ବ୍ରହ୍ମଗିରି: ଶ୍ରୀ ଅଲାରନାଥଙ୍କ ସବୁଠାରୁ ପ୍ରିୟ ବ୍ୟଞ୍ଜନ ହେଉଛି ଖିରି। ଭକ୍ତଙ୍କ ମନରେ ଶ୍ରୀ ଅଲାରନାଥ ଖିରିଖିଆ ଠାକୁର ଭାବରେ ବିଦିତ। ଅଣସର ଦର୍ଶନ ସମୟରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଖିରି ପ୍ରସାଦ ନିଶ୍ଚିତ ସେବନ କରିଥାନ୍ତି। ଆଉ ଶ୍ରଦ୍ଧା ଓ ଭକ୍ତିରେ ଘରକୁ ମଧ୍ୟ ନେଇଥାନ୍ତି। ଏ ସଂପର୍କରେ ଏକ ସୁନ୍ଦର କିଂବଦନ୍ତି ରହିଛି। ଶ୍ରୀଜିଉଙ୍କ ସେବାରେ ନିୟୋଜିତ ସେବାୟତ ମୀନକେତନ ବିଦେଶକୁ ଯାତ୍ରା କରିବା ପୂର୍ବରୁ ନିଜର ପତ୍ନୀଙ୍କୁ କହିଗଲେ ବିଦେଶ ଯାତ୍ରା ସମୟରେ ଶ୍ରୀଜିଉଙ୍କ ନବୈଦ୍ୟ ଅର୍ପଣ ନିଜ ପୁଅ ମଧୂସୁଦନ ହାତରେ କରାଇବେ। ମାତ୍ର ୧୧ ବର୍ଷର ବାଳକ ମଧୂସୁଦନ ଯିଏକି ପୂଜା ଅର୍ଚ୍ଚନା ଜାଣି ନ ଥିଲେ ମା’ ଘରେ ପ୍ରସ୍ତୁତ କରିଥିବା ଖିରି ନେଇ ଠାକୁରଙ୍କ ଆଗରେ ରଖି ଉଚ୍ଚାରଣ କରିଥିଲେ ‘ଆସ ଅଲାରେ ଖାଅ ଖିରି, ବାପ ଯାଇଛି ବିଦେଶ କରି’। ଏହାପରେ ଶ୍ରୀଜିଉଙ୍କ ମନ୍ଦିର କବାଟ ବନ୍ଦ କରି ସାଙ୍ଗ ସହିତ ଖେଳି ପୁଣିଥରେ ଦ୍ବାର ଫିଟାଇ ଖାଲି ପାତ୍ର ନେଇ ଘରକୁ ଫେରେ। ଆଉ ମା’ ପଚାରନ୍ତି ଖିରି ପ୍ରସାଦ କୁଆଡେ ଗଲା? ମଧୂସୁଦନଙ୍କର ଉତ୍ତର ମିଳେ ଠାକୁର ସବୁ ଖାଇ ଦେଲେ। ଏହାରି ଭିତରେ ମୀନକେତନ ବିଦେଶ ଯାତ୍ରା ସାରି ଘରକୁ ଫେରିବା ପରେ ନିଜ ପତ୍ନୀଙ୍କଠାରୁ ସବୁ ଶୁଣି ଆଶ୍ଚର୍ଯ୍ୟ ହେଲେ। ଖିରି ସବୁ ନିଜେ ଖାଇ ଠାକୁରଙ୍କ ନାମରେ ପୁଅ ମିଛ କହୁଥିବା ଭାବି ପରୀକ୍ଷା କରିବା ପାଇଁ ସ୍ଥିର କଲେ। ବାପ ଓ ପୁଅ ଏକା ସାଙ୍ଗରେ ଖିରି ନେଇ ମନ୍ଦିର ଭିତରକୁ ଗଲେ। ଆଉ ମଧୂସୁଦନ ଖିରି ପୂର୍ବ ଭଳି ଉଚ୍ଚାରଣ କରି ମନ୍ଦିର ବାହାରକୁ ଆସି କବାଟ ବନ୍ଦ କରି ଦେଇ ସାଙ୍ଗମାନଙ୍କ ସହିତ ଖେଳିବାରେ ଲାଗିଲେ। କିନ୍ତୁ ମୀନକେତନ ମନ୍ଦିର ଭିତରେ ଲୁଚି ରହି କଳାହାଟ ଦ୍ବାର କବାଟ ଛିଦ୍ରରେ ଚାହିଁ ରହିଲେ ଠାକୁର ଖିରି ଖାଉଛନ୍ତି କି ନାହିଁ। ଭକ୍ତର ମାନ ରଖିବାକୁ ଠାକୁର ନିଜେ ରତ୍ନ ସିଂହାସନରୁ ଓହ୍ଲାଇ ଆସି ଗରମ ଖିରି ଖାଇଲେ। କିନ୍ତୁ ତରବରରେ ଖାଇବା ବେଳେ ଶ୍ରୀଜିଉଙ୍କ ଦକ୍ଷୁଣ ହସ୍ତ ଆଙ୍ଗୁଠି ଓ ଗରମ ଖିରି ପଡ଼ି ବକ୍ଷରେ ଫୋଟକା ହୋଇଗଲା। ଖାଇସାରି ଠାକୁର ଅନ୍ତର୍ଦ୍ଧାନ ହୋଇଗଲେ।
ଏସବୁ ଅଲୌକିକ ଦୃଶ୍ୟ ଦେଖି ମୀନକେତନ ଭାବ ବିହ୍ବଳ ହୋଇଗଲା। ଆଜି ବି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ସେହି ଗରମ ଖିରିର ଫୋଟକା ଚିହ୍ନ ରହିଛି ବୋଲି କୁହାଯାଏ। ସେଥିପାଇଁ ଦ୍ବିପ୍ରହର ଧୂପରେ ଶ୍ରୀଜିଉଙ୍କ ପାଖରେ କେବଳ ଖିରି ଧୂପ ଉଠିଥାଏ। ବର୍ଷତମାମ ଖିରି ପ୍ରସାଦ ହେଉଥିବା ବେଳେ ଅଣସର ଦର୍ଶନ ସମୟର ପ୍ରତ୍ୟେକ ଦିନ ଶହେ ହାଣ୍ତିରୁ ଅଧିକ ଖିରି ପ୍ରସାଦ ଶ୍ରୀଜିଉଙ୍କ ପାଖରେ ଲାଗି ହୋଇଥାଏ। ଏବେ ଅଣସର ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ ଖିରି ପ୍ରସାଦ ପାଇଁ ଆନନ୍ଦ ବଜାରରେ ଭିଡ଼ ଲଗାଇଛନ୍ତି। ଶ୍ରୀଜିଉଙ୍କ ଅତିପ୍ରିୟ ଖିରି ପ୍ରସାଦ ଭକ୍ତଙ୍କୁ ଟାଣି ଆଣୁଛି।