ବଲାଙ୍ଗୀର : ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଅଶ୍ୱିନୀ ବୈଷ୍ଣବ ଏବେ ରେଳ ମନ୍ତ୍ରୀ। ମନ୍ତ୍ରୀ ହେବାର ପ୍ରାୟ ଗୋଟିଏ ସପ୍ତାହ ପରେ ଗତ ୧୪ ତାରିଖରେ ଅଶ୍ୱିନୀ ଅଧରାତିରେ ଓଡ଼ିଶା ରେଳ ମାନଚିତ୍ର ଧରି ଅଧୁରା ପ୍ରକଳ୍ପ ସଂର୍ପକରେ ସମୀକ୍ଷା କରିଥିଲେ। ଏହା ପରେ ଏକ ଭିଜୁଆଲ ଟ୍ୱିଟ୍ କରିଥିଲେ। ସେଥିରେ ସେ କହୁଛନ୍ତି ଖୋର୍ଦ୍ଧା-ବଲାଙ୍ଗୀର ସ୍ଥିତି କଣ? ସମୀକ୍ଷା ସମୟରେ ମନ୍ତ୍ରୀଙ୍କ ଫୋକସ୍ରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଥିବାରୁ ଏହା ଶୀଘ୍ର ସଂପୂର୍ଣ୍ଣ ହେବା ନେଇ ଲୋକଙ୍କ ମଧ୍ୟରେ ଆଶା ସଂଚାର ହୋଇଛି।
ଖୋର୍ଦ୍ଧା-ବଲାଙ୍ଗୀର କେବଳ ଏକ ରେଳ ଲାଇନ ନୁହେଁ, ଏହା ପୂର୍ବ ଓ ପଶ୍ଚିମ ଓଡ଼ିଶାର ସଂପର୍କ ଓ ସଂସ୍କୃତିର ସେତୁ ହେବ। ପ୍ରକଳ୍ପର ସାଂପ୍ରତିକ ସ୍ଥିତିକୁ ଦେଖିଲେ ଅନେକ ଆଶା ଉଜ୍ଜୀବିତ ହେଉଛି। ଗତ ୨୦୧୯ ମସିହା ଜାନୁଆରି ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀର ଗସ୍ତରେ ଆସି ବଲାଙ୍ଗୀର ପଟୁ ବିଛୁପାଲି ଯାଏ ରେଳ ଚଳାଚଳ ଆରମ୍ଭ କରାଇଥିଲେ। ଏବେ ଏହି ଲାଇନ୍ରେ ୧୯ କିମି ଟ୍ରେନ୍ ଚାଲୁଛି। ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରି ୨୦୨୧ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ୨୦୧୫ ମସିହା ଜୁଲାଇ ୨୦ ତାରିଖ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭିତରେ ୫୦-୫୦ ଚୁକ୍ତିନାମା ହୋଇଥିଲା।
କିନ୍ତୁ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ ଯୋଗୁଁ ଧାର୍ଯ୍ୟ ସମୟ ଭିତରେ ପ୍ରକଳ୍ପ ସଂପୂର୍ଣ୍ଣ ହୋଇନଥିଲା। ଏବେ କିନ୍ତୁ ପ୍ରକଳ୍ପର କାମ ଦ୍ରୁତ ଗତିରେ ଆଗଉଥିବା ଜଣାପଡ଼ିଛି। ବିଛୁପାଲି ଆଗକୁ କାମ ଜୋରସୋରରେ ଚାଲିଛି। ଏବେ ନୂଆ ରେଳ ମନ୍ତ୍ରୀଙ୍କ ସମୀକ୍ଷାରେ ଏହି ପ୍ରକଳ୍ପର ନାଁ ଆସିଥିବାରୁ ଖୁବ୍ ଶୀଘ୍ର ପ୍ରକଳ୍ପ ସଂପୂର୍ଣ୍ଣ ହେବ ଏବଂ ବାସ୍ତବତାର ରୂପ ନେବ ବୋଲି ଆଶା କରାଯାଉଛି।
ବଲାଙ୍ଗୀରରୁ ବୌଦ୍ଧ ଯାଏ ସ୍ଥିତି
ବଲାଙ୍ଗୀର ଜିଲ୍ଲାରେ ୧୯ କିମି ରେଳପଥ ନିର୍ମାଣ ସରିଛି। ଟ୍ରେନ୍ ବି ଚାଲୁଛି। ସୁବର୍ଣ୍ଣପୁର ଜିଲ୍ଲାରେ ୪୯ କିମି ରେଳପଥ ନିର୍ମାଣ ହେବାକୁ ଥିବା ବେଳେ ଘରୋଇ ସରକାରୀ ଓ ଜଙ୍ଗଲ ଜମି ମିଶି ସମସ୍ତ ୮୨୧ .୪୪୮ ହେକ୍ଟର ଜମି ଅଧିଗ୍ରହଣ ସରିଛି। ତେଣୁ ସୁବର୍ଣ୍ଣପୁର ଜିଲ୍ଲାରେ ଏବେ ଜୋରସୋରରେ ରେଳପଥ ନିର୍ମାଣ କାମ ଜାରି ରହିଛି। ବୌଦ୍ଧ ଜିଲ୍ଲାରେ ୧୧୦ କିମି ରେଳପଥ ନିର୍ମାଣ ହେବାକୁ ଥିବା ବେଳେ ୧୦୨ଟି ଗାଁର ପ୍ରଭାବିତ ହେବ। ଘରୋଇ ଜମି ୨୧୫୮. ୬୫୫ ହେକ୍ଟର ଓ ସରକାରୀ ଜମି ୯୦୮.୪୨୦ ହେକ୍ଟର ଓ ଜଙ୍ଗଲ ଜମି ୩୧୫.୫୪୯ ହେକ୍ଟର ଅଧିଗ୍ରହଣ ପ୍ରାୟ ହୋଇସାରିଛି। ଉଭୟ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ଜମି ଅଧିଗ୍ରହଣ ସରିଥିବା ବେଳେ ଏବେ କିଛି କିଛି ଜାଗାରେ ମାଟି ଓ ପୋଲ କାମକୁ ତ୍ୱରାନ୍ୱିତ କରାଯାଉଛି। ୧୯୯୪-୯୫ ମସିହାରେ ମଞ୍ଜୁର ପାଇଥିବା ଏହି ପ୍ରକଳ୍ପର ବ୍ୟୟ ଅଟକଳ ଥିଲା ମାତ୍ର ୪୦୦ କୋଟି। କିନ୍ତୁ ବିଳମ୍ବ ଯୋଗୁଁ ଏହା ୪ ହଜାର କୋଟିକୁ ଟପିଲାଣି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/balangir-rail.jpg)