‘ପ୍ରଗତି’ ବୈଠକରେ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା
୨୦୨୩ ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ନେଇପାରେ ପ୍ରକଳ୍ପ
ରାଜ୍ୟ କହିଲା, ୬ମାସରେ ସରିବ ଜମି ଅଧିଗ୍ରହଣ
ଓଡ଼ିଶାକୁ ପ୍ରାଥମିକତା ପାଇଁ କୃତଜ୍ଞତା ଜଣାଇଲେ ଧର୍ମେନ୍ଦ୍ର
ଭୁବନେଶ୍ବର/ ବଲାଙ୍ଗୀର : ୨୮୯ କିଲୋମିଟର ଦୈର୍ଘ୍ୟବିଶିଷ୍ଟ ଓଡ଼ିଶାର ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତନାଘନା କରିଛନ୍ତି। ବୁଧବାର ନୂଆଦିଲ୍ଲୀଠାରେ ଅନୁଷ୍ଠିତ ‘ପ୍ରଗତି’ ବୈଠକରେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପ ସଂପର୍କରେ ଟିକିନିଖି ତଥ୍ୟ ଜାଣିବାକୁ ଆଗ୍ରହ ଦେଖାଇଥିଲେ। କେଉଁ ପରିସ୍ଥିତିରେ ପ୍ରକଳ୍ପ ବିଳମ୍ବ ହେଉଛି, ନିର୍ଦିଷ୍ଟ କେବେ ଏହି ପ୍ରକଳ୍ପ ସରିବ, ସେ ନେଇ ପ୍ରଧାନମନ୍ତ୍ରୀଙ୍କ ରୋକଠୋକ୍ ପ୍ରଶ୍ନ ଅଧିକାରୀଙ୍କୁ ଅକଳରେ ପକାଇ ଦେଇଥିଲା।
କେନ୍ଦ୍ର ସରକାରଙ୍କ ଅଧିକାରୀମାନେ କହିଥିଲେ ଯେ ୨୦୧୫ ମସିହାରୁ ଏହି ପ୍ରକଳ୍ପର କାର୍ଯ୍ୟ ଧାର୍ଯ୍ୟ ଅନୁସାରେ କରାଯାଉଛି। ତା’ ପରଠାରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ କୌଣସି ବିଳମ୍ବ ହୋଇନାହିଁ।
ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ରେଳ ଟ୍ରାକର ନିର୍ମାଣ କାର୍ଯ୍ୟ ଠିକ୍ ଗତିରେ ଚାଲୁଅଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାର କାର୍ଯ୍ୟ ସଂପୂର୍ଣ୍ଣ ହେବ। ଏହି ରେଳ ପ୍ରକଳ୍ପର ଷ୍ଟାଟସରେ ଥିବା ଅନ୍ୟ କାର୍ଯ୍ୟ ମଧ୍ୟ ସୂଚାରୁରୂପେ ସମ୍ପାଦିତ ହେଉଅଛି।
ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା େଯ ବୌଦ୍ଧ ଏବଂ ସୋନପୁର ଜିଲ୍ଲାରେ ଜମି ଅଧିଗ୍ରହଣ ନେଇ ସମସ୍ୟା ଦେଖାଯାଇଛି। ସରକାର ଜମି ଅଧିଗ୍ରହଣ ପାଇଁ ଧ୍ୟାନ ଦେଉଛନ୍ତି। ମାତ୍ର କିଛି ସ୍ଥାନରେ ଜଙ୍ଗଲ ଏବଂ ପରିବେଶ ମଞ୍ଜୁରୀ ପ୍ରକ୍ରିୟା ତ୍ବରାନ୍ବିତ ହେବାର ଆବଶ୍ୟକତା ରହିଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଆହୁରି କୁହାଯାଇଥିଲା, ଏନ୍ଡିଏ ସରକାର ପ୍ରକଳ୍ପ ପାଇଁ ଆଗ୍ରହ ଦେଖାଇବାରୁ ରାଜ୍ୟ ସରକାର ୨୦୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ଏବଂ ଏହି ଅର୍ଥରେ ଜମି ଅଧିଗ୍ରହଣ କାର୍ଯ୍ୟ କରାଯାଉଛି , ଆଗାମୀ ୬ ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ ହେବ। ପରିବେଶ ମଞ୍ଜୁରୀ ସମେତ ଅନ୍ୟ ସବୁ ପ୍ରକ୍ରିୟା ପୂରଣ ହେଲେ ୨୦୨୩ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବା ନେଇ ସମ୍ଭାବନା ରହିଛି େବାଲି ବୈଠକରେ ମତପ୍ରକାଶ ପାଇଥିଲା।
ଦୀର୍ଘଦଶନ୍ଧି ଧରି ପଡ଼ି ରହିଥିବା ପ୍ରକଳ୍ପର କାର୍ଯ୍ୟ କିଭଳି ‘ପ୍ରଗତି’ ମାଧ୍ୟମରେ ଦ୍ରୁତଗତିରେ ତ୍ବରାନ୍ବିତ ହୋଇପାରେ, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ତାହାର ଏକ ଉଦାହରଣ ବୋଲି କେନ୍ଦ୍ର ସରକାରଙ୍କ ଅଧିକାରୀମାନେ କହିଥିଲେ।
