ମହୀପୁର-ନୂଆଗାଁ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ: ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପ ତ୍ବରାନ୍ବିତ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପର ମହୀପୁର-ନୂଆଗାଁ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରେଳ ସୁରକ୍ଷା ଆୟୁକ୍ତଙ୍କ ଅନୁମୋଦନ ପରେ ଏହା କାର୍ଯ୍ୟକ୍ଷମ ହେବ। ଏଥିସହ ଟ୍ରେନ୍‌ ଯାତାୟାତ ସୁବିଧା ପାଇଁ ଖୋର୍ଦ୍ଧା ରୋଡ୍‌ଠାରେ ବାଇପାସ୍ ଲାଇନ୍‌ର ମଧ୍ୟ କାର୍ଯ୍ୟ ସରିଛି। କୋଲକାତାସ୍ଥିତ ଦକ୍ଷିଣ-ପୂର୍ବ ସର୍କଲ ରେଳ ସୁରକ୍ଷା ଆୟୁକ୍ତ(ସିଆରଏସ୍‌) ମାର୍ଚ୍ଚ ୨୩ରେ ପ୍ରକଳ୍ପର ମହୀପୁରଠାରୁ ନୂଆଗାଁ ପର୍ଯ୍ୟନ୍ତ ୧୩.୨୫୦ କିମି ଦୈର୍ଘ୍ୟ ରେଳ ଲାଇନର ସୁରକ୍ଷା କାର୍ଯ୍ୟ ଯାଞ୍ଚ କରିବେ। ୨୪ ତାରିଖରେ ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ୍‌ଠାରେ ବାଇପାସ୍ ଲାଇନର ସୁରକ୍ଷା କାର୍ଯ୍ୟ ମଧ୍ୟ ଯାଞ୍ଚ କରାଯିବ। ନୂତନ ରେଳ ଲାଇନ୍‌ରେ ଥିବା ସମସ୍ତ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ ପରେ ଏହି ଲାଇନ୍‌ରେ ଟ୍ରେନ୍‌ ଚଳାଚଳକୁ ଅନୁମତି ପ୍ରଦାନ କରାଯିବ। ତାହାକୁ ନଜରରେ ରଖି ଏହି ରେଳ ମାର୍ଗରେ ବିଭିନ୍ନ ଯନ୍ତ୍ରପାତି ଓ ଯାଞ୍ଚ ଟ୍ରେନ୍ ଚଳାଚଳ ପାଇଁ ୨୩ ତାରିଖରେ ନୟାଗଡ଼ ଟାଉନ୍-ଭୁବନେଶ୍ୱର ଏକ୍ସପ୍ରେସ(୧୮୪୨୪)କୁ ବାତିଲ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର