ଭୁବନେଶ୍ବର ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳଲାଇନ ପ୍ରକଳ୍ପକୁ ଆଗକୁ ବଢ଼ାଇବା ଲାଗି ରାଜ୍ୟ ସରକାର ଆଜି ୩୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରାଜିନାମା ଅନୁଯାୟୀ ନିର୍ମାଣାଧୀନ ବହୁ ପ୍ରତୀକ୍ଷିତ ଏହି ନୂଆ ରେଳ ଲାଇନ୍ ପାଇଁ ୫୦% ଅର୍ଥ ରାଜ୍ୟ ସରକାର ବହନ କରିବେ। ସେହି ଅନୁଯାୟୀ ୩୦୧ କିମି ଏହି ପ୍ରକଳ୍ପର ୧୧୨ କିମିରୁ ୨୮୯ କିମି ପର୍ଯ୍ୟନ୍ତ(ନୟାଗଡ଼ ଜିଲ୍ଲାର ଦଶପଲ୍ଲାଠାରୁ ବଲାଙ୍ଗୀର ଜିଲ୍ଲାର ଝରତରଭା ଯାଏ) ହେବାକୁ ଥିବା ରେଳ ଲାଇନ୍ ଲାଗି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏହି ଅର୍ଥ ମଞ୍ଜୁର କରାଯାଇଛି। ୨୦୨୩-୨୪ ରାଜ୍ୟ ବଜେଟରେ ଗମନାଗମନ କ୍ଷେତ୍ରରେ ରେଳପଥ ବିକାଶକୁ ଗୁରୁତ୍ବ ଦିଆଯାଇଛି। କେବଳ ରେଳ ପ୍ରକଳ୍ପର ବିକାଶ ପାଇଁ ବଜେଟରେ ୩୨୦ କୋଟି ଟଙ୍କାର ଅର୍ଥ ବରାଦ କରାଯାଇଛି। ଯେଉଁଥିରେ ଖୋର୍ଦ୍ଧାରୋଡ-ବଲାଙ୍ଗୀର, ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ଏବଂ ବରଗଡ଼-ନୂଆପଡ଼ା ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ ରାଜ୍ୟ ଅଂଶଧନ ବାବଦରେ ଅର୍ଥ ପ୍ରଦାନ କରାଯିବ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଗତ ଫେବ୍ରୁଆରିରେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳଲାଇନ ପ୍ରକଳ୍ପରେ ପୁରୁଣାକଟକରୁ ଦଶପଲ୍ଲା ଯାଏ (୬୮କିମି) ପାଇଁ ଜଙ୍ଗଲ ବିଭାଗର ଅନୁମତି ମିଳିବା ପରେ କାର୍ଯ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ରେଳପଥର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ପ୍ରକଳ୍ପ ବଲାଙ୍ଗୀର, ସୁବର୍ଣ୍ଣପୁର, ଫୁଲବାଣୀ, ବୌଦ୍ଧ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାକୁ ସଂଯୋଗ କରିବ। ପଶ୍ଚିମ ଓ ଉପକୂଳ ଓଡ଼ିଶା ମଧ୍ୟରେ ଆଉ ଏକ ରେଳ ସଂଯୋଗ ସ୍ଥାପନ କରିବ। ୧୯୯୪-୯୫ରେ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଥିଲେ ମଧ୍ୟ ଜଙ୍ଗଲ ମଞ୍ଜୁରି ସହ ଅନ୍ୟାନ୍ୟ ସମସ୍ୟା ପାଇଁ ଏହି ପ୍ରକଳ୍ପ ବିଳମ୍ବିତ ହେଉଥିଲା। ୨୦୧୪-୧୫ ଆର୍ଥିକ ବର୍ଷରୁ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯାଇଛି। ଏବେ ସୁଦ୍ଧା ୩୦୧ କିମି ମଧ୍ୟରୁ ୧୧୫ କିମି(ଖୋର୍ଦ୍ଧା ରୋଡରୁ ନୂଆଗାଁ ପର୍ଯ୍ୟନ୍ତ ୯୦ କିମି ଏବଂ ବଲାଙ୍ଗୀରରୁ ଝରତରଭା ପର୍ଯ୍ୟନ୍ତ ୨୫ କିମି) ରେଳ ଲାଇନ କାର୍ଯ୍ୟକ୍ଷମ ହୋଇଛି।
ଖୋର୍ଦ୍ଧାରୋଡ ପାର୍ଶ୍ୱରୁ ନୂଆଗାଁଠାରୁ ଦଶପଲ୍ଲା ଏବଂ ବଲାଙ୍ଗୀର ପାର୍ଶ୍ୱରୁ ଝରତରଭାରୁ ଖମ୍ବେଶ୍ୱରପାଲି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି। ଆବଶ୍ୟକ ଜମି, ଜଙ୍ଗଲ ମଞ୍ଜୁର ହସ୍ତାନ୍ତର କରିବାରେ ବିଳମ୍ବ ହେତୁ ପ୍ରକଳ୍ପର ଅଗ୍ରଗତି ମନ୍ଥର ହୋଇଥିଲା। ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ୬୮ କିମି ମଧ୍ୟରେ ଥିବା ୧୪୬୯ ଏକର ଜଙ୍ଗଲ ଜମିକୁ ଅନୁମତି ମିଳିସାରିଛି। ଇତିମଧ୍ୟରେ ନୂଆଗାଁ-ଦଶପଲ୍ଲା ମଧ୍ୟରେ ୧୫.୫ କିମି ରେଳ ସେକ୍ସନ ମଧ୍ୟରେ ୫୭ଟି ମାଇନର୍ ଓ ୩ଟି ମେଜର ବ୍ରିଜ୍, ୧୫ ରୋଡ୍ ଅଣ୍ଡର ବ୍ରିଜ୍(ଆରୟୁବି), ୪ଟି ରୋଡ୍ ଓଭର ବ୍ରିଜ୍(ଆରଓବି) ନିର୍ମାଣ ଶେଷ ହୋଇଛି। ଝରତରଭା-ଖମ୍ବେଶ୍ୱରପାଲ୍ଲୀ-ସୋନପୁର ମଧ୍ୟରେ ୨୧.୭୦ କିମି ରେଳ ସେକ୍ସନ ମଧ୍ୟ ସରିଛି। ଗତ ଦୁଇ ବର୍ଷ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବାରୁ ୨୦୨୫ ଡିସେମ୍ବର ମଧ୍ୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ସୂଚନାଯୋଗ୍ୟ ଯେ ଚଳିତ ବଜେଟରେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳପଥ ପାଇଁ ରେକର୍ଡ ପରିମାଣ ଅର୍ଥ ୧୫୯୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ୨୦୨୨–୨୩ ବଜେଟରେ ୮୯୧ କୋଟି ଓ ୨୦୨୧–୨୨ ଆର୍ଥିକ ବର୍ଷରେ ୧୦୦୦ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା।