ଖୋର୍ଧା- ବଲାଙ୍ଗୀର ରେଳପଥ: ରାଜ୍ୟ କୋର୍ଟକୁ ବଲ୍‌ ଫିଙ୍ଗିଲେ ଧର୍ମେନ୍ଦ୍ର, ଜମି ମିଳିଲେ ୨ ବର୍ଷରେ ଟ୍ରେନ୍‌ ଗଡ଼ିବ

ଭୁବନେଶ୍ୱର : ରାଜ୍ୟ ସରକାର ଚଳିତ ବର୍ଷ ସବୁ ଜମି ଯୋଗାଇଦେଲେ ବହୁ ପ୍ରତୀକ୍ଷିତ ଖୋର୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ଆସନ୍ତା ଦୁଇ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ କେନ୍ଦ୍ର ସରକାର ଅର୍ଥର କୌଣସି ଅଭାବ ରଖିବେ ନାହିଁ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଆଜି ସ୍ଥାନୀୟ ପୂର୍ବତଟ ରେଳପଥ ମୁଖ୍ୟାଳୟରେ ବଲାଙ୍ଗୀର ପଟୁ ଖୋର୍ଧା-ବଲାଙ୍ଗୀର ରେଳପଥର ସମୀକ୍ଷା କରିବା ଅବସରରେ ଏପରି ମତ ଦେଇଛନ୍ତି ଶ୍ରୀ ପ୍ରଧାନ।

