ପୁରୁଣାକଟକ/ ଚାରିଛକ : ବୌଦ୍ଧ ଜିଲ୍ଲା ଦେଇ ଯାଉଥିବା ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣରେ ବ୍ୟାପକ ଅନିୟମିତତା ଦେଖାଦେଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାନବାଧିକାର କମିସନ ନିର୍ଦ୍ଦେଶ ଦେଇଛନ୍ତି।
ବୌଦ୍ଧ ଜିଲ୍ଲା ଦେଇ ଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ଚାଲିଛି। ଏ ଅଞ୍ଚଳର ଲୋକଙ୍କ ନିରକ୍ଷରତା ଓ ସଚେତନତା ଅଭାବରୁ ଜିଲ୍ଲା ପ୍ରଶାସନ ଓ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ ସେମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସ୍ଥାନୀୟ ମାନବାଧିକାର କର୍ମୀ ପ୍ରତିନିଧି ସଚୀନ୍ଦ୍ର ସାହୁ ଜାତୀୟ ମାନବାଧିକର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। ବେଆଇନ ଭାବରେ ଜମି ଅଧିଗ୍ରହଣ କରାଯିବା ଫଳରେ ଚାଷୀଙ୍କର ଜୀବନଜୀବିକା ପ୍ରଭାବିତ ହେଉଥିବା ନେଇ ଏହି ଆବେଦନପତ୍ରରେ ଦର୍ଶାଯାଇଥିଲା। ତେଣୁ ଉପଯୁକ୍ତ କ୍ଷତିପୂରଣ ପାଇଁ ସେ ଯୁକ୍ତି ଉପସ୍ଥାପନା କରିଥିଲେ। ଏହି ପ୍ରସଙ୍ଗର ଗୁରୁତ୍ବ ଉପଲବ୍ଧି କରି ମାମଲାର ପ୍ରାଥମିକ ଶୁଣାଣି କରାଯାଇ ଆସନ୍ତା ୮ ସପ୍ତାହ ମଧ୍ୟରେ ଉଚିତ କ୍ଷତିପୂରଣ ପ୍ରଦାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ କର୍ତ୍ତୃପକ୍ଷଙ୍କୁ ମାନ୍ୟବର କମିସନଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏଥିସହ କମିସନଙ୍କ ନିର୍ଦ୍ଦେଶକୁ ଭିତ୍ତିକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କିତ ସବିଶେଷ ରିପୋର୍ଟ ଆବେଦନକାରୀ ଏବଂ କ୍ଷତିଗ୍ରସ୍ତ ପ୍ରଜା ପ୍ରତିନିଧିଙ୍କୁ ଜଣାଇବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି।