ଖୋର୍ଦ୍ଧା: ଗୋଟିଏ ପଟେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରି ରାଷ୍ଟ୍ରୀୟ ବିକାଶ ପାଇଁ ଦୁର୍ନୀତିମୁକ୍ତ ଓ ଉତ୍ତରଦାୟୀ ହେବାକୁ ସରକାରୀ କର୍ମଚାରୀ ଶପଥ ନେଉଛନ୍ତି ଆରପଟେ ନିଜର କର୍ତବ୍ୟହୀନତା ଯୋଗୁଁ କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି ନଷ୍ଟ କରୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ପୌରାଞ୍ଚଳରେ। ୪-୫ ମାସ ପୂର୍ବେ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ଶ୍ରୀରାମଚନ୍ଦ୍ର ଦେଓଙ୍କ ପ୍ରତିମୂର୍ତି ଯାଏଁ ଲକ୍ଷାଧିକ ଟଙ୍କା ମୂଲ୍ୟର ଲଗାଇଥିବା ଗଛ ବର୍ତମାନ ପାଣି ଅଭାବରୁ ଶୁଖି ଗଲାଣି।
ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ଶ୍ରୀରାମଚନ୍ଦ୍ର ଦେଓ ପ୍ରତିମୂର୍ତି ଯାଏଁ ରାସ୍ତା ଖୋର୍ଦ୍ଧା ସହରର ଏକ ପ୍ରମୁଖ ରାସ୍ତା। ଏହି ରାସ୍ତାରେ ୨୦ରୁ ଉର୍ଦ୍ଧ୍ବ ସରକାରୀ କାର୍ଯ୍ୟାଳୟ। ଦୈନିକ ସରକାରୀ ଅଧିକାରୀମାନେ ଏପଟେ ଯିବାଆସିବା କରନ୍ତି। ନିମୟିତ ଭାବେ ପ୍ରକୃତିପ୍ରେମୀ, ପରିବେଶବିତ୍, ବିଭିନ୍ନ ସାମାଜିକ ସଂଗଠନ, ରାଜନୈତିକ ଦଳ ଏଠାରେ ଧାରଣାରେ ବସନ୍ତି। ପ୍ରାୟ ୧ କିମି ଦୀର୍ଘ ଏହି ରାସ୍ତାର ମରାମତି କରାଯାଇ ଦୋହରାକରଣ ହେବା ପରେ ଡିଭାଇଡର ମଝିରେ ଲୁହାବାଡ଼ ଦେଇ ଭଳି କି ଭଳି ମୂଲ୍ୟବାନ ଓ ସୁଦୃଶ୍ୟ ଗଛ ଲଗାଇଯାଇଥିଲା। ପୌର ପରିଷଦ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ ଏଥିପାଇଁ ପ୍ରାୟ ୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରଯାଇଥିଲା। ପ୍ରଥମେ କିଛି ଦିନ ପୌର ପରିଷଦର ଏକ ପାଣି ଟ୍ୟାଙ୍କର ଅପରାହ୍ଣରେ ଗଛଗୁଡ଼ିକୁ ପାଣି ଦେଉଥିଲା। ଅଗଷ୍ଟ ମାସ ବର୍ଷା ଆରମ୍ଭ ହେବା ପରେ ଗଛଗୁଡ଼ିକୁ ବର୍ଷା ଭରସାରେ ଛାଡ଼ି ଦେଇ ଆଉ ପାଣି ଦିଆଗଲା ନାହିଁ କି ଏହାର ପରିଚାଳନା କରାଗଲା ନାହିଁ। ବର୍ତମାନ ବର୍ଷାର ଅଭାବ ରହିଛି, ଗଛଗୁଡ଼ିକ ପାଣି ଅଭାବରୁ ଶୁଖିଗଲାଣି। ଏହି ରାସ୍ତାଦେଇ ଜିଲ୍ଳାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ଠାରୁ ଆରମ୍ଭ କରି ବନ ବିଭାଗର କର୍ମଚାରୀ ଯିବାଆସିବା କରନ୍ତି, କିନ୍ତୁ କେହି ଜଣେ ଏନେଇ ମୁହଁ ଖୋଲିନାହିଁ। ଅଧିକାରୀମାନେ ଚୁପ ରହିବା ଯେତିକି ଆଶ୍ଚର୍ଯ୍ୟଜନକ ନୁହେଁ ତା’ ଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ପୌର ପରିଷଦ ନିର୍ବାହୀ ଅଧିକାରୀ ରିଜୱାନା କ୍ବାକୁମ୍ଙ୍କ ପ୍ରତିକ୍ରିୟା। ଏନେଇପଚାରିବାରେ ସେ କହିଛନ୍ତି ଯେ ବର୍ଷା ଋତୁ ଚାଲୁଥିବାରୁ ପାଣି ଆଉ ଦିଆଯାଇନାହିଁ। ଶୁଖିଯିବା ଘଟଣା ତାଙ୍କ ଦୃଷ୍ଟିକୁ ଆସିନାହିଁ, ​ତେବେ ଏନେଇ ସେ ବ୍ୟବସ୍ଥା କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/Khordha-Municipality-Soundryakaran-namare-Gachha-lagai-bhuligale-3.jpg)