ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ: ଖୋର୍ଦ୍ଧାରୁ ତ୍ବରିତ, ବଲାଙ୍ଗୀରରୁ ମନ୍ଥର

ମହୀପୁର-ନୂଆଗାଁ କାମ ସମୟରେ ସରିଲା, ବିଛୁପାଲି-ଝାରତରଭା ଫେଲ୍ ମାରିଲା

ସମ୍ବଲପୁର:‌ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ଶୀଘ୍ର ପୂରା କରିବା ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଏହାପରେ କଚ୍ଛପ ଗତିରେ ଚାଲିଥିବା ଏହି ବୃହତ୍ ପ୍ରକଳ୍ପ ଶୀଘ୍ର ପୂରା ହେବ ବୋଲି ରାଜ୍ୟବାସୀଙ୍କ ମନରେ ଆଶା ସଂଚାର ହୋଇଥିଲା। କିଛି ମାତ୍ରାରେ କାମ ତ୍ବରାନ୍ବିତ ବି ହୋଇଛି। ଉଭୟ ଖୋର୍ଦ୍ଧା ଓ ବଲାଙ୍ଗୀର ପାର୍ଶ୍ବରୁ ଏହାର କାମ ଚାଲିଛି। ହେଲେ ଖୋର୍ଦ୍ଧା ପଟୁ ଏହି କାମ ଯେତେ ଦ୍ରୁତ ଗତିରେ ହେଉଛି ବଲାଙ୍ଗୀର ପାର୍ଶ୍ବରୁ ସେତିକି ଧିମେଇ ଯାଇଛି। ପଶ୍ଚିମ ଓଡ଼ିଶା ପ୍ରତି ବିଭିନ୍ନ କ୍ଷେତ୍ରରେ ସରକାରୀ ପାତରଅନ୍ତର ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିବା ବେଳେ ରେଳବାଇର ଏଭଳି କାର୍ଯ୍ୟ ଅବହେଳାର ତାଲିକାକୁ ଆହୁରି ଲମ୍ବା କରିଛି।

ପ୍ରଗତି ପଥେ ଥିବା ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପର ଭିନ୍ନ ଭିନ୍ନ ଅଂଶ କାମ ଶେଷ କରିବା ପାଇଁ ଦକ୍ଷିଣ ପୂର୍ବ ରେଳ ସର୍କଲ୍‌ର ରେଳ ନିରାପତ୍ତା କମିସନର୍‌ (ସିଆର୍‌ଏସ୍‌) ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏହି କ୍ରମରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଖୋର୍ଦ୍ଧା ପାର୍ଶ୍ବରୁ ମହିପୁର ଷ୍ଟେସନ୍‌ ପର୍ଯ୍ୟନ୍ତ କାମ ସରିଥିବାବେଳେ ମହିପୁରରୁ ନୂଆଗାଁ ପର୍ଯ୍ୟନ୍ତ ୧୩.୦୫ କିଲୋମିଟର୍ ଲାଇନ୍‌ର କମିସନିଂ ପାଇଁ ଗତ ଫେବ୍ରୁଆରି ୨୫ ତାରିଖ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏହି କାମ ପୂରା ଗତିରେ ହୋଇ ପ୍ରାୟ ପ୍ରାୟ ସମୟରେ ଶେଷ ହୋଇଥିଲା। ଗତ ମାର୍ଚ୍ଚ ୨୩ ତାରିଖରେ ସିଆର୍‌ଏସ୍‌ ଯାଞ୍ଚ, ସ୍ପିଡ୍‌ ଟ୍ରାଏଲ୍ ପରେ ଲାଇନ୍‌ର କମିସନିଂ ମଧ୍ୟ ହୋଇଥିଲା। କିନ୍ତୁ ବଲାଙ୍ଗୀର ପଟୁ ବିଛୁପାଲି ପର୍ଯ୍ୟନ୍ତ ଲାଇନ୍‌ର କମିସନିଂ ବହୁ ପୂର୍ବରୁ ସରିଥିବା ବେଳେ ବିଛୁପାଲିରୁ ଝାରତରଭା ଯାଏ ୧୦.୩୫ କିଲୋମିଟର୍‌  କାମ ଶେଷ କରିବାକୁ ଗତ ମାର୍ଚ୍ଚ ୩୦ ତାରିଖ ଧାର୍ଯ୍ୟ ହୋଇଥିଲା। ମାର୍ଚ୍ଚ ୩୦ରେ ସିଆର୍‌ଏସ୍ ଯାଞ୍ଚ ଓ ସ୍ପିଡ୍‌ ଟ୍ରାଏଲ୍‌ ତାରିଖ ନିର୍ଦ୍ଧାରିତ ହୋଇଥିଲା। କିନ୍ତୁ ଉକ୍ତ କଣ୍ଟ ପୂରି ଆହୁରି ୨ ମାସ ବିତି ଯାଇଥିଲେ ବି ବର୍ତ୍ତମାନ ସୁଦ୍ଧା କାମ ଶେଷ ହୋଇ ନାହିଁ। ଏଯାବତ୍ କେବଳ ବିଛୁପାଲିରୁ ଝାରତରଭା ଯାଏ ଟ୍ରାକ୍ ଲିଂକିଂ ହୋଇଛି। କିନ୍ତୁ କୌଣସି ଫିନିିସିଂ କାମ ହୋଇପାରି ନାହିଁ। ସିଗ୍‌ନାଲିଂ, ଇଲେକ୍ଟ୍ରିକାଲ୍, ମେକାନିକାଲ୍, ସିଭିଲ୍‌ ଆଦି କାମ ଆହୁରି ବାକି ଅଛି। ଝାରତରଭା ଷ୍ଟେସନ୍ ନିର୍ମାଣ କାମ ସରି ନାହିଁ।

ଖୋର୍ଦ୍ଧା-ନୟାଗଡ଼ ପାର୍ଶ୍ବରେ ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳ ପଡ଼ୁଥିବାରୁ ସେଠାରେ ଘାଟି ଓ ପଥର କଟା, ଜଙ୍ଗଲ ସଫା ଆଦି କଠିନ କାମ ସମୟରେ ଶେଷ ହୋଇଛି। ହେଲେ ବଲାଙ୍ଗୀର-ବିଛୁପାଲି ପଟୁ ସମତଳ ଭୂମି ଥିବା ସତ୍ତ୍ବେ କାମ ବିଳମ୍ବ ହେବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଅଂଶ ନିର୍ମାଣ ଦାୟିତ୍ବରେ ଥିବା ବଲାଙ୍ଗୀରରେ ଅବସ୍ଥାପିତ ରେଳବାଇର ଡେପୁଟି ଚିଫ୍ ଇଂଜିନିୟର୍‌ (ନିର୍ମାଣ)ଙ୍କ ଅବହେଳା ଓ ତତ୍ପରତାର ଅଭାବ କାରଣରୁ ନିର୍ମାଣ କାର୍ଯ୍ୟ ଠିକ୍‌ରେ ଅାଗକୁ ବଢ଼ିପାରୁ ନାହିଁ। ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ତଥା ପ୍ରକଳ୍ପ ପ୍ରବନ୍ଧକ ଓ ମୁଖ୍ୟ ପ୍ରଶାସନିକ ଅଧିକାରୀଙ୍କ ଭଳି ଉପରିସ୍ଥ ଅଧିକାରୀ ମାନେ ବି ବଲାଙ୍ଗୀର ପାର୍ଶ୍ବରୁ କାମ ତ୍ବରାନ୍ବିତ କରିବାକୁ ଗୁରୁତ୍ବ ଦେଉ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ତେଣୁ ତୁରନ୍ତ ଦକ୍ଷ ଅଧିକାରୀ ଅବସ୍ଥାପିତ କରି ବଲାଙ୍ଗୀର ପାର୍ଶ୍ବରୁ ବି କାମ ତ୍ବରାନ୍ବିତ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର