ଗଚ୍ଛିତ ଖଣ୍ଡୋଲାଇଟ୍‌ ସର୍ଭେ ହେଉନି : ଚୋରା କାରବାର ପାଇଁ ବାଟ ଖୋଲା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ୧୭ ହଜାର ହେକ୍ଟରରୁ ଅଧିକ ଅଞ୍ଚଳରେ ମୂଲ୍ୟବାନ ଖଣ୍ଡୋଲାଇଟ ପଥର ରହିଥିବା ସୂଚନା ମିଳିଛି। କିନ୍ତୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ବାରା ଏନେଇ ସ‌ର୍ଭେ ହୋଇନାହିଁ। ଫଳରେ, ଚୋରାକାରବାର ପାଇଁ ବାଟ ଖୋଲିଯାଇଛି।

କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ, ସିଙ୍ଗାରୀଘାଟି ଓ ମୁଖୀଗୁଡା ଅଞ୍ଚଳରେ ବ୍ୟାପକ ଖଣ୍ଡୋଲାଇଟ ପଥର ମହଜୁଦ ରହିଛି। ସାହାଜଖୋଲ ସଂରକ୍ଷିତ ଜଙ୍ଗଲର ଡୋକରୀଚଞ୍ଚରା ଜଳପ୍ରପାତ, ଗୁଡହାଣ୍ଡି ଗୁମ୍ଫା ସମେତ ପ୍ରାୟ ୧୨୭୭୨ ହେକ୍ଟର ଅଞ୍ଚଳରେ ଖଣ୍ଡୋଲାଇଟ ପଥର ରହିଛି। ସେହିଭଳି ସିଙ୍ଗାରୀ ସଂରକ୍ଷିତ ଜଙ୍ଗଲର ପ୍ରାୟ ୫୯୩୦ ହେକ୍ଟର ଅଞ୍ଚଳରେ ଖଣ୍ଡୋଲାଇଟ ପଥର ମହଜୁଦ ରହିଛି। ଏହି ଖଣ୍ଡୋଲାଇଟ ପଥର ବକ୍ସାଇଟ ଖଣି ଅଞ୍ଚଳରେ ପ୍ରାୟତଃ ରହିଥିବା ଦେଖାଯାଇଥାଏ।

ଓଡ଼ିଶାର କୋରାପୁଟ ଜିଲ୍ଲା ପଞ୍ଚପଟମାଲି, ରାୟଗଡ଼ା ଜିଲ୍ଲାର ବହୁ ଅଞ୍ଚଳ, କନ୍ଧମାଳ ଜିଲ୍ଲାର ବେଲଘର ଅଞ୍ଚଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ଅଞ୍ଚଳରେ ଏହି ଖଣ୍ଡୋଲାଇଟ ପଥର ଥିବା ଜିଓଲୋଜିକାଲ ସର୍ଭେରୁ ଜଣାପଡ଼ିଛି। ଅନ୍ୟପକ୍ଷରେ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଓ ସିଙ୍ଗାରୀ ଘାଟି ଅଞ୍ଚଳରେ ଏହି ପଥର ନେଇ ଏ ପର୍ଯ୍ୟନ୍ତ ସର୍ଭେ ହୋଇ ନଥିବା ଜଣାପଡିଛି।

ତେଣୁ ଏହି ଅଞ୍ଚଳରୁ ଜିଲ୍ଲା ବାହାର ଓ ରାଜ୍ୟ ବାହାରକୁ ଏହି ପଥର ଚାଲାଣ ହେଉଛି। ଏହି ଅଞ୍ଚଳର ଗୁଡହାଣ୍ଡି ଗୁମ୍ଫା ଅଞ୍ଚଳରେ ହଜାର ହଜାର ବର୍ଷର ଶିଳାଲିପି ମହଜୁଦ ରହିଛି। ଏହାର ସୁରକ୍ଷା କରା ନଗଲେ ଗବେଷଣା ଆଳରେ ବିଭିନ୍ନ ଲୋକେ ଖଣ୍ଡୋଲାଇଟ ପଥରରେ ନିର୍ମିତ ଶିଳାଲିପି ଓ ମୂର୍ତ୍ତି ମାନଙ୍କୁ ଚୋରି କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ସଂସ୍କୃତି ଓ ବନବିଭାଗ ମିଳିତ ଉଦ୍ୟମରେ ଏହି ଦୁର୍ଲଭ କାରୁକାର୍ଯ୍ୟକୁ ସୁରକ୍ଷା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯିବା ନିତାନ୍ତ ଆବଶ୍ୟକ ଅଟେ। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ସର୍ଭେ ପାଇଁ ବିଭାଗକୁ ଜଣାଇଲେ ରାଜସ୍ବହାନିରୁ ରାଜ୍ୟ ସରକାର ବର୍ତ୍ତି ପାରନ୍ତେ ବୋଲି ଖଣି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର