ଭୁବନେଶ୍ବର/ବଲାଙ୍ଗୀର : ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳଲାଇନ ପ୍ରକଳ୍ପରେ ଜଙ୍ଗଲ ଜମିକୁ ଫରେଷ୍ଟ କ୍ଲିଅରାନ୍ସ ବା ଜଙ୍ଗଲ ଅନୁମତି ମିଳିଛି। ପ୍ରକଳ୍ପରେ ଜଙ୍ଗଲ ଜମି ମୁଖ୍ୟ ସମସ୍ୟା ହୋଇ ରହିଥିଲା। ଏବେ ପୁରୁଣାକଟକରୁ ଦଶପଲ୍ଲା ଯାଏ (୬୮କିମି) ପାଇଁ ଜଙ୍ଗଲ ବିଭାଗର ଅନୁମତି ମିଳିଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହି ୬୮କିମି ରେଳ ଲାଇନ କାମ ପାଇଁ ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା ହେବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏଥିସହିତ, ଜଙ୍ଗଲ ଅନୁମତି ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

୩୦୧ କିମିରୁ କାର୍ଯ୍ୟକ୍ଷମ ହୋଇଛି ୧୧୫ କିମି
ମାର୍ଚ୍ଚ ସୁଦ୍ଧା ଯୋଡ଼ିହେବ ଆଉ ୩୭ କିମି

୨୦୧୯ ମସିହା ଜାନୁଆରି ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀର ଗସ୍ତରେ ଆସି ବଲାଙ୍ଗୀର ପଟୁ ବିଛୁପାଲି ଯାଏ(୧୯କିମି) ରେଳ ଚଳାଚଳର ଶୁଭାରମ୍ଭ କରିଥିଲେ। ଏହାରି ଭିତରେ ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରାଯାଇ ସୁବର୍ଣ୍ଣପୁର ଜିଲ୍ଲା ଝାରତରଭା ଷ୍ଟେସନ ଯାଏ ଟ୍ରାଏଲ୍‌ ରନ୍‌ ସରିଛି। ସୁବର୍ଣ୍ଣପୁର ଜିଲ୍ଲାରେ ମୋଟ ୪୯ କିମି ରେଳପଥ ନିର୍ମାଣ ହେବାକୁ ଥିବାବେଳେ ପ୍ରାୟତଃ ଜମି ଅଧିଗ୍ରହଣ ସରିଯାଇଛି। ବୌଦ୍ଧ ଜିଲ୍ଲାରେ ୧୧୦ କିମି ରେଳପଥ ନିର୍ମାଣ ହେବାକୁ ଥିବା ବେଳେ ଘରୋଇ ଜମି, ସରକାରୀ ଜମିର ଅଧିଗ୍ରହଣ ସରିଛି। ସେପଟେ ନୟାଗଡ଼ ପଟରୁ ନୂଆଗାଁ, ମହୀପୁର ଯାଏ ଟ୍ରେନ୍‌ ଗଡ଼ିଛି। ମଝିରେ କେବଳ ଜଙ୍ଗଲ ଜମି ହିଁ ପ୍ରକଳ୍ପ ପାଇଁ ବଡ଼ ସମସ୍ୟା ଥିଲା। ବିଶେଷକରି ବୌଦ୍ଧ ଜିଲ୍ଲାର ପୁରୁଣାକଟକ, ଚାରିଛକରୁ ଦଶପଲ୍ଲା ଯାଏ ଜଙ୍ଗଲ ଜମି ଅନୁମୋଦନ ପାଇନଥିଲା। ଯାହାକୁ ଏବେ ଜଙ୍ଗଲ ଅନୁମତି ମିଳିସାରିଛି। ଏବେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ଦ୍ରୁତଗତିରେ ଆଗେଇବ ବୋଲି ଆଶା କରାଯାଉଛି।

publive-image youtube.com

ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରକଳ୍ପ ବଲାଙ୍ଗୀର, ସୁବର୍ଣ୍ଣପୁର, ଫୁଲବାଣୀ, ବୌଦ୍ଧ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାକୁ ସଂଯୋଗ କରିବ। ପଶ୍ଚିମ ଓ ଉପକୂଳ ଓଡ଼ିଶା ମଧ୍ୟରେ ଆଉ ଏକ ରେଳ ସଂଯୋଗ ସ୍ଥାପନ କରିବ। ୧୯୯୪-୯୫ରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଥିଲେ ମଧ୍ୟ ଜଙ୍ଗଲ ମଞ୍ଜୁରି ସହ ଅନ୍ୟାନ୍ୟ ସମସ୍ୟା ପାଇଁ ଏହି ପ୍ରକଳ୍ପ ବିଳମ୍ବିତ ହେଉଥିଲା। ୨୦୧୪-୧୫ ଆର୍ଥିକ ବର୍ଷରୁ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯାଇଛି। ଏବେ ସୁଦ୍ଧା ୩୦୧ କିମି ମଧ୍ୟରୁ ୧୧୫ କିମି(ଖୋର୍ଦ୍ଧା ରୋଡରୁ ନୂଆଗାଁ ପର୍ଯ୍ୟନ୍ତ ୯୦ କିମି ଏବଂ ବଲାଙ୍ଗୀରରୁ ଝରତରଭା ପର୍ଯ୍ୟନ୍ତ ୨୫ କିମି) ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଛି। ଖୋର୍ଦ୍ଧାରୋଡ ପାର୍ଶ୍ୱରୁ ନୂଆଗାଁଠାରୁ ଦଶପଲ୍ଲା ଏବଂ ବଲାଙ୍ଗୀର ପାର୍ଶ୍ୱରୁ ଝରତରଭାରୁ ଖମ୍ବେଶ୍ୱରପାଲି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚଳିତ ଆର୍ଥିକ ବର୍ଷ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆବଶ୍ୟକ ଜମି, ଜଙ୍ଗଲ ମଞ୍ଜୁର ହସ୍ତାନ୍ତର କରିବାରେ ବିଳମ୍ବ ହେତୁ ପ୍ରକଳ୍ପର ମନ୍ଥର ଅଗ୍ରଗତି ହୋଇଥିଲା। ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ୬୮ କିମି ମଧ୍ୟରେ ଥିବା ୧୪୬୯ ଏକର ଜଙ୍ଗଲ ଜମି ପାଇଁ ବିଚାରାଧୀନ ଥିଲା।

୨୦୨୩ ମାର୍ଚ୍ଚ ସୁଦ୍ଧା ନୂଆଗାଁ-ଦଶପଲ୍ଲା ମଧ୍ୟରେ ୧୫.୫ କିମି ରେଳ ସେକ୍ସନ ମଧ୍ୟରେ ୫୭ଟି ମାଇନର୍ ଓ ୩ଟି ମେଜର ବ୍ରିଜ୍, ୧୫ ରୋଡ୍ ଅଣ୍ଡର ବ୍ରିଜ୍(ଆରୟୁବି), ୪ଟି ରୋଡ୍ ଓଭର ବ୍ରିଜ୍(ଆରଓବି) ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ମାର୍ଚ୍ଚ ସୁଦ୍ଧା ଝରତରଭା-ଖମ୍ବେଶ୍ୱରପାଲ୍ଲୀ-ସୋନପୁର ମଧ୍ୟରେ ୨୧.୭୦ କିମି ରେଳ ସେକ୍ସନ ସମାପ୍ତ ହେବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ପାଇଁ ଉକ୍ତ ୬୮ କିମି ମଧ୍ୟରେ ୯୭.୫୯ ଏକର ଘରୋଇ, ୨୬୨.୭୫ ଏକର ସରକାରୀ ଜମି ଉପଲବ୍ଧ ରହିଛି। ଏଥିସହ ଜଙ୍ଗଲ ଅନୁମୋଦନ ଠିକ୍‌ ସମୟରେ ମିଳିଲେ ୨୦୨୫ ଡିସେମ୍ବର ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

ସୂଚନାଯୋଗ୍ୟ, ବଜେଟ୍‌ରେ ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପକୁ ଅଧିକ ଫୋକସ୍‌ କରାଯିବା ସହ ପ୍ରକଳ୍ପ ପାଇଁ ୧୫୯୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି।