ଭୁବନେଶ୍ବର: ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପ ଅଧୀନ ବୌଦ୍ଧ-ପୁରୁଣାକଟକ ମଧ୍ୟରେ ନବନିର୍ମିତ ୨୬.୮୮୮ କିମି ବିଶିଷ୍ଟ ରେଳ ଲାଇନ୍ର ଯାଞ୍ଚ ହୋଇଛି। ରେଳ ସୁରକ୍ଷା ଆୟୁକ୍ତ ବ୍ରିଜେଶ ମିଶ୍ର ନୂତନ ଭାବରେ ନିର୍ମାଣ ହୋଇଥିବା ରେଳ ଲାଇନର ସୁରକ୍ଷା ଦିଗଗୁଡ଼ିକର ସମୀକ୍ଷା କରିଛନ୍ତି। ଏଥିସହ ନିର୍ମାଣ ଚାଲୁଥିବା ୩୦୧ କିମି ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ନୂତନ ଭାବେ ନିର୍ମିତ ରେଳ ଲାଇନ୍ ସେକ୍ସନ୍କୁ ଫିଟ୍ ଘୋଷଣା କରି ରେଳ ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀଙ୍କ ଏକ ଦଳ ଯାଞ୍ଚ ସମୟରେ ସହାୟତା ଯୋଗାଇ ଦେଇଥିଲେ।
ସୂଚନା ଅନୁଯାୟୀ, ବୌଦ୍ଧ ଓ ପୁରୁଣାକଟକ ମଧ୍ୟରେ ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ଲାଇନର ମୋଟ ୩୦୧ କିମି ରେଳ ସେକ୍ସନ୍ ମଧ୍ୟରୁ ୨୪୦ କିମି ସମ୍ପୂର୍ଣ୍ଣ ହେବା ସହ ଟ୍ରେନ୍ ପରିଚାଳନା ପାଇଁ ଉପଯୁକ୍ତ ହୋଇଛି। ପୁରୁଣା କଟକ ଓ ବୌଦ୍ଧ ମଧ୍ୟରେ ୨୭ କିମି ରେଳ ସେକ୍ସନ୍ କାର୍ଯ୍ୟକ୍ଷମ ହେବା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ପୁରୁଣାକଟକ ଓ ଚମ୍ପାପୁର ମଧ୍ୟରେ ନବନିର୍ମିତ ସ୍ତର ମଧ୍ୟରେ ୯ଟି ପ୍ରମୁଖ ସେତୁ, ଦୁଇଟି ରୋଡ୍ ଓଭରବ୍ରିଜ୍ (ଆରଓବି), ୧୫ଟି ରୋଡ୍ ଅଣ୍ଡର ବ୍ରିଜ୍ (ଆରୟୁବି), ୩୫ଟି ଛୋଟ ସେତୁ ରହିଛି। ଯାହାକି ନିରାପଦ ଓ ଦକ୍ଷ ରେଳ ପରିଚାଳନା ସୁଗମ କରିବାକୁ ଆବଶ୍ୟକ। ବାକି ଅଂଶଗୁଡ଼ିକରେ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ମୋଟ ୩୦୧ କିମି ମଧ୍ୟରୁ ପୁରୁଣାକଟକ ଓ ଦଶପଲ୍ଲା ମଧ୍ୟରେ ଅବଶିଷ୍ଟ ୬୨ କିମି ରହିଛି। ଯେଉଁଥିରେ ଘନ ଜଙ୍ଗଲ, ଅଭୟାରଣ୍ୟ ଅଞ୍ଚଳ ଦେଇ ସୁଡ଼ଙ୍ଗ ନିର୍ମାଣ ଆଦି ଅନ୍ତର୍ଭୁକ୍ତ। ଆନୁସଙ୍ଗିକ ଭିତ୍ତିଭୂମି ତଥା ଯାତ୍ରୀ ସୁବିଧାଗୁଡ଼ିକର କାର୍ଯ୍ୟ ଶେଷ ପରେ ନୂତନ ଭାବେ ନିର୍ମିତ ରେଳ ସେକ୍ସନ୍ଗୁଡ଼ିକରେ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯିବ।