ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଦୀପ ସାହୁଙ୍କ ଇସ୍ତଫା

ଖୋର୍ଦ୍ଧା: ବେଗୁନିଆ-ବୋଲଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ପୁରୁଖା ତଥା ଟାଣୁଆ କଂଗ୍ରେସ ନେତା ଓ ଜିଲ୍ଲା କଂଗ୍ରେସର ଉପସଭାପତି ପ୍ରଦୀପ ସାହୁଙ୍କ ଦଳରୁ ଇସ୍ତଫା ନେଇ ଅନେକ ଦିନ ଧରି ଆଲୋଚନା ହେଉଥିଲା । ବିଭିନ୍ନ ସମୟରେ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏନେଇ ଇଙ୍ଗିତ ଦେଉଥିଲେ । ଆଜି ତା’ର ଅବସାନ ଘଟିଛି, ସେ ବିଧିବଦ୍ଧ ଭାବେ ଦଳରୁ ଇସ୍ତଫା ଦେଇଛନ୍ତି ।

ଆଜି ସେ ନିଜର ଇସ୍ତଫା ପତ୍ର ରାଜ୍ୟ କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଇଛନ୍ତି । ଏଥିରେ ସେ କହିଛନ୍ତି ଯେ ସେ ଦୀର୍ଘ ଦିନ ଧରି ଦଳର ଏକ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ, କିନ୍ତୁ ଦଳର ସାଂଗଠନିକ କ୍ଷେତ୍ରରେ ତାଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଛି । ଏଣୁ ସେ ଦଳରେ ସୁରକ୍ଷିତ ମନେ କରୁନାହାନ୍ତି । ଏହି କାରଣରୁ ସେ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

ଶ୍ରୀ ସାହୁଙ୍କ ନିଜର ଇସ୍ତଫା ସମ୍ପର୍କିତ ପ୍ରତିକ୍ରିୟାରେ କହିଛନ୍ତି ଯେ ଆସନ୍ତାକାଲି ବେଗୁନିଆ ଓ ବୋଲଗଡ଼ ବ୍ଲକର ପ୍ରତି ପଂଚାୟତରୁ ନିଜର ସମର୍ଥକଙ୍କ ସହ ଭୁବନେଶ୍ୱରରେ ସେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେବେ । ଏନେଇ ସେ ନିଜର ସମର୍ଥକଙ୍କ ସହ ଆଲୋଚନା କରିଛନ୍ତି, ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୫୦୦-୬୦୦ କଂଗ୍ରେସ କର୍ମୀ ଓ ସମର୍ଥକ ତାଙ୍କ ସହ ବିଜେଡିରେ ଯୋଗ ଦେବାକୁ ନିଷ୍ପତ୍ତି ହୋଇଛି ।

ସମ୍ବନ୍ଧିତ ଖବର