ଖୋର୍ଦ୍ଧା : ଶନିବାର ଥିଲା ବିଜୁ ଜୟନ୍ତୀ। ସକାଳେ ବିଜେଡି ପକ୍ଷରୁ ସହରର ବିଜୁ ପଟ୍ଟନାୟକ ପାର୍କସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଓ ଅନ୍ୟ ଦଳୀୟ କର୍ମକର୍ତ୍ତାମାନେ ମିଳିତ ହୋଇ ଫୁଲମାଳ ଚଢ଼ାଇଥିଲେ। ବିଜୁ ପଟ୍ଟନାୟକ ଅମର ରହେ, ବିଜେଡି ଜିନ୍ଦାବାଦ ଧ୍ବନି ଦେଇଥିଲେ। ଅପରାହ୍ଣରେ ଦଳୀୟ କାର୍ଯ୍ୟାଳୟରେ ଏକ ସଭା ହୋଇଥିଲା। କିନ୍ତୁ ସଭାରେ ସକାଳର ସେହି ଦଳୀୟ ମିଳାମିଶାର ଚିତ୍ର ଦେଖିବାକୁ ମିଳିନଥିଲା। ଅଧ୍ୟକ୍ଷ ଟିକେଟ୍କୁ ନେଇ ଗୋଟିଏ ଗୋଷ୍ଠୀ ଗାଳିଗୁଲଜ୍ କରିବା ସହ ବିଧାୟକଙ୍କୁ ଅସଦ୍ବ୍ୟବହାର କରିଥିବା ଜଣାପଡ଼ିଛି। ପରିସ୍ଥିତି ଏପରି ହେଲା ଯେ ଜୟନ୍ତୀ ପାଳନ ଉତ୍ସବକୁ କାଣ୍ଟଛାଣ୍ଟ୍ କରି ଶେଷ କରିବାକୁ ପଡ଼ିଲା।
ଅପରାହ୍ଣରେ ଦଳୀୟ କାର୍ଯ୍ୟାଳୟରେ ବିଧାୟକ ଶ୍ରୀ ମିତ୍ରଙ୍କ ସମେତ ଶତାଧିକ କର୍ମକର୍ତ୍ତା ଓ ଟିକେଟ୍ ଆଶାୟୀଙ୍କ ଭିଡ଼ ଲାଗିଥିଲା। ଜୟନ୍ତୀ ପାଳନରେ କର୍ମୀଙ୍କ ଯେତିକି ଉତ୍ସାହ ନଥିଲା, ଟିକେଟ୍ ସୁନିଶ୍ଚିତ କରିବାକୁ ନେଇ ଲବି କରୁଥିବା ଅଧିକ ଦେଖାଯାଇଥିଲା। ଏହି ସମୟରେ ସେଠାରେ ଏକ ଗୁଜବ ଉଠିଲା ଯେ, ବିଜେଡି ପକ୍ଷରୁ ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ମୁକୁନ୍ଦପ୍ରସାଦର ପୂର୍ବତନ କାଉନ୍ସିଲର୍ କନକଲକ୍ଷ୍ମୀ ମହାନ୍ତିଙ୍କୁ ଟିକେଟ୍ ଦିଆଯାଇଛି। ଏହାପରେ ଆଶାୟୀ ଥିବା ପ୍ରାର୍ଥୀ ଓ ସମର୍ଥକମାନେ ତାତି ଉଠିଥିଲେ। ସେଠାରେ ମହିଳାଙ୍କ ଉପସ୍ଥିତିକୁ ଖାତିର ନକରି ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ। ଶେଷରେ ଜଣେ ବିଜେଡି ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀଙ୍କ ସହ ଦୁଇଜଣ ଯୁବକ ବିଧାୟକ ଶ୍ରୀ ମିତ୍ରଙ୍କ ଆଡ଼କୁ ଝପଟି ଆସିବା ସହ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବାକୁ ଲାଗିଥିଲେ। ବିଧାୟକଙ୍କ ସମର୍ଥକ ଓ ସେମାନଙ୍କ ମଧ୍ୟରେ କିଛି ସମୟ ଠେଲାପେଲା ହୋଇଥିଲା। ଶେଷରେ ସେଠାରେ ନିୟୋଜିତ ଥିବା ପୁଲିସ ହସ୍ତକ୍ଷେପ କରିବା ସହ ବିଧାୟକଙ୍କୁ ଅସଦ୍ବ୍ୟବହାର କରିଥିବା ଦୁଇଜଣଙ୍କୁ ଧରି ଆଣିଥିଲା।
ଏହି ଘଟଣାରେ ବିଧାୟକ ଶ୍ରୀ ମିତ୍ର କହିଛନ୍ତି ଯେ ଅଧ୍ୟକ୍ଷ ପଦ ପାଇଁ ୧୨ଜଣ ନିଜର ଦାବିପତ୍ର ଦେଇଛନ୍ତି। ସେମାନଙ୍କ ଦାବିକୁ ରାଜ୍ୟ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିଧିବଦ୍ଧ ଭାବରେ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ। ରାତିସୁଦ୍ଧା ନାମ ଘୋଷଣା ହେବାର ସମ୍ଭାବନା ରହିଛି। ବିଜେଡି ଏକ ବିଶାଳ ଦଳ। ଏଭଳି ଅସନ୍ତୋଷ ରହିବା ସ୍ବାଭାବିକ। ତେବେ ଦଳ ଏକ ଶୃଙ୍ଖଳିତ ଦଳ। ତେଣୁ ଦଳ ଯାହାକୁ ପ୍ରାର୍ଥୀ କରିବ ତାଙ୍କୁ ଅନ୍ୟମାନେ ଗ୍ରହଣ କରିବେ। ଏଥର ବିଜେଡି ଖୋର୍ଦ୍ଧା ପୌର ପରିଷଦ ନିର୍ବାଚନରେ ବିପକ୍ଷ ପ୍ରାର୍ଥୀଙ୍କଠାରୁ ୧୦ ହଜାରରୁ ଅଧିକ ଭୋଟ୍ରେ ଜିତିବ। ଅପରପକ୍ଷରେ, ଏନେଇ ଥାନା ଅଧିକାରୀ ସଞ୍ଜୟ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ଗଣ୍ତଗୋଳ ନେଇ କେହି ଲିଖିତ ଅଭିଯୋଗ କରିନାହାନ୍ତି କିମ୍ବା କାହାରିକୁ ଅଟକ ରଖାଯାଇନାହିଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Khordha-Bidhayak-Jyoti-Mitra-750x430-1.jpg)