହୃଦୟଙ୍ଗମ କରି ସାଇ ସହଯୋଗରେ ଖେଲୋ ଇଣ୍ଡିଆ ଯୋଜନା ଅଧୀନରେ ଫାଓ ( ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା) ୧୭ ବର୍ଷରୁ କମ୍ ବାଳିକାମାନଙ୍କ ଏକ ଫୁଟବଲ୍ ଲିଗ୍ ଆୟୋଜନ ପାଇଁ ସ୍ଥିରୀକୃତ ହୋଇଛି। ଭାରତରେ ୪୦ଟି ସ୍ଥାନରେ ଏଭଳି ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ଠାରେ ଏହାର ଏକ ପ୍ରକରଣ ଅନୁଷ୍ଠିତ କରିବା ଦାୟିତ୍ଵ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦକୁ ପ୍ରଦାନ କରାଯାଇଛି। ଏହି ପ୍ରକରଣର ପ୍ରଥମ ଚରଣ ଚଳିତ ସେପ୍ଟେମ୍ବର ୨୬ରୁ ସେପ୍ଟେମ୍ବର ୩୦ ଯାଏଁ ଏବଂ ଦ୍ଵିତୀୟ ଚରଣ ଆସନ୍ତା ଅକ୍ଟୋବର ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବ ବୋଲି ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ ସୂଚନା ଦେଇଛନ୍ତି।

ଏହି ଫୁଟବଲ୍ ଲିଗ୍ କିଞ୍ଜିର୍ମାସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ କରିବାକୁ ଜିଲ୍ଲା କ୍ରୀଡ଼ା ସଂସଦ ପରିସରରେ ସଂସଦର ବରିଷ୍ଠ ସଦସ୍ୟ ବିମଳ ବୋଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ପ୍ରତିଯୋଗିତାରେ ଛଅଟି ମହିଳା ଦଳ ଯଥା ରାଉରକେଲା ଇସ୍ପାତ କାରଖାନା, ସୁନ୍ଦରଗଡ଼ ସେଣ୍ଟ ମେରୀ ଉଚ୍ଚ ବିଦ୍ୟାଳୟ, କୁଆଁରମୁଣ୍ଡା ୟଙ୍ଗ ଆସୋସିଏସନ, ରାଜଗାଙ୍ଗପୁର ଫୁଟବଲ୍ କ୍ଳବ୍, କିଞ୍ଜୀର୍ମା ସରକାରୀ ଉଚ୍ଚ ବିଦ୍ୟାଳୟ, କିଞ୍ଜିରକେଲାସ୍ଥିତ କୁଳମଣି ସରକାରୀ ଉଚ୍ଚ ବିଦ୍ୟାଳୟ ଭାଗ ନେବେ। ବିଜୟୀ ଦଳକୁ ୨୫୦୦୦ଟଙ୍କା, ଉପବିଜେତା ଦଳକୁ ୧୫୦୦୦ଟଙ୍କା ଏବଂ ଅନ୍ୟ ଚାରି ଦଳକୁ ୫୦୦୦ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ସାଧାରଣ ସମ୍ପାଦକ ଶ୍ରୀ ଭୋଳ ସୂଚନା ଦେଇଛନ୍ତି। ଏହି ବୈଠକରେ ସଂସଦ ଉପସଭାପତି ପୌଷଚନ୍ଦ୍ର ପଟେଲ, ସଦସ୍ୟ ଶିଶିର ପଟେଲ, ପ୍ରଶାନ୍ତ ପଟେଲ, ପ୍ରସାଦ ନାଏକ, ଅଜୟ ବହିଦାର, ନିତ୍ୟ କୁମାର ବଳ, ରୋମାଞ୍ଚ ଭାଇଁସାଲ, ଆଶିଷ ଦେ, ବିଶ୍ୱରଂଜନ ହୋତା, ସହସମ୍ପାଦକ ଜୟଦେବ ପାତ୍ର ଏବଂ କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର