ଖୋର୍ଦ୍ଧା-ନୟାଗଡ଼ ୫୭ ନମ୍ବର ଜାତୀୟ ରାଜପଥ ଦୋହରୀକରଣରେ ବିଳମ୍ବ, ସରକାରଙ୍କ ତାଗିଦ ସତ୍ୱେ ହେଉନାହିଁ ନିର୍ମାଣ

ଖୋର୍ଦ୍ଧା: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଠାରୁ ନୟାଗଡ଼ ରାସ୍ତାର ଦୋହରୀକରଣ, ବାଘମାରି ଠାରେ ବାଇପାସ୍ ନିର୍ମାଣ ପାଇଁ ପ୍ରସ୍ତାବକୁ ପ୍ରାୟ ୬ ବର୍ଷ ଧରି ଅନୁମୋଦନ ଓ ଅନୁଦାନ ମିଳିସାରିଥିଲେ ମଧ୍ୟ ଏଯାଏଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ।  ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଓଡ଼ିଶାର ପୂର୍ବ ଭାଗ ଓ ପଶ୍ଚିମ ଭାଗକୁ ସଂଯୋଗ କରୁଥିବାରୁ ଏହାର ସାଂସ୍କୃତିକ, ପ୍ରଶାସନିକ ଓ ଅର୍ଥନୈତିକ ଦୃଷ୍ଟିରୁ ଅନେକ ଗୁରୁତ୍ୱ ବହନ କରିଥାଏ । ତେବେ ରାଜପଥ ନିର୍ମାଣର ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଜାତୀୟ ରାଜପଥର ବିକାଶ ହୋଇପାରିନାହିଁ । ମରାମତିର ଅଭାବ ଓ ସଂକୀର୍ଣ୍ଣତା ଯୋଗୁଁ ଏହି ରାସ୍ତାରେ ନିୟମିତ ଭାବେ ଛୋଟବଡ଼ ଦୁର୍ଘଟଣା ଘଟି ଅନେକ ଧନଜୀବନ ନଷ୍ଟ ହେଉଛି ।

ପ୍ରାୟ ୬ ବର୍ଷ ପୂର୍ବେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଠାରୁ ନୟାଗଡ଼ ରାସ୍ତାର ଦୋହରୀକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରସ୍ତାବ ଉପରେ ୨୦୧୬ ଡିସେମ୍ବର ୨୬ ତାରିଖରେ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ଜାତୀୟ ରାଜପଥ ନିର୍ମାଣରେ ନିୟୋଜିତ ପୂର୍ତ ବିଭାଗକୁ ଟେଣ୍ଡର ଡାକିବା ଓ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ଦେଇଥିଲେ । ୨୦୧୭ରେ ଏନେଇ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଟେଣ୍ଡର ନିୟମାନୁସାରେ, ୫୪.୪୦୦ କିଲୋମିଟର ରାସ୍ତା ପାଇଁ ୧୬୧.୦୮ କୋଟି ଟଙ୍କା ଅନୁଦାନ ଦିଆଯାଇଥିଲା । ଏହି କାମ ୭୨ ମାସ ଅର୍ଥାତ୍ ୬ ବର୍ଷ ମଧ୍ୟରେ ଶେଷ କରିବାକୁ କୁହାଯାଇଥିଲା । ଉଡ୍ହିଲ୍ ଇନ୍ଫ୍ରାଷ୍ଟ୍ରକ୍ଚର ଲିଃ ଏହି ଟେଣ୍ଡର ପାଇଥିଲା । କିନ୍ତୁ ଏହା ମଧ୍ୟରେ ୬ ବଷ ବିତିଯାଇଛି କିନ୍ତୁ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଆଗେଇ ପାରିନାହିଁ । ବିଭାଗୀୟ ସୂତ୍ରରୁ ଜଣାଯାଇଛି ଯେ ରଣାନଦୀ ଉପରେ ପୋଲ ନିର୍ମାଣ ଓ ବାଘମାରି ବାଇପାସ୍ ନିର୍ମାଣ ନେଇ ବୈଷୟିକ ପ୍ରସ୍ତାବକୁ ଅନୁମୋଦନ ମିଳିନଥିବାରୁ ସଡ଼କ ନିର୍ମାଣ ଅଟକି ରହିଛି ।

ତେବେ ଏନେଇ ଅନୁସନ୍ଧାନରେ ଜଣାଯାଇଛି ଯେ ଚଳିତ ମାସ ୮ ତାରିଖରେ ଜାତୀୟ ରାଜପଥର ଉତ୍ତର ସର୍କିଲ୍ର ମୁଖ୍ୟଯନ୍ତ୍ରୀ ସମ୍ପୃକ୍ତ ଠିକାସଂସ୍ଥାକୁ ଚିଠି ଲେଖି ଏନେଇ ତାଗିଦ୍ କରିଛନ୍ତି । ଚିଠିରେ ଦର୍ଶାଇଛନ୍ତି ଯେ ଠିକା କମ୍ପାନୀ ପକ୍ଷରୁ ବାଘମାରି ବାଇପାସ୍ ନିର୍ମାଣର ସମୟ ସଂପ୍ରସାରଣ ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମତି ଦିଆଯାଇଛି । ତେବେ ରଣାନଦୀ ଉପରେ ପୋଲର ନିର୍ମାଣ ମାର୍ଚ୍ଚ ୨୦୨୨ ସୁଦ୍ଧା ଶେଷ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । କେବଳ ଏହାନୁହେଁ ଚଳିତ ବର୍ଷ ଅଗଷ୍ଟ ୧୩ ତାରିଖରେ ଏନେଇ ଜାତୀୟ ରାଜପଥ ପ୍ରାଧିକରଣ, ଜିଲ୍ଲାପାଳଙ୍କ ମଧ୍ୟରେ ହୋଇଥିବା ବୈଠକରେ ରାସ୍ତାର ଦୋହରୀକରଣ ପାଇଁ ଜମି ଅଧିଗ୍ରହଣ ହୋଇସାରିଥିବା ଓ ଅଧିକୃତ ଜମିର କ୍ଷତିପୂରଣ ବଂଟନ ହୋଇସାରିଥିବାରୁ ତୁରନ୍ତ ସେହି ଜମିରେ ନିର୍ମାଣ କାର୍ଯ୍ୟ କରିବାକୁ ସମ୍ପୃକ୍ତ ଠିକା ସଂସ୍ଥାକୁ କୁହାଯାଇଥିଲା । ଏହା ମଧ୍ୟରେ ପ୍ରାୟ ୫ ମାସ ବିତିଯାଇଥିଲେ ମଧ୍ୟ ସମ୍ପୃକ୍ତ ଠିକା ସଂସ୍ଥା ପୋଲ ନିର୍ମାଣ ଆରମ୍ଭ କରିବାତ ଦୂରର କଥା ମାଟିର ଯାଂଚ ମଧ୍ୟ କରିନାହିଁ ।

ସମ୍ବନ୍ଧିତ ଖବର