ଖୋର୍ଦ୍ଧା: ଗଲା ୨୩ବର୍ଷ ହେଲା କରି ଆସୁଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସେବା। କାଳିଆ ସାଆନ୍ତଙ୍କ ରଥକୁ ସୋଲ ଗଛରୁ ତିଆରି କଦମ୍ବ ଓ ସେବତୀ ଫୁଲରେ ଦେଉଛନ୍ତି ସଜାଇ। ଏବେ ଅଯୋଧ୍ୟାରେ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେବା ପରେ ଶିଳ୍ପୀକାର ବୀରକିଶୋର ନାୟକ ଏବେ ଅଯୋଧ୍ୟା ମୁହାଁ ହୋଇଛନ୍ତି। ମହାପ୍ରଭୁଙ୍କ ରଥଭଳି ରାମଲାଲାଙ୍କ ମନ୍ଦିରକୁ ସଜାଇ ଦେବା ପାଇଁ ଶ୍ରଦ୍ଧାରେ ଫୁଲ ଟୋକେଇ ଧରି ବାହାରି ପଡ଼ିଛନ୍ତି।
ଶିଳ୍ପୀକାର ଶ୍ରୀ ନାୟକଙ୍କ ଘର ହେଉଛି ଖୋର୍ଦ୍ଧା ସହର ଗୁରୁଜଙ୍ଗ ଭୋଇସାହିରେ। ପୂର୍ବରୁ ବିଭିନ୍ନ ନଦୀକୂଳରେ ଥିବା ସୋଲ ଗଛକୁ ସଂଗ୍ରହ କରି ଧବଳେଶ୍ବରଙ୍କ ଦୋଳଯାତ୍ରାରେ ସଜାଇ ଦେଉଥିଲେ। ମହାପ୍ରଭୁଙ୍କ କୃପା ହେଲା, ଏ ସେବା ଶ୍ରୀକ୍ଷେତ୍ର ଯାଏ ଲମ୍ବିଲା। ଫୁଲରେ ମହାପ୍ରଭୁଙ୍କ ରଥକୁ ସଜାଇବା ପାଇଁ ପ୍ରତ୍ୟେକ ବର୍ଷ ସେ ଅକ୍ଷୟ ତୃତୀୟାରୁ ସେ କାମ ଆରମ୍ଭ କରନ୍ତି। ନେତ୍ର ଉତ୍ସବ ବେଳକୁ ପ୍ରାୟ ୧୮୦ଟି ଫୁଲ ତିନି ରଥ ପାଇଁ ତିଆରି କରି ପୁରୀ ଅଭିମୁଖେ ଯାତ୍ରା କରନ୍ତି।
ଶ୍ରୀ ମନ୍ଦିର ପ୍ରଶାସନର ଅନୁମତିରେ ସେ ଗଲା ୨୩ବର୍ଷ ହେଲା ଏ ସେବା ଦେଇ ଆସୁଛନ୍ତି। ସୋଲ ଫୁଲରେ ରଥର ସାମ୍ନା ପଟକୁ ସଜାଉଛନ୍ତି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ମନ୍ଦିରରେ ଏ ଫୁଲ ଲଗାଇବା ପାଇଁ ତାଙ୍କ ମନରେ ଆଗ୍ରହ ତିଆରି ହୋଇଥିଲା। ତେଣୁ ଜାନୁଆରି ପହିଲାରୁ ସେ କାମରେ ଲାଗି ପଡ଼ିଥିଲେ। ପ୍ରାୟ ୧୫୦ ଫୁଲ୍ ସେ ତିଆରି କରିଥିଲେ। ଜାନୁଆରି ୨୨ପୂର୍ବରୁ ଅଯୋଧ୍ୟାରେ ପହଞ୍ଚିବାକୁ ତାଙ୍କର ଯୋଜନା ଥିଲା। କିନ୍ତୁ, ଏତେ ଗହଳି ଭିତରେ ଫୁଲ ଲାଗି ପାଇଁ କିଛି ସୁଯୋଗ ମିଳିଲା ନାହିଁ। ତେଣୁ, ଫୁଲ ଟୋକେଇ ଧରି ଆସନ୍ତା ୧୦ତାରିଖ ଦିନ ସେ ଅଯୋଧ୍ୟା ମୁହାଁ ହୋଇଛନ୍ତି। ରାମଲାଲାଙ୍କର ଦର୍ଶନ କରିବା ସହିତ ଏ ଫୁଲ ତାଙ୍କ ନିକଟରେ ସମର୍ପଣ କରିବେ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ଏ କାମରେ ତାଙ୍କର ଭାଇ ରାଜକିଶୋର ନାୟକଙ୍କର ବି ସହଯୋଗ ରହିଛି ବୋଲି ସେ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/ram.jpg)