ପ୍ରଗତି ବୈଠକରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ଷ୍ଟାଟସ ରିପୋର୍ଟରେ ପ୍ରଧାନମନ୍ତ୍ରୀ ବେଶ ପ୍ରଭାବିତ ହୋଇଥିଲେ ଓ ସନ୍ତୋଷ ବ୍ୟକ୍ତ ମଧ୍ୟ କରିଥିଲେ। ଏହି ପ୍ରଗତିର ବୈଠକରେ ବହୁ ପ୍ରତିକ୍ଷୀତ ଏହି ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଥିଲେ। ଉଭୟ ଭାରତ ସରକାର ଓ ରାଜ୍ୟ ସରକାର ମିଶି ଓଡିଶାର ସାମଗ୍ରିକ ବିକାଶ ପାଇଁ ଏହି ପ୍ରକଳ୍ପକୁ ପୂରା କରିବେ େବାଲି ପ୍ରଧାନମନ୍ତ୍ରୀ କହିଥିଲେ।
୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଦେଶରେ ପଡିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପାଇଁ ‘ପ୍ରଗତି’ର ଶୁଭାରମ୍ଭ କରାଯାଇଥିଲା। ଏହା ମାଧ୍ୟମରେ ଦେଶରେ ଦୀର୍ଘ ସମୟ ଧରି ପଡିରହିଥିବା ମହତ୍ୱପୂର୍ଣ୍ଣ ପ୍ରକଳ୍ପ ଗୁଡିକକୁ ଖୋଦ୍ ପ୍ରଧାନମନ୍ତ୍ରୀ ତଦାରଖ କରୁଛନ୍ତି। ୨୦୨୦ ଇଂରାଜି ନବବର୍ଷର ପ୍ରଥମ ପ୍ରଗତି ବୈଠକରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ତାଙ୍କର ଓଡିଶା ପ୍ରତି ଥିବା ପ୍ରାଥମିକତାକୁ ସୂଚାଇଛନ୍ତି।
ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପକୁ ଗତିଶୀଳ କରିବା ଲାଗି ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ନଜର ଦେଇଥିବା ପରିପ୍ରେକ୍ଷୀରେ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଏପ୍ରକାର ସମୀକ୍ଷା ଦ୍ବାରା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଖୁବ ଶୀଘ୍ର ପୂର୍ଣ୍ଣାଙ୍ଗ ହେବ। ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ପରିକଳ୍ପନା ବହୁତ ପୁରୁଣା। କିନ୍ତୁ ଏହି ପ୍ରକଳ୍ପକୁ ପୂର୍ବରୁ ଦିଲ୍ଲୀ ସରକାରରେ ଦାୟିତ୍ୱରେ ଥିବା ସରକାର ଏବଂ ରାଜ୍ୟ ସରକାର ଯେତେମାତ୍ରାରେ ପ୍ରାଥମିକତା ଦେବା କଥା ଦେଇନଥିଲେ। ଏହି କାରଣରୁ ପ୍ରକଳ୍ପରେ ମନ୍ଥରତା ଦେଖାଦେଇଥିଲା। ୧୯୯୫ ମସିହାରୁ ଏକ ପ୍ରକାର ସ୍ଥଗିତ ଥିବା ଏହି ପ୍ରକଳ୍ପ ଗତିଶୀଳ ହେଲା, ଯେତେବେଳେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର େମାଦୀ ଦାୟିତ୍ବ ନେଲେ। ସଂପ୍ରତି ମୋଦୀ ସରକାର ଓଡିଶା ସରକାରଙ୍କ ସହ ମିଶି ରାଜ୍ୟର ଅର୍ଥନୀତିକୁ ସମୃଦ୍ଧ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି। ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ସମ୍ପୂର୍ଣ୍ଣ ହେଲେ ଏହା ଆଞ୍ଚଳିକ କ୍ଷେତ୍ରରେ ଅର୍ଥନୀତିକୁ ବଳ ଦେବ।
ଉଲ୍ଲେଖଯୋଗ୍ୟ, ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପ ଉପରେ ନଜର ପକାଇ କହିଥିଲେ, ଏହି ଅଞ୍ଚଳ ତଥା କେବିକେ ଅଞ୍ଚଳର ଲୋକମାନଙ୍କୁ ସରକାରୀ ସୁବିଧାର ଆବଶ୍ୟକତା ରହିଛି । ଏହା ଅନ୍ୟ ଅଞ୍ଚଳ ଅପେକ୍ଷା ବେଶ୍ ପଛୁଆ ରହିଛି। ଏମାନଙ୍କୁ ରେଳ ସୁବିଧାର ନିତାନ୍ତ ଆବଶ୍ୟକତା ରହିଛି। ଯଦି ୧୯୯୫-୨୦୦୦ ମସିହାରେ ଏହି ପ୍ରକଳ୍ପର କାମ ଶେଷ ହୋଇଥାନ୍ତା ତେବେ ଏଥିପାଇଁ ହେଉଥିବା ଖର୍ଚ୍ଚ ମଧ୍ୟ କମ୍ ହୋଇଥାନ୍ତା। ପୂର୍ବ ଭାରତର ଅର୍ଥନୀତି ବଢିବା ସହ ଲୋକଙ୍କୁ ମଧ୍ୟ ଏହାର ସୁବିଧା ମିଳିଥାନ୍ତା ବୋଲି ପ୍ରଧାନମନ୍ତ୍ରୀ ସେବେ କହିଥିଲେ।
ଅଗ୍ରାଧିକାର ଭିତ୍ତିରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ। ଏ ସମ୍ପର୍କରେ ସେ ଲୋକସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି।