ଖୋର୍ଦ୍ଧା : ୧୯୯୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଖୋର୍ଦ୍ଧାଠାରେ ନିର୍ମିତ ନୂଆ ବସ୍ଷ୍ଟାଣ୍ତର ଭାଗ୍ୟ ବିଡିଏ ଓ ପୌର ପରିଷଦର ଫାଇଲ୍ ଭିତରେ ହଜିଯାଇଛି। ବସ୍ଷ୍ଟାଣ୍ତ୍ ମୌଳିକ ଭିତ୍ତିଭୂମି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ରାତିରେ ବସ୍ଷ୍ଟାଣ୍ତ୍ଟି ଅସାମାଜିକ ଓ ବ୍ରାଉନ୍ ସୁଗାର କାରବାରରେ ଆଡ଼ାସ୍ଥଳୀରେ ପରିଣତ ହେଉଛି।
ସୂଚନା ଅନୁସାରେ, ୧୯୯୫ରେ ଖୋର୍ଦ୍ଧାର ନବ ନିର୍ମିତ ବସ୍ଷ୍ଟାଣ୍ଡ୍ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଥିଲା। ସେତେବେଳେ ଏହି ବସ୍ଷ୍ଟାଣ୍ତ୍ରେ ଦୋକାନ ଘରଠାରୁ ଆରମ୍ଭ କରି ସର୍ବସାଧାରଣ ଶୌଚାଳୟ, ପାନୀୟ ଜଳ, ଯାତ୍ରୀ ସହାୟକ କେନ୍ଦ୍ର ଆଦିର ସମସ୍ତ ଭିତ୍ତିଭୂମି ରହିଥିଲା। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଏହାର ପରିଚାଳନା ଭାର ଖୋର୍ଦ୍ଧା ପୌରପାଳିକାକୁ ହସ୍ତାନ୍ତର କରିଥିଲା। ପୌରପାଳିକା ଦୋକାନ ଭଡ଼ା, ପ୍ରବେଶ କର ଆଦି ଆଦାୟ କରୁଥିଲା। କିନ୍ତୁ ବସ୍ଷ୍ଟାଣ୍ତ୍ର ରକ୍ଷଣାବେକ୍ଷଣ ଓ ପରିଚାଳନାରେ ବ୍ୟାପକ ଜାଲିଆତି ହେବାରୁ ଧୀରେ ଧୀରେ ଏହାର ଅନେକ ଭିତ୍ତିଭୂମି ନଷ୍ଟ ହୋଇଗଲା। ୨୦୧୭ରେ ପୌରପାଳିକା ପକ୍ଷରୁ ଏକ ପ୍ରସ୍ତାବ ଗୃହୀତ ହୋଇ ଏହାକୁ ପୁଣି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷକୁ ହସ୍ତାନ୍ତର କରାଯାଇଛି। ଏହା ମଧ୍ୟରେ ୩ ବର୍ଷ ବିତିଯାଇଛି। କିନ୍ତୁ ଏଯାଏଁ ବସ୍ଷ୍ଟାଣ୍ତ୍ର ମରାମତି ଆଦି ନେଇ କୌଣସି ବ୍ୟବସ୍ଥା ହୋଇପାରିନାହିଁ। ବର୍ତ୍ତମାନ ଖୋର୍ଦ୍ଧା ନୂଆ ବସ୍ଷ୍ଟାଣ୍ତ୍କୁ ଦୈନିକ ୪୦ ବସ୍ ଯିବା ଆସିବା କରୁଛି ଓ ୬ ହଜାରରୁ ଅଧିକ ଯାତ୍ରୀ ବାଙ୍କୀ, ନୟାଗଡ଼, ଫୁଲବାଣୀ, ଦଶପଲ୍ଲା ଭଳି ଦୂରାନ୍ତ ସ୍ଥାନକୁ ଯିବା ଆସିବା କରୁଛନ୍ତି। ଏଭଳି ପରିସ୍ଥିତିରେ ବସ୍ଷ୍ଟାଣ୍ଡ୍ରେ ଆଲୋକ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ଅନେକ ଦୋକାନ ଘର ଭାଙ୍ଗିରୁଜି ଯାଇଛି। ଯାତ୍ରୀମାନଙ୍କ ବିଶ୍ରାମସ୍ଥଳ ଛାତରୁ ପଲସ୍ତରା ଝଡ଼ିବାରେ ଲାଗିଛି। ଗତ ୩ ବର୍ଷ ଧରି ସେଠାରେ ପାନୀୟ ଜଳର ସୁବିଧା ନାହିଁ। କେବଳ ଗ୍ରୀଷ୍ମ ଋତୁରେ ଅସ୍ଥାୟୀ ଭାବେ ପୌରପରିଷଦ ପକ୍ଷରୁ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା। ରାତି ହେଲେ ବସ୍ଷ୍ଟାଣ୍ତ୍ଟି ଅନ୍ଧାରରେ ରହୁଥିବାରୁ ସେଠାରେ ବ୍ରାଉନ୍ ସୁଗାର ଓ ଗଞ୍ଜେଇ କାରବାର ବେଶ୍ ଜମୁଛି। ଗତ ୩ ମାସ ମଧ୍ୟରେ ନୂଆ ବସ୍ଷ୍ଟାଣ୍ତ୍ ନିକଟରୁ ୪ଜଣ ଗଞ୍ଜେଇ ଓ ଜଣେ ବ୍ରାଉନ୍ ସୁଗାର ବେପାରୀଙ୍କୁ ଧରାଯାଇଛି। ରାତି ୯ଟା ବାଜିଲେ ନୂଆ ବସ୍ଷ୍ଟାଣ୍ତ ଠାରୁ ଟିଏଲ୍ସି ପଡ଼ିଆ ଏକ ରକମ ଅସାମାଜିକଙ୍କ ଆଡ଼ାସ୍ଥଳୀରେ ପରିଣତ ହେଉଛି। ଯାତ୍ରୀମାନେ ବସ୍ଷ୍ଟାଣ୍ତ୍ରେ ବସ୍ପାଇଁ ଅପେକ୍ଷା କରୁଛନ୍ତି।
ସୂଚନାନୁସାରେ, ୨୦୧୦ରେ ଆଇଆଇଟି ଖଡ଼ଗପୁର ପକ୍ଷରୁ ଭୁବନେଶ୍ବର ଡେଭଲପ୍ମେଣ୍ଟ୍ ପ୍ଲାନ୍ ଏରିଆରେ ଗମନାଗମନର ବିକାଶ ପାଇଁ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରା ଯାଇଥିଲା। ଏଥିରେ ଖୋର୍ଦ୍ଧା ଓ ଜଟଣୀ ବସ୍ଷ୍ଟାଣ୍ତ୍ର ବିକାଶ ସାମିଲ ଥିଲା। ଏହି ରିପୋର୍ଟ ପ୍ରସ୍ତୁତ ହେବାର ଇତିମଧ୍ୟରେ ୧୦ ବର୍ଷ ବିତିଯାଇଛି। କିନ୍ତୁ ନୂଆ ବସ୍ଷ୍ଟାଣ୍ତର ମରାମତି ପାଇଁ ସାମାନ୍ୟ ବ୍ୟବସ୍ଥା ହୋଇନାହିଁ। ଏ ନେଇ ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ବେତପଦ୍ମା ଶତପଥୀଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ବସ୍ଷ୍ଟାଣ୍ତ୍ର ବିକାଶ ପାଇଁ ଜିଲ୍ଲାପାଳ ବିଡିଏ ସହ ଗତ କିଛି ଦିନ ପୂର୍ବେ ଆଲୋଚନା କରିଛନ୍ତି। ଏ ନେଇ ଏକ ଯୋଜନା ଅଟକଳ ମଧ୍ୟ ପଠାଯାଇଛି।