ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ପୋଲସରା ପରେ ବୁଗୁଡ଼ା ବ୍ଲକ୍ରେ ‘କ୍ଷେତ ପୋଖରୀ’ ଯୋଜନାରେ ଦୁର୍ନୀତି ଓ ଅନିୟମିତତା ସାମ୍ନାକୁ ଆସିଛି। ଚାଷୀଙ୍କ ଜମି ପରିବର୍ତ୍ତେ ସରକାରୀ ଜମିରେ ପୋଖରୀ ଖୋଳି ଆଉ ଜଣେ ୱାର୍ଡ଼ସଭ୍ୟଙ୍କ ନାମରେ ମୃତ୍ତିକା ସଂରକ୍ଷଣ ବିଭାଗ ଲକ୍ଷାଧିକ ଟଙ୍କା ବିଲ୍ କରିଥିବା ଜଣାପଡ଼ିଛି। ବୁଗୁଡ଼ା ବ୍ଲକ୍ ମୋଟାବାଡ଼ି ପଞ୍ଚାୟତ ଅଧୀନ ନାଗିରି ଗ୍ରାମରୁ ଏଭଳି ଏକ ଅଭିଯୋଗ ହସ୍ତଗତ ହୋଇଛି। ନିୟମାନୁସାରେ ଯେଉଁ ଚାଷୀଙ୍କ ଜମି ଥିବା ସେଠାରେ ପୋଖରୀ ଖୋଳିବାକୁ ‘କ୍ଷେତ ପୋଖରୀ’ ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ୨ ଲକ୍ଷ ୩୦ହଜାର ଟଙ୍କା ଅନୁଦାନ ମିଳିଥାଏ।
ତେବେ ମୋଟାବାଡ଼ି ରାଜସ୍ବ କାର୍ଯ୍ୟାଳୟ ଅଧୀନ ନାଗିରି ଗ୍ରାମର ଗ୍ରାମହାଟ ପାଇଁ ଉଦ୍ଦିଷ୍ଟ ସରକାରୀ ଜମି (ଖାତା ନମ୍ବର ୧୭୮, ପ୍ଲଟ୍ନମ୍ବର ୨୮୧ ) ରେ ଏକ ବ୍ୟକ୍ତିଗତ ପୋଖରୀ ଖୋଳାଯାଇଛି। ଆଉ ୱାର୍ଡ଼ସଭ୍ୟ ଶରତ ଚନ୍ଦ୍ର ପ୍ରଧାନଙ୍କ ନାମରେ ୨ ଲକ୍ଷ ୩୦ହଜାର ଟଙ୍କା ବିଲ୍ ହୋଇଛି। ତେବେ ସରକାରୀ ଜମିରେ ପୋଖରୀ କେମିତି ଖୋଳାଗଲା, ଏଥିପାଇଁ କିଏ ଅନୁମତି ଦେଲା ଏବଂ ପୋଖରୀ ଖୋଳାଯିବା ପରେ ବିଭାଗୀୟ ଅଧିକାରୀମାନେ କେମିତି ବିଲ୍ କଲେ, ୱାର୍ଡ଼ସଭ୍ୟଜଣକ ପ୍ରକୃତ ହିତାଧିକାରୀ କି ନୁହଁନ୍ତି, ଏହାକୁ ନେଇ ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କେବଳ ପୋଖରୀ ଖୋଳା ନୁହେଁ, ପୋଖରୀକଡ଼ରେ କାଜୁ ଗଛ ରୋପଣ ପାଇଁ ୩ ଲକ୍ଷ ୬୦ ହଜାର ଟଙ୍କା ଅନୁଦାନ ଆସିଥିବା ବେଳେ ଅଳ୍ପ କିଛି ଗଛ ଲଗାଇ ଦେଇ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ହୋଇଛି। ତେବେ ଅଭିଯୋଗ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।