ବଲାଙ୍ଗୀର : ଖୋର୍ଦ୍ଧା-ବଲାଙ୍ଗୀର ନିର୍ମାଣାଧୀନ ରେଳପଥକୁ ସମ୍ପୂର୍ଣ୍ଣ କରିବା ପାଇଁ ଆନ୍ତରିକତାର ସହ କାର୍ଯ୍ୟ କରାଯାଉଛି ବୋଲି ବିଭିନ୍ନ ସମୟରେ ରେଳମନ୍ତ୍ରୀଙ୍କ ସମେତ କେନ୍ଦ୍ରରେ କ୍ଷମତାସୀନ ଦଳର ନେତାମାନେ କହି ଆସୁଛନ୍ତି। ଏପରିକି ରାଜ୍ୟ ସରକାର ମଧ୍ୟ ଏ ସମ୍ପର୍କରେ ମତ ଦେଉଛନ୍ତି। ମାତ୍ର, ଏହାର ବାସ୍ତବତା କେତେ ବଜେଟ୍ରେ ଘୋଷଣା ଏବଂ ବାସ୍ତବ କ୍ଷେତ୍ରରେ ଖର୍ଚ୍ଚ ମଧ୍ୟରେ ରହିଥିବା ପାର୍ଥକ୍ୟରୁ ବେଶ୍ ଜଣାପଡ଼ିଛି। ବଜେଟ୍ରେ ଯେତିକି ପରିମାଣର ଘୋଷଣା କରାଯାଉଛି, ସେହି ତୁଳନାରେ ଖର୍ଚ୍ଚ ହେଉନଥିବା ହସ୍ତଗତ ତଥ୍ୟରୁ ଜଣାପଡ଼ିଛି।
ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟରେ ୧୦୫୦ କୋଟି ଏବଂ ୨୦୨୨-୨୩ ବଜେଟରେ ୮୯୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ବଜେଟ ଉପସ୍ଥାପନ ବେଳେ ଘୋଷଣା କରିଥିଲେ। କିନ୍ତୁ, ସୂଚନା ଅଧିକାର ଆଇନ ହସ୍ତଗତ ତଥ୍ୟରୁ ଜଣାପଡ଼ିଛି ଯେ ୨୦୨୧-୨୨ ବର୍ଷରେ ମାତ୍ର ୨୯୫ କୋଟି ୪୨ ଲକ୍ଷ ୩୯ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୨-୨୩ ତଥା ଚଳିତ ଆର୍ଥିକ ବର୍ଷର ଜୁଲାଇ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି ମାତ୍ର ୪୯ କୋଟି ୭୯ ଲକ୍ଷ ୯୮ ହଜାର ଟଙ୍କା। ସେହିଭଳି, ରେଳପଥ ନିର୍ମାଣ କାର୍ଯ୍ୟର ଗତିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ବଲାଙ୍ଗୀରର ବରିଷ୍ଠ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ତଥ୍ୟରୁ ଜଣାପଡ଼ିଛି ଯେ, ଏହି ୨୦୨୧-୨୨ ଓ ୨୨-୨୩ର ବଜେଟ୍ରେ ୧୯୪୧ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ବିଗତ ୨୦ବର୍ଷ ମଧ୍ୟରେ ବି ଏହି ପରିମାଣର ଅର୍ଥ ଖର୍ଚ୍ଚ ହୋଇନାହିଁ। ଅର୍ଥାତ୍ ୨୦୦୩-୦୪ ଆର୍ଥିକ ବର୍ଷରୁ ୨୨-୨୩ ବର୍ଷର ଜୁଲାଇ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କାର୍ଯ୍ୟରେ ଖର୍ଚ୍ଚ କରାଯାଇଛି ମାତ୍ର ୧୬୭୩ କୋଟି ୯୭ ଲକ୍ଷ ଟଙ୍କା। ଏହି ତଥ୍ୟକୁ ଅନୁଶୀଳନ କଲେ ଜଣାପଡୁଛି ଯେ, ଲୋଭନୀୟ ବଜେଟ ବ୍ୟୟ ଅଟକଳ ଘୋଷଣାଗୁଡ଼ିକ ଜନତାଙ୍କୁ ବିଭ୍ରାନ୍ତ କରିବା ପାଇଁ କରାଯାଉଛି। ମାତ୍ର, ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ।
ନର୍ଲାର ୱାର୍କସପ୍ ପାଇଁ ଘୋଷଣା ୨ କୋଟି, ଖର୍ଚ୍ଚ ମାତ୍ର ୩୧ ହଜାର
ଲୋକଙ୍କୁ ଭୁଆଁ ବୁଲାଉଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର
ସେହିପରି ରାଜ୍ୟ ସରକାର ଗତ ୨୦୧୬-୨୦୧୭ରୁ ଆଜି ପର୍ଯ୍ୟନ୍ତ ୭ ବର୍ଷରେ ଏହି ରେଳପଥ ପାଇଁ ମାତ୍ର ୩୦୩ କୋଟି ୬୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ତେବେ, ଜମି ଅଧିଗ୍ରହଣ ଭଳି ସମସ୍ୟା ଯୋଗୁ ଏହା ତ୍ବରାନ୍ବିତ ହୋଇପାରୁନି। ଏହି ରେଳପଥ ପାଇଁ ତିନି କିସମର ଜମି ଯଥା- ସରକାରୀ, ବେସରକାରୀ ଓ ଜଙ୍ଗଲ ଜମି ଅଧିଗ୍ରହଣ କରାଯାଉଛି। ରେଳପଥ ମଞ୍ଜୁରୀ ପାଇବା ୩୦ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ତିନି କିସମ ଜମିକୁ ଆଜି ପର୍ଯ୍ୟନ୍ତ ଶହେ ପ୍ରତିଶତ ଅଧିଗ୍ରହଣ କରାଯାଇ ନାହିଁ। ଅଧିଗ୍ରହଣ ହେବାକୁ ଥିବା ସରକାରୀ ଜମି ୧୨୮୪.୭୭ ଏକରରୁ ୨୭୩.୧୫ ଏକର, ବେସରକାରୀ ଜମି ୪୯୦୬.୬୯ ଏକରରୁ ୯୭.୨୨ ଏକର ବର୍ତ୍ତମାନ ପର୍ଯ୍ୟନ୍ତ ଅଧିଗ୍ରହଣ କରାଯାଇ ନଥିବା ବେଳେ ଆବଶ୍ୟକତା ଥିବା ୧୮୪୪.୪୦ ଏକର ଜଙ୍ଗଲ ଜମିରୁ ୧୬୭୪.୩୭ ଏକର ଜମିକୁ ଷ୍ଟେଜ ୨ ଅନୁମତି ମିଳିନାହିଁ। ମାତ୍ର ୧୭୦.୦୩ ଏକର ଜଙ୍ଗଲ ଜମିକୁ ଷ୍ଟେଜ ୨ ଅନୁମତି ମିଳିଥିବା ବେଳେ ୨୦୫.୦୪ ଏକର ଜମିକୁ ଷ୍ଟେଜ ୧ ଅନୁମତି ମିଳିଛି। ବିଛୁପାଲିରୁ ପରବର୍ତ୍ତୀ ଷ୍ଟପେଜ ଝାରତରଭାକୁ ଆସନ୍ତା ଅକ୍ଟୋବରରେ ପରୀକ୍ଷାମୂଳକ ଭାବେ ରେଳ ଚଳାଚଳ କରିବ ବୋଲି ତଥ୍ୟରେ କୁହାଯାଇଛି।
ଉଦାହରଣସ୍ବରୂପ ବିଛୁପାଲିରୁ ଝାରତରଭାର ଦୂରତା ମାତ୍ର ୧୦ କିମି ଅଟେ। ଏହା ୨୦୨୧ ମସିହାରେ କାର୍ଯ୍ୟକ୍ଷମ ହେବ ବୋଲି ପୂର୍ବରୁ ସ୍ଥିର କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଛୁପାଲି ପର୍ଯ୍ୟନ୍ତ ରେଳ ଚଳାଚଳକୁ ୨୦୧୯ ଜାନୁଆରି ୧୫ ତାରିଖ ଦିନ ଲୋକାର୍ପଣ କରି ରେଳପଥର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି କହିଥିଲେ। ହେଲେ, ମାତ୍ର ୧୦ କମି ଦୂରତା ମଧ୍ୟ ଧାର୍ଯ୍ୟ ସମୟରେ ସମ୍ପୂର୍ଣ୍ଣ ହୋଇନାହିଁ। ପ୍ରକଳ୍ପର ସମୁଦାୟ ଖର୍ଚ୍ଚ ଅଟକଳ ୩୭୯୧ କୋଟି ୬୬ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରେଳପଥରେ ଖର୍ଚ୍ଚ ହୋଇଛି ୧୬୭୩ କୋଟି ୯୭ ଲକ୍ଷ ଟଙ୍କା। ୩୦ ବର୍ଷ ପରେ ଖର୍ଚ୍ଚ ଅଟକଳର ଅଧେ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇ ପାରିନାହିଁ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରକଳ୍ପ ପାଇଁ ଅଣ୍ଟା ଭିଡ଼ିଥିଲେ ମଧ୍ୟ ଫଳାଫଳ ଅତ୍ୟନ୍ତ ନିରାଶାଜନକ। ଏପରିକି ରାଜ୍ୟକୁ ରେଳ ବିଭାଗ ମିଳିଥିଲେ ମଧ୍ୟ ଫଳାଫଳ ଶୂନ।
ଆଶ୍ଚର୍ଯ୍ୟ କଥା ଯେ, କଳାହାଣ୍ଡି ଜିଲ୍ଲାର ନର୍ଲାରେ ପ୍ରସ୍ତାବିତ ଲୋକୋ ପିରିଓଡିକାଲ ଓଭରହଲିଙ୍ଗ କାରଖାନା ପାଇଁ ଗତ ବଜେଟରେ ୨ କୋଟି ଟଙ୍କା ଘୋଷଣା କରାଯାଥିଲା। କିନ୍ତୁ, ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୩୧ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ପଶ୍ଚିମ ଓଡ଼ିଶା ପ୍ରତି ରେଳ ବିଭାଗର ଚରମ ଉଦାସୀନତା ଓ ଅଭ୍ୟାସଗତ ଅବହେଳା ଆଜି ବି ବଳବତ୍ତର ରହିଛି ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା କହିବା ସଙ୍ଗେ ଏହି ଅବହେଳା ଉଦ୍ଦେଶ୍ୟମୂଳକ ବୋଲି ଅଭିଯୋଗ କରିଛନ୍ତି।