ଖୋର୍ଦ୍ଧା: ରାଜ୍ୟରେ ସବୁଠି ଦଶହରା ପାଳନ ହେଉଛି। ସବୁଠି ପୂଜା ପାଉଛନ୍ତି ମାଆ ଜଗତଜନନୀ ଦୁର୍ଗା। ତେବେ ଖୋର୍ଧା ଜିଲ୍ଲାର ବୋଲଗଡ ମାଣିକଗୁଡାରେ ଦଶହରାର ପରମ୍ପରା ପୂରା ଅଲଗା। ଏଠାରେ ଦେଖିବାକୁ ମିଳିଥାଏ ହିନ୍ଦୁ-ମୁସଲମାନ ଭାଇଚାରାର ନିଦର୍ଶନ। ମାଣିକଗୁଡ଼ାରେ ସାର୍ବଜନୀନ ଦୁର୍ଗାପୂଜାରେ ପୂଜାରେ ବସିଥାନ୍ତି ମୁସଲମାନ ଦଳ ବେହେରା। ବାସନ୍ତି ଦୁର୍ଗାପୂଜାର ହୋମରେ ବସି କୁସବଟୁ ବି ପିନ୍ଧିଥାନ୍ତି। ମାଣିକଗୁଡ଼ାରେ ଏପରି ପୂଜା ସାରା ରାଜ୍ୟରେ ପ୍ରସିଦ୍ଧି ଅର୍ଜନ କରିଆସିଛି। ବୈଦିକ ରୀତିରେ ହୁଏ ପୂଜା। ଏହି ପରମ୍ପରା ପ୍ରାୟ ୩୦୦ ବର୍ଷରୁ ଅଧିକ ଦିନର ବୋଲି କୁହାଯାଉଛି। ମାଣିକଗୁଡାର ଏହି ପୂଜା ଦଶହରାରେ ଭାଇଚାରାର ବାର୍ତ୍ତା ପ୍ରଦାନ କରିଆସୁଛି। ଜାତି ଧର୍ମ ବର୍ଣ୍ଣ ଭିତରେ ଉତ୍ତମ ସଂପର୍କ ରଖି ସଭିଏଁ ମିଶି ପୂଜା ସଂପନ୍ନ କରିଥାନ୍ତି। ଏହିଠାରେ ଦଶହରା ବେଳେ ଜାତି ଭେଦକୁ ନେଇ କାହା ମଧ୍ୟରେ ଛୁଆଁ ଅଛୁଆ ଭେଦ ଭାବ ଦେଖିବାକୁ ମିଳିନଥାଏ।

Advertisment

publive-image

ଗତ ୫ ଶହ ବର୍ଷ ଧରି ପୁରୁଷାନୁକ୍ରମେ ଚାଲି ଆସୁଥିବା ଦୁର୍ଗା ପୂଜାରେ ମା ଦୁର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତି ପୂଜା ନହୋଇ କେବଳ କନକ ଦୂର୍ଗାଙ୍କର ପୂଜାଅର୍ଚ୍ଚନା କରାଯାଏ। ସବୁବର୍ଷ ଭଳି ଚଳିତ ବର୍ଷ ଏହି ଦୂର୍ଗାପୂଜାରେ ୧୩ଟି ଜାତି ଅର୍ଥାତ ଦିବ୍ୟସିଂହ ପୁରର ରାଜ ପ୍ରତିଷ୍ଠିତ ବ୍ରାହ୍ମଣ ଦେବେନ୍ଦ୍ର ହୋତାଙ୍କ ଘରୁ ମା କନକ ଦୁର୍ଗା, ମାଣିକାଗୁଡା ଗ୍ରାମ ଆରମ୍ଭରେ ଥିବା ଭଗବତି ପୀଠକୁ ସପ୍ତମୀ ଦିନ ମଧ୍ୟ ରାତିରେ ପଟୁଆର ସହିତ ବିଜେ ହୋଇଥାନ୍ତି। କରଣ ଜାତିର କୋଠ କରଣ ଅବନୀ ପଟ୍ଟନାୟକଙ୍କ ଘରୁ ଲେଖନି ଓ ତାଳପତ୍ର, ମୁସଲମାନ ଦଳ ବେହେରାଙ୍କ ଘରୁ ଖଣ୍ଡା, ମହିଷାଶୁଣୀଙ୍କ ପୀଠରୁ କଟରା ଦୁର୍ଯ୍ୟୋଧନ ଦୁହୁଡି ନାମକ ବ୍ୟକ୍ତି ଆଣିଥାନ୍ତି। ବଢ଼େଇ ଜାତିର ବ୍ୟକ୍ତିମାନେ ରୁଖା ଓ ପିଢ଼ା ଦେଇଥାନ୍ତି। ଏହି ରୁଖା ଓ ପିଢ଼ା ତିଆରି କରିବା ପାଇଁ ଧୋବା ଜାତିର ଜଣେ ବ୍ୟକ୍ତି ବେଲ ଓ ବର କାଠ ଯୋଗାଇଥାନ୍ତି। ଭୋଇ ଜାତିର ଜଣେ ବ୍ୟକ୍ତି ବିଭିନ୍ନ ଗଛର ଡାଳ ଅଣି ଏଠାରେ ଏକ କୁଡିଆ କରିଥାନ୍ତିଯ ଏହି ସବୁ କାର୍ଯ୍ୟରେ ମଧ୍ୟ ମାଳି ଠାରୁ ଆରମ୍ଭ କରି ବିଭିନ୍ନ ଜାତିର ଲୋକେ ସହଯୋଗ କରିଥାନ୍ତି।

