ଭୁବନେଶ୍ୱର/ଦଶପଲ୍ଲା: ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ନୟାଗଡ଼ ଜିଲ୍ଲାର ବୁଗୁଡ଼ା ଓ ବାଣିଗୋଚ୍ଛା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ-ଟି୩ ଖନନ କାର୍ଯ୍ୟ ଶେଷ ହୋଇଛି। ୨,୬୨୦ ମିଟର ଦୈର୍ଘ୍ୟ ଓ ୨-ଡିଗ୍ରି କର୍ଭ(ବକ୍ର) ବିଶିଷ୍ଟ ଏହି ସୁଡ଼ଙ୍ଗ ଖନନ କାର୍ଯ୍ୟ ନୂତନ ଜ୍ଞାନକୌଶଳ ପଦ୍ଧତି ଦ୍ୱାରା କାର୍ଯ୍ୟ ସରିଛି। ଜାନୁଆରି ୧୩ରେ ଏହି ସଫଳତମ ବ୍ରେକ ଥ୍ରୁ ହୋଇଛି। ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପରେ ସୁଡ଼ଙ୍ଗ- ଟି୩ ହେଉଛି ନୟାଗଡ଼ ଜିଲ୍ଲାର ସବୁଠାରୁ ଲମ୍ବା ଏବଂ ପ୍ରକଳ୍ପର ଦ୍ୱିତୀୟ ଲମ୍ବା ସୁଡ଼ଙ୍ଗ। ଖନନରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଓ ମେସିନ୍ ନିୟୋଜିତ ହୋଇଥିଲା। ଏହି ସଫଳତା ଓଡ଼ିଶାର ଉପକୂଳ ଅଞ୍ଚଳ ସହିତ ପଶ୍ଚିମାଞ୍ଚଳକୁ ସଂଯୋଗ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପରିବହନ ଓ ଆର୍ଥିକ ସମ୍ଭାବନାକୁ ବୃଦ୍ଧି କରିବ।
୩୦୧ କିମି ବିଶିଷ୍ଟ ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପରେ ସୁଡ଼ଙ୍ଗ ନିର୍ମାଣରେ ଅନେକ ଇଞ୍ଜିନିୟରିଂ ଓ ଲଜିଷ୍ଟିକ୍ ଆହ୍ବାନର ସାମ୍ନା କରିବାକୁ ପଡ଼ିଛି। ଏହି ପ୍ରକଳ୍ପରେ ୭୫ କିମି ମଧ୍ୟରେ ୭ଟି ସୁଡ଼ଙ୍ଗ ଅନ୍ତର୍ଭୁକ୍ତ ରହିଛି, ଯାହାକି ଦଶପଲ୍ଲା ଓ ପୁରୁଣାକଟକ ମଧ୍ୟରେ। ସୁଡ଼ଙ୍ଗଗୁଡ଼ିକ ମଧ୍ୟରୁ ଟି୭ର ଦୈର୍ଘ୍ୟ ୪.୮୮୫ କିମି, ଯାହାକି ଅଢେନିଗଡ଼ ନିକଟରେ ଅବସ୍ଥିତ। ଯେଉଁଥିରେ ସୁରକ୍ଷା ପାଇଁ ୭୦୦ ମିଟର ଏସ୍କେପ୍ ଟନେଲ୍ ଅନ୍ତର୍ଭୁକ୍ତ ରହିଛି। ପୂର୍ବରୁ ସଫଳତାର ସହିତ ଅର୍ଦ୍ଧାଧିକ ଖନନ କାର୍ଯ୍ୟ ଶେଷ ହୋଇଛି। ନିର୍ମାଣାଧୀନ ସାତଟି ସୁଡ଼ଙ୍ଗର ମୋଟ ଲମ୍ବ ୧୨.୭୬ କିଲୋମିଟର। ଏପର୍ଯ୍ୟନ୍ତ ୭ଟି ସୁଡ଼ଙ୍ଗ ମଧ୍ୟରୁ ୪ଟିର ବ୍ରେକ୍ ଥ୍ରୁ(ଦିବାଲୋକ) ସରିଛି। ସେହିପରି ସୁଡ଼ଙ୍ଗ ଟି୧, ଟି୩ ଓ ଅନ୍ୟାନ୍ୟ ସୁଡ଼ଙ୍ଗ ଖନନ କାର୍ଯ୍ୟ ଶେଷ ହୋଇଛି। ବିଭିନ୍ନ ମାଟି ଘନତା ଓ ପଥର ଗଠନ ସମେତ ଜଟିଳ ଭୌଗୋଳିକ ପରିସ୍ଥିତି ପରିଚାଳନା ପାଇଁ ନୂତନତମ କୌଶଳ ବ୍ୟବହାର କରି ସୁଡ଼ଙ୍ଗଗୁଡ଼ିକ ନିର୍ମାଣ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/15/Us9xxFior6clRhE80hIM.jpg)