ଖୋର୍ଦ୍ଧା ବନ୍ୟାକୁ ମାସେ ବିତିଲା : ଏବେ ବି ଅନେକ ସହାୟତାରୁ ବଞ୍ଚିତ

ଖୋର୍ଦ୍ଧା : କରୋନା ମହାମାରୀ ସାଙ୍ଗକୁ ବେଡି ଉପରେ କୋରଡ଼ା ମାଡ଼ ଭଳି ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ମହାନଦୀର ପଛୁଆ ପାଣିରେ ରାଜୁଆ ନଦୀରେ ବନ୍ୟା ଆସିଥିଲା। ଦିନେ ନୁହେଁ କି ଦୁଇ ଦିନ ଦୀର୍ଘ ୧୫ ଦିନ ଧରି ଖୋର୍ଦ୍ଧା ଗ୍ରାମାଞ୍ଚଳର ୪ଟି ବ୍ଲକ୍‌ର ଜନତା ହନ୍ତସନ୍ତ ହେଲେ। ବନ୍ୟାପ୍ରଭାବିତ ଲୋକଙ୍କ ପାଇଁ ସରକାର ଅତିରିକ୍ତ ଚାଉଳ ଓ ଆର୍ଥିକ ସହାୟତା ଘୋଷଣା କରିଥିଲେ। ଏହା ମଧ୍ୟରେ ଦୀର୍ଘ ଏକ ମାସ ବିତିଯାଇଛି।କିନ୍ତୁ ପ୍ରଭାବିତ ଅଞ୍ଚଳର ବହୁ ଲୋକଙ୍କୁ ବନ୍ୟା ସହାୟତା ମିଳିନଥିବା ଅଭିଯୋଗ ହୋଇଛି। ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏ ନେଇ ଆବେଦନପତ୍ର ପଡ଼ିଥିବାବେଳେ ଜିଲ୍ଲାଯୋଗାଣ ବିଭାଗ କିନ୍ତୁ ସହାୟତା ଦିଆ ସରିଥିବା କହିଛନ୍ତି।

ଅଗଷ୍ଟ ୨୪ ତାରିଖରେ ମହାନଦୀର ପଛୁଆପାଣି ଯୋଗୁ ରାଜୁଆ ନଦୀରେ ପାଣି ବଢ଼ି ଆଖପାଖ ଗାଁର ରାସ୍ତାଘାଟ, ଗହୀରକୁ ବୁଡ଼ାଇ ଦେଇଥିଲା। କିନ୍ତୁ ୨୯ ତାରିଖ ରାତିରେ ଜଟଣୀ–ତିରିମଲଠାରେ ୬୦ ଫୁଟର ଘାଇ ସୃଷ୍ଟି ହେବାରୁ ପରିସ୍ଥିତି ବିଗିଡ଼ିଯାଇଥିଲା। ଖୋର୍ଦ୍ଧା ଜିଲ୍ଲାର ୪ଟି ବ୍ଲକ୍‌ ଯଥା ଖୋର୍ଦ୍ଧା, ବାଲିଅନ୍ତା, ବାଲିପାଟଣା ଓ ଜଟଣୀ ବ୍ଲକ୍‌ର ୨୦ଟି ପଞ୍ଚାୟତର ୪୦ଟି ଗାଁ ସମ୍ପୂର୍ଣ୍ଣ ଓ ଆଂଶିକ ଭାବେ ପାଣିଘେରରେ ରହିଥିଲା। ସେପ୍ଟମ୍ବର ୮ ତାରିଖ ଯାଏ ଅଧିକାଂଶ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ୯ତାରିଖରୁ ପରିସ୍ଥିତିରେ ସୁଧାର ଆସିଥିଲା। ୭ ତାରିଖରେ ଜିଲ୍ଲା ପ୍ରଶାସନର ରିପୋର୍ଟ ଅନୁସାରେ ୪ଟି ବ୍ଲକ୍‌ର ୧୦,୬୪୭ (ଭୁବନେଶ୍ବର ବ୍ଲକ୍‌ର ଇଟିପୁର ଓ ଟିକରପଡ଼ା ଆଂଶିକ ପ୍ରଭାବିତଙ୍କୁ ମିଶାଇ) ଜଣ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ। ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ବନ୍ୟାରେ ସମ୍ପୂର୍ଣ୍ଣ/ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ଅତିରିକ୍ତ ୫୦ କିଲୋଗ୍ରାମ ଓ ୫୦୦ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ। ତେବେ ବନ୍ୟାପାଣି ଛାଡ଼ିବାର ପରବର୍ତ୍ତୀ ୧୫ ଦିନ ଯାଏ ରନ୍ଧାଖାଦ୍ୟ ବ୍ୟତୀତ ଅନ୍ୟ ସହାୟତା ଲୋକଙ୍କ ନିକଟରେ ପହଞ୍ଚି ନଥିଲା। ଏନେଇ ଉଭୟ ବିଜେପି ଓ କଂଗ୍ରେସ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ମଧ୍ୟ ଦେଇଥିଲେ।

