ଖଲଣା ଗୁଳିକାଣ୍ତ: ୪ ଦିନ ପରେ ବି ପୁଲିସ ହାତ ଖାଲି, ସୁନନ୍ଦଙ୍କ ପରିବାରକୁ ଭେଟିଲା ବିଜେପି ଟିମ୍

ରାମଚନ୍ଦ୍ରପୁର: ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ପୂର୍ବରୁ ତିନିଚାରିଟ ହତ୍ୟାକାଣ୍ଡ ଘଟିଛି। ଖଲଣା ଘଟଣା ନୂଆ ନୁହେଁ। ଦୁର୍ଭାଗ୍ୟବଶତଃ ଏଯାବତ୍ କୌଣସି ଅପରାଧୀ ଧରାପଡ଼ି ନାହାନ୍ତି। ଏହା ପଛରେ କ’ଣ କାରଣ ରହିଛି। ନିରୀହ ଲୋକଙ୍କୁ ଯେଉଁମାନେ ଉତ୍ସାହିତ କରି ଏଭଳି ଜଂଘନ୍ୟ ଅପରାଧ ଘଟାଉଛନ୍ତି, ସେମାନଙ୍କୁ ପୁଲିସ ନଧରିଲା ଯାଏ ଏଭଳି ଅପରାଧର ଅନ୍ତ ଘଟିବ ନାହିଁ ବୋଲି ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ  ଖଲଣା ଗୁଳିକାଣ୍ଡ ଘଟଣାକୁ ୪ ଦିନ ବିତିଥିଲେ ମଧ୍ୟ ପୁଲିସ  ଏଯାଏ କାହାରିକୁ ଗିରଫ କରିପାରି ନାହିଁ। ପୁଲିସ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ଝାଡ଼ିବା ସହିତ  ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ନ କଲେ ଥାନା ଆଗରେ ଧାରଣା ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ଆଜି ଅପରାହ୍‌ଣରେ ମୃତକ ସୁନନ୍ଦ ସେଠୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ପରେ ରାମଚନ୍ଦ୍ରପୁର ଥାନାରେ ପହଞ୍ଚି ତଦନ୍ତକାରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ନଚେତ କଂଗ୍ରେସ ପକ୍ଷରୁ ଥାନା ଆଗରେ ଧାରଣା ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଚତୁର୍ଭୁଜ ନାୟକ, ବ୍ଲକ୍‌ କଂଗ୍ରେସ ସଭାପତି ସୁବ୍ରତ କୁମାର ଚକ୍ର, କଂଗ୍ରେସ ନେତା ତ୍ରିଲୋଚନ ପରିଡ଼ା, ପ୍ରଶାନ୍ତ କୁମାର ପାଲ, ନିରଞ୍ଜନ ଜେନା, କୁଳମଣି ପରିଡ଼ା, ମନୋଜ କୁମାର ସ୍ୱାଇଁ, ଚିତ୍ତରଞ୍ଜନ ପରିଡ଼ା, ଦେବରଞ୍ଜନ ସା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ପୂର୍ବାହ୍ନରେ ଏକ ପ୍ରତିନିଧି ଦଳ ଆଜି ସୁନନ୍ଦଙ୍କ ପରିବାରକୁ ଭେଟି ହତ୍ୟାକାଣ୍ଡ ସମ୍ପର୍କରେ ବୁଝିବା ସହିତ ସମବେଦନା ଜଣାଇଛି।

ଅନ୍ୟପକ୍ଷରେ ଗୁଳିକାଣ୍ଡ ପରେ ଖଲଣା ଗ୍ରାମରେ  ଉତ୍ତେଜନା ଲାଗିରହିଛି। ଉଭୟ ଗୋଷ୍ଠୀ ଚକାପଞ୍ଝା ମଧ୍ୟରେ ରହିଛନ୍ତି। ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଗ୍ରାମରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଗୁଳିକାଣ୍ତ ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଖଲଣା ଗ୍ରାମର ଅକ୍ଷୟ ଘୋଷ ଏବଂ ତାଙ୍କ ଶ୍ବଶୁର ଅନନ୍ତ ସା’ଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ନିଆଁରେ ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଅନନ୍ତଙ୍କ ୪ଟି ଗାଈ ଓ ଦୁଇଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଜୀବନ ବିକଳରେ ପରିବାର ଲୋକ ଗାଁ ଛାଡ଼ି ପଳାଇଥିଲେ। ପୁଲିସ ପହଞ୍ଚି ଘଟଣାସ୍ଥଳରୁ ଦୁଇଟି ବୋଲେରୋ ସହ ତିନିଟି ବାଇକ୍‌ ଉଦ୍ଧାର କରିଥିଲା। ଅଭିଯୁକ୍ତଙ୍କ ଘରେ କେହି ନଥିବାରୁ ପୋଡ଼ି ହୋଇ ପ୍ରାଣ ହରାଇଥିବା ଗୋରୁଙ୍କ ଶବ ପଚିଗଲାଣି। ଏହାକୁ ସେଠାରୁ ହଟା ଯାଉ ନାହିଁ। ପରିବେଶ ପୂତିଗନ୍ଧମୟ ହୋଇଗଲାଣି। ଗାଁ ଲୋକେ ଏକ ଅସ୍ବସ୍ଥିକର ପରିବେଶରେ ଅଛନ୍ତି।  ପ୍ରଶାସନ ତୁରନ୍ତ ମୃତ ଗୋରୁଙ୍କୁ ଶବକୁ ଗାଁରୁ ହଟାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର