ଭୁବନେଶ୍ୱର: କରୋନା ଭାଇରସ ମୁକାବିଲା ପାଇଁ କେନ୍ଦ୍ର ସରକାର ଆଜି ଦେଶର ସବୁଠାରୁ ଅଧିକ ସଂକ୍ରମିତ ଜିଲ୍ଲା ବା ହଟସ୍ପଟ୍ ଜିଲ୍ଲାଗୁଡ଼ିକର ତାଲିକା ଜାରି କରିଛନ୍ତି । ଦେଶର ୧୭୦ଟି ଜିଲ୍ଲା ଏହି ତାଲିକାରେ ସାମିଲ ଥିବା ବେଳେ ଓଡ଼ିଶାର ଏକମାତ୍ର ଜିଲ୍ଲା ଭାବେ ଖୋର୍ଦ୍ଧା ଏଥିରେ ସ୍ଥାନ ପାଇଛି । ସେହିଭଳି ହଟସ୍ପଟ୍ କ୍ଲଷ୍ଟର ଜିଲ୍ଲା ତାଲିକାରେ ଭଦ୍ରକ ସ୍ଥାନ ପାଇଛି । ନନ୍ ହଟସ୍ପଟ କ୍ଳଷ୍ଟର ତାଲିକାରେ କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡା, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲା ରହିଛି। ଓଡ଼ିଶାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଭଦ୍ରକରୁ ଦ୍ୱିତୀୟ ସର୍ବାଧିକ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
କେନ୍ଦ୍ର ସରକାର ଦେଶର ୧୭୦ ଜିଲ୍ଲାକୁ ହଟସ୍ପଟ୍ ବା ରେଡ୍ ଜୋନ୍ ଭାବେ ଚିହ୍ନିତ କରିଛନ୍ତି। ପୁନଶ୍ଟ ଏଥି ମଧ୍ୟରୁ ୧୨୩ଟି ଜିଲ୍ଲାକୁ ବ୍ୟାପକ ସଂକ୍ରମଣ ଥିବା ଜିଲ୍ଲା ଭାବେ ଚିହ୍ନିତ କରାଯାଇଥିବା ବେଳେ ଅବଶିଷ୍ଟ ୪୭ଟି ଜିଲ୍ଲାକୁ କ୍ଲଷ୍ଟର ହଟସ୍ପଟ୍ ଭାବେ ପରିଗଣିତ କରାଯାଇଛି। ଅନ୍ୟ ପକ୍ଷରେ ୨୦୭ ଜିଲ୍ଳାକୁ ନନ୍-ହଟସ୍ପଟ୍ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି। ଖୋର୍ଦ୍ଧା ପ୍ରଥମ ୧୨୩ଟି ଜିଲ୍ଲା ମଧ୍ୟରେ ସ୍ଥାନୀତ ହୋଇଛି।
A total of 170 districts have been identified as #hotspots, while 207 districts as non-hotspots: Media briefing by @MoHFW_INDIA#IndiaFightsCorona#Lockdown2pic.twitter.com/Azf3MwJSBj
— PIB India 🇮🇳 #StayHome #StaySafe (@PIB_India) April 15, 2020
ସେହିପରି ଅଣ ହଟସ୍ପଟ ଜିଲ୍ଲା ବିଭାଗରେ ଓଡ଼ିଶାର ୭ଟି ଜିଲ୍ଲା ସ୍ଥାନ ପାଇଛି । ଏହି ତାଲିକାରେ କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ପୁରୀ ଓ ସୁନ୍ଦରଗଡ଼ ରହିଛି ।
ସୂଚନାଯୋଗ୍ୟ, ଓଡ଼ିଶାରୁ ଏ ପର୍ଯ୍ୟନ୍ତ ୬୦ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏଥିରୁ ୪୫ ଜଣ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ସେହିଭଳି ଭଦ୍ରକ ଜିଲ୍ଲାରୁ ୩ ଜଣ, କେନ୍ଦ୍ରାପଡ଼ା, ଯାଜପୁର, ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ, କଟକ, ପୁରୀ ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ପଶ୍ଚିମବଙ୍ଗର ମେଦିନିପୁର ଅଞ୍ଚଳରୁ ଭୁବନେଶ୍ୱରରେ ଚିକିତ୍ସା ହେବାକୁ ଆସି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।