ସଂପ୍ରତି ଖବର ନେବାରେ ଜଣାଯାଇଛି ଯେ ଖୋର୍ଦ୍ଧା ବ୍ଲକ୍‌ର ସମ୍ପୂର୍ଣ୍ଣ ପାଣିଘେରରେ ଥିବା ନରଣଗଡ଼, ବ୍ରଜମୋହନପୁର, ଓରବରସିଂହ ପଞ୍ଚାୟତର ଅନେକଙ୍କୁ ବନ୍ୟା ସହାୟତା ଏଯାଏ ମିଳିନାହିଁ। ଗତ ୧୦ ଦିନ ମଧ୍ୟରେ ଜିଲ୍ଲାପାଳଙ୍କ ଅଭଯୋଗ ପ୍ରକୋଷ୍ଠକୁ ବନ୍ୟା ସହାୟତା ରାଶି ମିଳିନଥିବା ନେଇ ସମ୍ପୃକ୍ତ ପଞ୍ଚାୟତଗୁଡ଼ିକରୁ ପ୍ରାୟ ୨୦ଟି ଆବେଦନ ଆସିଥିବା ଜଣାଯାଇଛି। ରାଜ୍ୟ ସରକାର ଆଂଶିକ ଭାବେ ପ୍ରଭାବିତଙ୍କୁ ମଧ୍ୟ ସହାୟତା ଦେବାକୁ ଘୋଷଣା କରିଥିବା ବେଳେ ସେମାନଙ୍କୁ ସହାୟତା ତାଲିକାରେ ସାମିଲ କରାଯାଇନଥିବା ଅଭିଯୋଗ ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବନ୍ୟା ସହାୟତା ନିର୍ଦ୍ଧାରିତ ସମୟରେ ବଣ୍ଟନ କରି ଏହାର ବିନିଯୋଗ ପ୍ରମାଣପତ୍ର ଦେବା ପାଇଁ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ସେପ୍ଟେମ୍ବର ୪ ତାରିଖରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖିଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲାପାଳଙ୍କ ଦ୍ବାରା ସ୍ବାକ୍ଷରିତ ବିନିଯୋଗ ପ୍ରମାଣପତ୍ର ଦାଖଲ ହୋଇ ନଥିବାରୁ ପୁଣି ସେପ୍ଟମ୍ବର ୯, ୨୨ ଓ ଚଳିତ ମାସ ୧୫ ତାରିଖରେ ଜିଲ୍ଲା ଯୋଗାଣ ବିଭାଗକୁ ତାଗିଦ୍‌ କରାଯାଇଥିଲା। ତେବେ ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ରବି ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ୩୩୫୭ ପରିବାରକୁ ୫୦ କିଲୋଗ୍ରାମ ହିସାବରେ ମୋଟ ୧୬୭୮.୫୦ କିଗ୍ରା ଚାଉଳ ଦିଆଯାଇଛି। ସେହିଭଳି ପ୍ରଭାବିତ ପରିବାରଙ୍କୁ ୫୦୦ଟଙ୍କା ଲେଖାଏଁ ହିସାବରେ ୧୬ଲକ୍ଷ ୭୮ହଜାର ୫୦୦ଟଙ୍କା ପ୍ରଦାନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସମ୍ପୃକ୍ତ ବିଡିଓ ନିଜ ପାଣ୍ଠିରୁ ଏହି ଟଙ୍କା ପ୍ରଦାନ କରିଥିଲେ। ପରେ ଏହାକୁ ଭରଣା କରାଯାଇଛି। ଚାଉଳ ବଣ୍ଟନର ବିନିଯୋଗ ପ୍ରମାଣପତ୍ର ଅନେକ ଦିନ ପୂର୍ବରୁ ସରକାରଙ୍କୁ ପ୍ରଦାନ କରାଯାଇଥିବା ସେ କହିଛନ୍ତି। ତେବେ କେତେକ ଗାଁର ପ୍ରଭାବିତ ଲୋକଙ୍କୁ ସହାୟତା ମିଳିନଥିବା ନେଇ ସେ କହିଛନ୍ତି ଯେ ଏନେଇ ସମ୍ପୃକ୍ତ ବିଡିଓ ତଥ୍ୟ ଦେଇପାରିବେ।

ସମ୍ବନ୍ଧିତ ଖବର