‘ବିଶ୍ବ’ ଅନୁଷ୍ଠାନର ମୁଖ୍ୟ କ୍ଷୀରୋଦ ମଲ୍ଲିକ, ପୁଅ ଦେବବ୍ରତ ଗିରଫ, ରାତାରାତି ଉଠାଇନେଲା ମୁମ୍ବାଇ ଇଓଡବ୍ଲୁ ଟିମ୍‌

ସମ୍ବଲପୁର: ପୁଣିଥରେ ଗିରଫ ହୋଇଛନ୍ତି ‘ବିଶ୍ବ’ ଅନୁଷ୍ଠାନର ମୁଖ୍ୟ କ୍ଷୀରୋଦ ମଲ୍ଲିକ। ମୁମ୍ବାଇର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ୍୍) ଶ୍ରୀ ମଲ୍ଲିକ ଏବଂ ତାଙ୍କ ପୁଅ ଦେବବ୍ରତ ମଲ୍ଲିକଙ୍କୁ ସମ୍ବଲପୁର ଦାନୀପାଲିସ୍ଥିତ ତାଙ୍କ ବାସଭବନରୁ ଉଠାଇ ନେଇଛି। ବିନା ଅନୁମତିରେ ବେଆଇନଭାବେ ବହୁ କୋଟି ଟଙ୍କାର ଆର୍ଥିକ କାରବାର ଅଭିଯୋଗରେ ଶ୍ରୀ ମଲ୍ଲିକଙ୍କ ବିରୋଧରେ ମାମଲା ରହିଛି। ପୂର୍ବରୁ ମଧ୍ୟ ଆର୍ଥିକ ଅପରାଧ ଅଭିଯୋଗରେ ୨୦୧୪ ଅକ୍ଟୋବର ଶେଷ ସପ୍ତାହରେ ଶ୍ରୀ ମଲ୍ଲିକ ଗିରଫ ହୋଇଥିଲେ। ବହୁ ଦିନ ଜେଲରେ ରହିବା ପରେ ସେ ଜାମିନରେ ମୁକୁଳିଥିଲେ। ଠିକ୍‌ ୫ ବର୍ଷ ପରେ ପୁଣିଥରେ ସେ ଆଇନର ପଞ୍ଝାକୁ ଯାଇଛନ୍ତି। ସୋମବାର ରାତିରେ ମୁମ୍ବାଇରୁ ଆସିଥିବା ଏକ ସ୍ବତନ୍ତ୍ର ଟିମ୍‌ ଶ୍ରୀ ମଲ୍ଲିକ ଏବଂ ତାଙ୍କ ପୁଅ ଦେବବ୍ରତଙ୍କୁ ଗିରଫ କରି ରାତାରାତି ମୁମ୍ବାଇ ନେଇ ଯାଇଥିବା ସୂଚନା ମିଳିଛି। ତାଙ୍କ ନାମରେ ପୂର୍ବରୁ ଥିବା ମାମଲା ଇଓଡବ୍ଲୁ କେସ୍‌ ନମ୍ବର ୪୫/୧୨ରେ ଗିରଫ କରାଯାଇଛି।

ଶ୍ରୀ ମଲ୍ଲିକ ପ୍ରତିଷ୍ଠା କରିଥିବା ଭାରତ ଇଣ୍ଟିଗ୍ରେଟେଡ୍ ସୋସିଆଲ ୱେଲଫେୟାର ଏଜେନ୍‌ସି (ବିଶ୍ବ) ନାମକ ଏନ୍‌ଜିଓ ସମ୍ବଲପୁରରେ ଏହାର ମୁଖ୍ୟାଳୟ ପ୍ରତିଷ୍ଠା କରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବହୁ ପ୍ରକାର କାରବାର କରି ଆସୁଥିଲା। ତେବେ ରିଜର୍ଭ ବ୍ୟାଙ୍କର ବିନା ଅନୁମତିରେ କ୍ଷୁଦ୍ର ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କାର ଜମା ରାଶି ସଂଗ୍ରହ କରିବା ତାଙ୍କୁ ମହଙ୍ଗା ପଡ଼ିଥିଲା। ଏ ନେଇ ଆର୍‌ବିଆଇ ପକ୍ଷରୁ ଅର୍ଥ ବିଭାଗକୁ ସୂଚନା ଦିଆଯିବା ପରେ ଇଓଡବ୍ଲୁ ୨୦୧୨ରେ ମାମଲା ରୁଜୁ କରିଥିଲା। ୨୦୧୪ରେ ଇଓଡବ୍ଲୁ କମ୍ପାନିର ମୁଖ୍ୟ ଶ୍ରୀ ମଲ୍ଲିକଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ସେ ଜାମିନରେ ଆସିଥିଲେ ବି ମାମଲା ଚାଲିଥିଲା। ଏହା ବ୍ୟତୀତ ‘ବିଶ୍ବ’ ବିରୋଧରେ ବିଭିନ୍ନ ଜିଲ୍ଲାରେ ବହୁ ପ୍ରକାର ଆର୍ଥିକ ଅନିୟମିତତାର ଅଭିଯୋଗ ରହି ଆସିଥିଲା। ଉଲ୍ଲେଖଯୋଗ୍ୟ, କ୍ଷୀରୋଦ ମଲ୍ଲିକ ବରିଷ୍ଠ ବିଜେଡି ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ସାନ ଭାଇ।

ସମ୍ବନ୍ଧିତ ଖବର