ଖୋର୍ଦ୍ଧା ଜିଲ୍ଲାରେ କମୁନି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ: ଏପ୍ରିଲ୍‌ରେ ‘ଶୂନ ମୃତାହତ’ ପାଳନ ପାଇଁ ନିର୍ଦ୍ଦେଶ 

ଖୋର୍ଦ୍ଧା: ରାଜ୍ୟର ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ତାଲିକାରେ ରାଜ୍ୟ ରାଜଧାନୀର ଜିଲ୍ଲା ସର୍ବାଗ୍ରେ ରହିଛି। ଚାଳକଙ୍କ ଅସାବଧନତା, ସଡ଼କର ଦୁରାବସ୍ଥା, ଗାଡ଼ିର ଯାନ୍ତ୍ରିକ ତ୍ରୁଟି ଆଦିରୁ ହୁଏତ ଦୁର୍ଘଟଣା ଘଟୁଥାଇପାରେ କିନ୍ତୁ ପରବର୍ତୀ ସମୟରେ ଆହତଙ୍କୁ ଚିକିତ୍ସାସେବା ଯୋଗାଇବାରେ ଅବହେଳା କାରଣରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଏହି କଥା ଆଉ କେହି ନୁହେଁ ଖୋଦ୍ ସରକାରଙ୍କ ରିପୋର୍ଟ ସ୍ପଷ୍ଟ କରିଛି । ଏହି କାରଣରୁ ପରୀକ୍ଷାମୂଳକ ଭାବେ ଆସନ୍ତା ଏପ୍ରିଲ୍ ୧ ତାରିଖରୁ ୭ ତାରିଖ ଯାଏଁ ୭ ଦିନ ଶୂନ ମୃତାହତ ସପ୍ତାହ ପାଳନ କରିବାକୁ ଜିଲ୍ଲା ପୁଲିସ, ମୋଟରଯାନ ବିଭାଗ ଓ ଚିକିତ୍ସା ବିଭାଗକୁ ନିର୍ଦେଶ ଦିଆଯାଇଛି ।

ରାଜ୍ୟ ସଡ଼କ ପରିବହନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ପୂର୍ବ ବର୍ଷ ତୁଳନାରେ ଦୁର୍ଘଟଣା ସଂଖ୍ୟା ୨୦ ପ୍ରତିଶତରୁ ଅଧିକ ବଢ଼ିଛି । ୨୦୨୧ରେ ଖୋର୍ଦ୍ଧାରେ ୮୧୮ଟି ଛୋଟବଡ଼ ସଡ଼କ ଦୁର୍ଘଟଣା ଘଟିଥିଲା । ଏଥିରେ ୨୮୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୫୬ଜଣ ଆହତ ହୋଇଥିଲେ । ୨୦୨୨ରେ ଏଡି ସଂଖ୍ୟା ୧୦୦୧କୁ ବୃଦ୍ଧି ପାଇଥଲା । ମୃତକଙ୍କ ସଂଖ୍ୟା ୩୩୨ ଓ ଆହତଙ୍କ ସଂଖ୍ୟା ୭୫୨କୁ ବୃଦ୍ଧି ପାଇଥିଲା । ଏହି ଆକଳନରେ ପୂର୍ବ ବର୍ଷ ତୁଳନାରେ ଦୁର୍ଘଟଣା ସଂଖ୍ୟାରେ ୨୨ ପ୍ରତିଶତ ଅଧିକ ବୃଦ୍ଧି ପାଇଥିବା ବେଳେ ମୃତାହତଙ୍କ ସଂଖ୍ୟାରେ ୧୬ ପ୍ରତିଶତ ଅଧିକ ବୃଦ୍ଧି ପାଇଛି ।

ସମଗ୍ର ରାଜ୍ୟରେ ଦୁର୍ଘଟଣା ସଂଖ୍ୟାରେ ମାଲକାନଗିରି (୩୩%), ଦେଓଘର (୩୩%), ଭଦ୍ରକ (୨୩%), କୋରାପୁଟ (୨୩%) ପରେ ଖୋର୍ଦ୍ଧା ଜିଲ୍ଲା ରହିଛି । କିନ୍ତୁ ଚିକିତ୍ସାଳୟ ଓ ଆମ୍ବୁଲାନ୍ସର ସାନ୍ଦ୍ରତାରେ ଅନ୍ୟ ଜିଲ୍ଲାଗୁଡ଼ିକ ଠାରୁ ଖୋର୍ଦ୍ଧା ସବୁଠାରୁ ଆଗରେ ଥିବା ବେଳେ ମୃତାହତଙ୍କ ସଂଖ୍ୟାରେ ସୋନପୁର (୫୩%), ଢେଙ୍କାନାଳ (୩୮%), ଭଦ୍ରକ (୩୬%), ମାଲକାନଗିରି (୩୨%), କୋରାପୁଟ (୨୦%) ପରେ ଖୋର୍ଦ୍ଧା (୧୬%) ଷଷ୍ଠ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର