୫ ବର୍ଷ ପରେ ପୁଣି ଅକ୍ଟୋବର ଶୁଖିଲା, ତାପମାତ୍ରା ସର୍ବାଧିକ

ଖୋର୍ଦ୍ଧା: ୫ ବର୍ଷର ଅକ୍ଟୋବର ମାସର ବର୍ଷାର ପରିମାଣ ଓ ଦିନର ସର୍ବାଧିକ ତାପମାତ୍ରାରେ ଚଳିତ ବର୍ଷ ସାଧାରଣ ଲୋକଙ୍କୁ ବିସ୍ମିତ କରିଛି। ଗତ ୫ ବର୍ଷ ମଧ୍ୟରେ ଚଳିତ ବର୍ଷ ସର୍ବାଧିକ ଗରମ ଅନୁଭୂତ ହୋଇଥିବା ବେଳେ ବର୍ଷାର ପରିମାଣ ମଧ୍ୟ କମ୍‌ ରହିଛି।

କେନ୍ଦ୍ର ଓ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ୨୦୧୮ରେ ଅକ୍ଟୋବର ମାସରେ ହାରାହାରି ୨୩୪.୯୮ ମିମି ବର୍ଷା ରେକର୍ଡ କରାଯାଇଥିଲା। ୨୦୧୯ରେ ୩୧୮.୨୩ ମିମି, ୨୦୨୦ରେ ୨୬୫.୭୨ ମିମି, ୨୦୨୧ରେ ୮୪ ମିମି, ୨୦୨୨ ଅକ୍ଟୋବର ମାସରେ ୧୫୭ ମିମି ବର୍ଷା ରେକର୍ଡ କରାଯାଇଥିଲା। ଯଦି ଆଗାମୀ ୧୪ ଦିନ ମଧ୍ୟରେ ବର୍ଷା ନହୁଏ ତେବେ ୨୦୨୧ର ବର୍ଷା ହ୍ରାସର ରେକର୍ଡକୁ ୨୦୨୩ ଭାଙ୍ଗିବା ସମ୍ଭାବନା ରହିଛି। ବର୍ଷାର ପରିମାଣର ତଥ୍ୟାନୁସାରେ, ଅକ୍ଟୋବର ମାସରେ ଯଦିଓ ବର୍ଷା ଦିନ ସଂଖ୍ୟା ୬ରୁ ୭ ଦିନ ମଧ୍ୟରେ ରହିଥାଏତେବେ ସ୍ବାଭାବିକ ଭାବେ ହାରାହାରି ୧୪୯ରୁ ୧୫୧ ମିମି ବର୍ଷା ହୋଇଥାଏ। ଏହି ବର୍ଷା ଧାନ ଚାଷ ପାଇଁ ବିଶେଷ ଲାଭକାରୀ ନହେଲେ ହେଁ ଭୂଗର୍ଭ ଜଳ ଓ ବର୍ଷାକୁ ଆଧାର କରି ବଞ୍ଚିରହୁଥିବା ଭୂପୃଷ୍ଠର ସବୁଜବଳୟର ସ୍ଥାୟିତ୍ବକୁ ପ୍ରଭାବିତ କରିଥାଏ। ଚଳିତ ବର୍ଷ ଅକ୍ଟୋବର ମାସର ପ୍ରଥମ ତିନିଦିନରେ ପ୍ରାୟ ୬୭ ମିମି ବର୍ଷା ହୋଇଛି, ଯାହା ୪୦ରୁ ୪୨ ପ୍ରତିଶତ ଅଟେ। ଯଦି ୪ ତାରିଖରୁ ଆଜି ମଧ୍ୟରେ ବର୍ଷାର ପରିମାଣକୁ ଅନୁଶୀଳନ କରାଯାଏ ତେବେ ଏହା ସ୍ବାଭାବିକ ଠାରୁ ୩୬ ପ୍ରତିଶତ କମ ଅଟେ।

ସେହିଭଳି ଅକ୍ଟୋବର ମାସରେ ଦିନର ହାରାହାରି ସର୍ବାଧିକ ତାପମାତ୍ରା ୨୭ ଡିଗ୍ରୀ ରହିଥାଏ। କିନ୍ତୁ ଚଳିତ ବର୍ଷ ଅକ୍ଟୋବର ୧୫ ତାରିଖ (ରବିବାର)ର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରି ରହିଛି। ମିଳିଥିବା ଗତ ୩ ବର୍ଷର ତଥ୍ୟରେ ଚଳିତ ବର୍ଷ ଅକ୍ଟୋବର ମାସରେ ସର୍ବାଧିକ ଗରମ ଅନୁଭୂତ ହୋଇଛି। ୨୦୨୨ରେ ଅକ୍ଟୋବର ମାସ‌ର ହାରାହାରି ସର୍ବାଧିକ ତାପମାତ୍ରା ୩୨ ଡିଗ୍ରୀ ରହିଥିଲା। ୨୦୨୦ରେ ହାରାହାରି ସର୍ବାଧିକ ତାପମାତ୍ରା ୩୦ ଡିଗ୍ରି ରହିଥିଲା।

ସମ୍ବନ୍ଧିତ ଖବର