ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ

ସମ୍ବଲପୁର ମହାନଗର ନିଗମ କମିସନର୍‌ ବି ବଦଳିଲେ, ୨୦୧୮ ବ୍ୟାଚ୍‌ର ଆଇଏଏସ୍‌ ଅଫିସର୍‌ଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ କୁମାର ରାଉତଙ୍କର ଆଜି ବଦଳି ହୋଇଛି। ତାଙ୍କ ସ୍ଥାନରେ ନୂଆ ଜିଲ୍ଲାପାଳ ଭାବେ ବରିଷ୍ଠ ଓଏଏସ୍‌ ଅଫିସର୍‌ ସନତ କୁମାର ମହାନ୍ତି ନିଯୁକ୍ତି ପାଇଛନ୍ତି। ଶ୍ରୀ ରାଉତଙ୍କୁ ବ୍ରହ୍ମପୁରରେ ବନ୍ଦୋବସ୍ତ ଅତିରିକ୍ତ କମିସନର୍‌ ଭାବେ ଅବସ୍ଥାପିତ କରାଯାଇଛି। କରୋନା ମହାମାରୀ ସମୟରେ ରାଜ୍ୟରେ ଗଞ୍ଜାମ ପରେ ଖୋର୍ଦ୍ଧା ଜିଲ୍ଲା ହଟ୍‌ସ୍ପଟ୍‌ ଭାବେ ରହିଛି। ଏହି ସ‌ମୟରେ ଜିଲ୍ଲାପାଳଙ୍କ ଅତର୍କିତ ବଦଳି ପାୱାର୍‌ କରିଡର୍‌ରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ଏହା ସହ ସମ୍ବଲପୁର ମହାନଗର ନିଗମର କମିସନର୍‌ ଯୁଗଳେଶ୍ବରୀ ଦାସଙ୍କୁ ବଦଳି କରାଯାଇ ଉତ୍ତରାଞ୍ଚଳ ରାଜସ୍ବ କମିସନର୍‌ଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ କମିସନର୍‌ ଭାବେ ସମ୍ବଲପୁରର ଉପଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।

୨୦୧୮ ବ୍ୟାଚ୍‌ର ଚାରି ଜଣ ଆଇଏଏସ୍‌ ଅଫିସର୍‌ ସେମାନଙ୍କ ଦ୍ବିତୀୟ ପର୍ଯ୍ୟାୟ ତାଲିମ୍ ଶେଷ କଲା ପରେ ନୂଆ ନିଯୁକ୍ତି ପାଇଛନ୍ତି। କୀର୍ତ୍ତି ଭାସନ୍ ଭିଙ୍କୁ ଗଞ୍ଜାମରେ କୋଭିଡ୍‌ ପରିଚାଳନାରେ ଓଏସ୍‌ଡି, ଶୁଭଙ୍କର ମହାପାତ୍ରଙ୍କୁ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଜିଲ୍ଲାପାଳ, ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ସମ୍ବଲପୁରର ଉପଜିଲ୍ଲାପାଳ ଓ ଜେ ସୋନାଲ୍‌ଙ୍କୁ ଗଜପତିରେ କୋଭିଡ୍‌ ପରିଚାଳନାରେ ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏହି ବିଜ୍ଞପ୍ତି ଜାରି ହୋଇଛି।

ସମ୍ବନ୍ଧିତ ଖବର