ଖୋର୍ଦ୍ଧା: ଖୋର୍ଦ୍ଧା ସହର ଥିଲା କେବିନ୍‌ମୟ। ରାସ୍ତାକଡ଼, ଛକ ସବୁଠି କେବିନ୍‌ ହିଁ କେବିନ୍‌ ଥିଲା। ତେଣୁ, ସହରକୁ କେବିନ୍‌ମୁକ୍ତ କରି ଭେଣ୍ଡିଂଜୋନ୍‌ରେ ପରିଣତ କରିବାକୁ ଖୋର୍ଦ୍ଧା ପୌରପାଳିକା କିଛିବର୍ଷ ତଳେ ଯୋଜନା କରିଥିଲା। କିନ୍ତୁ, ଯୋଜନା ଆରମ୍ଭରୁ ଝୁଣ୍ଟିଛି। ଖୋର୍ଦ୍ଧା ପୌରପାଳିକା ଭେଣ୍ଡିଂଜୋନ ଅଧା ଗଢ଼ି ଛାଡ଼ିଦେଇଛି। ଗୋଟିଏ ପଟେ ଭେଣ୍ଡିଂଜୋନ୍‌ ପ୍ରକଳ୍ପ ଅଧାଅଧୁରା କରି ଛଡ଼ାଯାଇଥିବା ବେଳେ ଅନ୍ୟପଟେ ଆଉ ୫ଗୋଟି ନୂଆ ଭେଣ୍ଡିଂଜୋନ୍‌ ପ୍ରକଳ୍ପ କରିବାକୁ ପୌରପାଳିକା ଅଣ୍ଟାଭିଡ଼ିଛି। ଗୋଟିଏ ପ୍ରକଳ୍ପ ଅଧା ଅଧୁରା ହୋଇପଡ଼ିଥିବା ବେଳେ ଅନ୍ୟ ୫ଗୋଟି ଭେଣ୍ଡିଂଜୋନ୍‌ ପୂର୍ଣ୍ଣାଙ୍ଗ ରୂପ ନେଇ ପାରିବ କି’ ନାହିଁ, ସେନେଇ ସନ୍ଦେହ ପ୍ରକାଶ ପାଇଛି।

Advertisment

ସୂଚନା ମୁତାବକ, ଉଠାଦୋକାନିଙ୍କୁ ଥଇଥାନ ପାଇଁ ପୌର ପ୍ରଶାସନ ସହରର ହାବେଳି ପଡ଼ିଆକୁ ଆଖି ପକାଇଥିଲା। ସହରର ସବୁ ଉଠା ଦୋକାନିଙ୍କୁ ଏହି ପଡ଼ିଆରେ ହିଁ ଥଇଥାନ କରି ଏକ ଭଲ ରକମର ମାର୍କେଟ୍ କରିବାକୁ ଯୋଜନା ହେଲା। ସେଥିପାଇଁ ପ୍ରାୟ ୫ଶହରୁ ଅଧିକ ଉଠା ଦୋକାନିଙ୍କର ତାଲିକା ବି ପ୍ରସ୍ତୁତ ହେଲା। କିନ୍ତୁ, ସେଥିରେ ବିଫଳ ହେଲା ପୌର ପ୍ରଶାସନ। ହାବେଳି ପଡ଼ିଆରେ ଭେଣ୍ଡିଂଜୋନ୍‌ ନୋହିଲା। ସହରର ମେଳା ମହୋତ୍ସବ ପାଇଁ ହାବେଳି ପଡ଼ିଆ ଭଳି ଭଲ ଖୋଲା ଜାଗାଟିଏ ନାହିଁ। ତେଣୁ, ନିକଟ ଭବିଷ୍ୟତରେ ଏଠି ଭେଣ୍ଡିଂଜୋନ୍‌ ହେବାର ଆଶା ଦିଶୁନାହିଁ।

ତେଣୁ, ପୌର ପ୍ରଶାସନ ପକ୍ଷରୁ ସହରର ସ୍ମାର୍ଟ ମଶାଣି ସାମ୍ନାରେ ଆରମ୍ଭ ହୋଇଥିଲା ଭେଣ୍ଡିଂଜୋନ ପ୍ରକଳ୍ପ। ଦୋକାନ ଘର ନିର୍ମାଣ ପାଇଁ ଲୁହା ଖୁଣ୍ଟ ପୋତାହେଲା। କିନ୍ତୁ, ଛାତ ପଡ଼ିଲା ନାହିଁ। ଲୁହା ଖୁଣ୍ଟରେ କଳଙ୍କି ଲାଗିଗଲା ପଛେ, ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇପାରିଲା ନାହିଁ।

ଗୋଟିଏ ପଟେ ପ୍ରକଳ୍ପ ଅଧା ଗଢ଼ା ହୋଇପଡ଼ିଥିବା ବେଳେ ଅନ୍ୟପଟେ ପୌର ପରିଷଦ ଆଉ ୫ଗୋଟି ନୂଆ ଭେଣ୍ଡିଂଜୋନ ପ୍ରକଳ୍ପ ହାତକୁ ନେଇଛି। ଆଠ କୋଟିରୁ ଅଧିକ ବ୍ୟୟରେ ସହରର ୫ଗୋଟି ଜାଗାରେ ପ୍ରାୟ ୨୫୦ଟି ଦୋକାନ ଘର କରାଯିବା ବୋଲି ଖୋର୍ଦ୍ଧା ପୌରାଧିକାରୀ ରିଜୁଆନା କଅକବ ପ୍ରକାଶ କରିଛନ୍ତି। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତି। ସେହିପରି ହାବେଳି ପଡ଼ିଆରେ ଭେଣ୍ଡିଂଜୋନ୍‌ ବର୍ତ୍ତମାନ କରାଯିବାର ନାହିଁ ଏବଂ ଅଧାଗଢ଼ା ଭେଣ୍ଡିଂଜୋନକୁ ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି)କୁ ଦିଆଯିବ। ସେମାନେ ହିଁ ଏ ଅଧା ପ୍ରକଳ୍ପର ଦାୟିତ୍ବ ନେବେ ବୋଲି ପୌରାଧିକାରୀ ପ୍ରକାଶ କରିଛନ୍ତି।