ରେଳ ବିଭାଗ ଆର୍ଥିକ ବ୍ୟବସ୍ଥା କରିଥିବା ବେଳେ ଯେତେ ଶୀଘ୍ର ରାଜ୍ୟ ସରକାର ଜମି ଯୋଗାଇ ଦେବେ, ସେତେ ଶୀଘ୍ର କାମ ଆଗକୁ ବଢ଼ିପାରିବ ବୋଲି ଏହି ବୈଠକରେ ଅଧିକାରୀମାନେ ସୂଚନା ଦେଇଛନ୍ତି। ବଲାଙ୍ଗୀର ପଟୁ ଖୋର୍ଧା-ବଲାଙ୍ଗୀର ରେଳପଥର ୧୫ କିମି କାର୍ଯ୍ୟ ଆରମ୍ଭ ହୋଇଛି ମାତ୍ର ସମ୍ପୂର୍ଣ ହୋଇ ନାହିଁ । ବଲାଙ୍ଗୀର ଜିଲାରେ ଦଳ ମତ ନିର୍ବିଶେଷରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ ତାଙ୍କ ନିକଟରେ ଦାବି କରା ଯାଇଥିଲା । କାମ ବିଳମ୍ବ ହେବାରୁ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ବ୍ୟଗ୍ରତା ଓ ଆକ୍ରୋଶ ଅଛି । ଏହି କାମ କିପରି ଆଗକୁ ବଢିବ, ସୋନପୁର, ବୌଦ୍ଧ ଓ ନୟାଗଡ ପର୍ଯ୍ୟନ୍ତ ରେଳ ଲାଇନ ପହଞ୍ଚିବ ଏ ସମ୍ବନ୍ଧରେ ଏହି ବୈଠକରେ ସମୀକ୍ଷା ହୋଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଏହି ବୈଠକରେ ପୂର୍ବତଟ ରେଳପଥ ମୁଖ୍ୟ ମହାପ୍ରବନ୍ଧକ ଉମେଶ ସିଂହଙ୍କ ସମେତ ରେଳ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ସେହିପରି ବିଜେପି ବିରୋଧୀ ଦଳ ନେତା ତଥା ପାଟଣାଗଡ଼ ବିଧାୟକ କେ ଭି ସିଂଦେଓ, ପୂର୍ବତନ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂଦେଓ, ବଲାଙ୍ଗୀର ନାଗରିକ କମିଟି ପକ୍ଷରୁ ବିଷ୍ଣୁପ୍ରସାଦ କେଡ଼ିଆ, ଭବାନୀ ଶଙ୍କର ଶତପଥୀ, ଆକ୍ସନ କମିଟି ସଭାପତି ଗୋପାଳଜୀୟୁ ପାଣିଗ୍ରାହୀ, ଜିଲା ସୈନିକ ସଂଘ ସଭାପତି ପ୍ରତାପ ରଥ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈ୦କରେ ବଲାଙ୍ଗୀର ସହର ଚାରିପାଖେ ବାଇପାସ୍‌ କାମକୁ ତ୍ୱରାନ୍ଵିତ କରାଯିବା ନେଇ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରୁଥିଲେ। ବଲାଙ୍ଗୀର ବାଇପାସର ପ୍ରାରମ୍ଭିକ ଆକଳନରୁ ମୂଲ୍ୟ ଢେର ବଢୁଥିବା କାରଣରୁ କେନ୍ଦ୍ର ଓ ରାଜ୍ୟ ଅଧିକାରୀ ମାନେ ଏହାର ସମାଧାନର ପନ୍ଥା ପୁଙ୍ଖାନୁପୁଙ୍ଖ ଆଲୋଚନା କରି କାଢୁଛନ୍ତି । ରାଜ୍ୟ ସରକାର ଜମି ଯୋଗାଇ ଦେବାର ୧୫ ଦିନ ମଧ୍ୟରେ କେନ୍ଦ୍ର ସଡ଼କ ପରିବହନ ବିଭାଗ ଅନୁମତି ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ରେଳ ଓ ରାସ୍ତା ନିର୍ମାଣର ଗତିକୁ ତ୍ୱରାନ୍ଵିତ କରିବାକୁ ରାଜ୍ୟ ସରକାର ନିଷ୍ଠାର ସହିତ ଉଦ୍ୟମ କରିବାକୁ ଶ୍ରୀ ପ୍ରଧାନ ଆହ୍ଵାନ କରିଥିଲେ। ବଲାଙ୍ଗୀର ସହର ମଧ୍ୟ ଦେଇ ଯାଇଥିବା ଦୁଇ ରାଜପଥ ସହରବାସୀଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି। ତେଣୁ ବଲାଙ୍ଗୀର ସହର ଚାରିପାଖେ ବାଇପାସ୍‌ର ଆବଶ୍ୟକତା ଥିବା ନାଗରିକ ସମାଜ ପକ୍ଷରୁ କୁହାଯାଇଛି।

ଚଳିତ ବର୍ଷ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ରେଳ ଲାଇନ୍‌ ସମ୍ପୂର୍ଣ୍ଣ ହେବା ନେଇ ଗୁରୁତ୍ୱ

ପାରାଦୀପ – ହରିଦାସପୁର ରେଳ ଲାଇନ ମାମଲାରେ ମତ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି କାମକୁ ତ୍ୱରାନ୍ଵିତ କଲେ ହିଁ ପାରାଦୀପ ବନ୍ଦରର ୧୦୦ ମିଲିୟନ ଟନ କ୍ଷମତାକୁ ୧୫୦ ମିଲିୟନ ଟନରୁ ୨୦୦ ମିଲିୟନ ଟନ କରା ଯାଇ ପାରିବ । ଏଥିପାଇଁ ପାରାଦୀପ- ହରିଦାସପୁର ଲାଇନରେ ଆହୁରି ଅତିରିକ୍ତ ଲାଇନ କରିବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେହିପରି ଚଳିତ ବର୍ଷ କେନ୍ଦ୍ରାପଡା ପର୍ଯ୍ୟନ୍ତ ଲାଇନକୁ ସମ୍ପୂର୍ଣ କରିବାକୁ ଶ୍ରୀ ପ୍ରଧାନ ଗୁରୁତ୍ୱ ଦେଇ ଏନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

ସମ୍ବନ୍ଧିତ ଖବର