publive-image

ଅଷ୍ଟମୀ ଓ ନବମୀ ଦୁଇଦିନ ପଂକ୍ତି ଭୋଜନ, ସଙ୍ଖୁଡି ଭୋଗ ପରେ ଦଶମୀ ଦିନ ଦିନ ୪ଟାବେଳେ ସଜ ଉଠା କାର୍ଯ୍ୟ ସମାପନ ହୁଏ। ଏହାପରେ ଗ୍ରାମର ୫ଟି ପାଇକ ଆଖଡାମେଳ ସେମାନଙ୍କର କ୍ରୀଡା କୋଶଳ ଦର୍ଶାଇ ମାଣିକ ସାଗର କୂଳରେ ଥିବା ମା ଭୂୟାଁଣୀ ଠାକୁରାଣୀଙ୍କ ନିକଟକୁ ଯାଇ ତାଙ୍କୁ ଆବାହନ କରି ଆଣିଥାନ୍ତି। ମା ଭୂୟାଁଣୀ ଓ ମା ଯୋଗମାୟା ଦୁଇ ଭଉଣୀଙ୍କୁ ନେଇ ପାଇକସାହି, ବଢେଇସାହି, ସନ୍ତରା ସାହିର ପ୍ରତ୍ୟକ ଦୁଆରେ ଭୋଗ ଖାଇ ଭଗବତୀ ପୀଠରେ ପହଞ୍ଚନ୍ତି। ଏହି ଠାରୁ ମୁସଲମାନ ଦଳ ବେହେରାଙ୍କୁ ସାଙ୍ଗରେ ନିଆଯାଇ ପୂର୍ବରୁ ପୂଜା ପାଉଥିବା ଖଣ୍ଡା, କଟରା(କଟୁରି), ତାଳପତ୍ର, ଲେଖନୀ ସହ ଏକ କିଲୋମିଟର ଦୂର ମାଳିସାହିର ପ୍ରସିଦ୍ଧ ଶେବପୀଠ ସୋମନାଥ ଦେବଙ୍କ ମନ୍ଦିର ନିକଟରେ ଥିବା ଦଶହରା ପଡିଆରେ ବିଳମ୍ବିତ ରାତ୍ରରେ ଅପରାଜିତା ହୋମ ହୁଏ। ଏହି ହୋମରେ ଦିବ୍ୟସିଂହପୁର ଶାସନର ରାଜପ୍ରତିଷ୍ଠିତ ବ୍ରାହ୍ମଣ ଦେବେନ୍ଦ୍ର କୁମାର ହୋତା ଓ ଜଗଦାନନ୍ଦ ହୋତାଙ୍କ ସହିତ ଅନ୍ୟ ସହଯୋଗୀ ବ୍ରାହ୍ମଣମାନଙ୍କ ଗହଣରେ ହୋମ କାର୍ଯ୍ୟ କରିଥାନ୍ତି। ଏହି ହୋମରେ ମୁସଲମାନ ଦଳବେହେରା କୁଶବଟୁ ପିନ୍ଧିବା ସହିତ ମୁଖ୍ୟକର୍ତ୍ତା ହୋଇ ମା’ଙ୍କୁ ଷୋଡ଼ଶ ଉପଚାରରେ ପୂଜା କରିବା ସହିତ ହୋମରେ ଆହୁତି ଦେଇଥାନ୍ତି।