ଆଗକୁ ବଢ଼ିଲା ଖୋର୍ଧାରୋଡ-ବଲାଙ୍ଗୀର ରେଳପଥ, ୨୦ ଦିନରେ ୯୭ ଏକର ଜମି ଅଧିଗ୍ରହଣ

ଭୁବନେଶ୍ବର : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଗସ୍ତ ପରେ ଖୋର୍ଧାରୋଡ୍‌-ବଲାଙ୍ଗୀର ରେଳପଥ କାର୍ଯ୍ୟ ବ୍ୟାପକ ଅଗ୍ରଗତି କରିଛି। ୨୦ଦିନ ମଧ୍ୟରେ ରେଳ ଲାଇନ୍‌ ନିର୍ମାଣ ପାଇଁ ୯୭ଏକର ଜମି ଅଧିଗ୍ରହଣ କରାଯାଇଛି। ଦୁଇ କିମି ଟ୍ରାକ୍‌ ନିର୍ମାଣ, ୭ଟି ଛୋଟ ପୋଲ୍‌ କାମ ଶେଷ ହୋଇଛି। ୩୯ଛୋଟ ଓ ୭ଟି ବଡ଼ ପୋଲର କାମ ଜାରି ରହିଛି। ୨୫ ହଜାର ରେଳ ଧାରଣା ପରିବହନ କରାଯାଇଛି। ବନ୍ୟପ୍ରାଣୀ ସମ୍ପର୍କିତ କ୍ଲିୟରାନ୍ସ ମଧ୍ୟ ମିଳିଛି। ତେଣୁ ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ‌ରୂପ ନେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହଯୋଗକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ।

ଏହାବ୍ୟତୀତ ଗସ୍ତ ପରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ହିସାବ ମଧ୍ୟ ଦେଇଥିଲେ। ଶ୍ରୀ ବୈଷ୍ଣବ କହିଥିଲେ ଯେ କୋରାପୁଟ-ରାୟଗଡ଼ା ରେଳ ଲାଇନ୍‌ର ଦେହରୀକରଣ, ଜୟପୁର-ମାଲକାନଗିରି ପ୍ରକଳ୍ପ, ଜୟପୁର-କୋରାପୁଟ ପ୍ରକଳ୍ପ, ଥିରୁବାଲି-ଗୁଣୁପୁର ପ୍ରକଳ୍ପ କାର୍ଯ୍ୟକାରୀ ଦିଗରେ ପଦକ୍ଷେପ ନିଆଯାଇଛି। କୋରାପୁଟ ଓ ମାଲକାନଗିରି ଜିଲ୍ଲାର ପୋଷ୍ଟ ଅଫିସରେ ଯେଉଁ ସମସ୍ୟା ହୋଇଥିଲା, ମାସେ ଭିତରେ ତାହାର ସମାଧାନ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲି। ଏହି ସମୟ ମଧ୍ୟରେ ୩୭ଜଣ ଅଫିସରଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ଟି ସିବିଆଇ ମାମଲା ହୋଇଛି। ୭୦ରୁ ଅଧିକ ଅଭିଯୋଗ ଆସିଥିବା ବେଳେ ୧୦ଟି ମାମଲାର ସମାଧାନ ହୋଇଛି। ବାକି ମାମଲାଗୁଡ଼ିକର ଖୁବ୍‌ଶୀଘ୍ର ସମାଧାନ କରାଯିବ।

ସମ୍ବନ୍ଧିତ ଖବର