ନିର୍ଯାତନା ଦେଉଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ: ବ୍ୟକ୍ତିଗତ ସହାୟକ ଆଣିଲେ ସାଂଘାତିକ ଅଭିଯୋଗ

ଖୋର୍ଦ୍ଧା,: ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରଵାଲ ତାଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଥିବା ନେଇ ତାଙ୍କ ପରିବାରର ଅଭିଯୋଗ ଏବେ ବି ରାଜ୍ୟରେ ଚର୍ଚ୍ଚାରେ ରହିଛି। ଠିକ୍ ଏମିତି ସମୟରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ବିବାଦକୁ ଆସିଛନ୍ତି। ଜିଲ୍ଲାପାଳ ତାଙ୍କ ବ୍ୟକ୍ତିଗତ ସହାୟକ ହେମନ୍ତ କୁମାର ଭୋଇଙ୍କୁ ନିୟମିତ ଭାବେ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ତାଙ୍କ ପତ୍ନୀ ସବିତା ନାୟକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଏତଲାରେ ଶ୍ରୀମତୀ ନାୟକ ଲେଖିଛନ୍ତି ଯେ ଜିଲ୍ଲାପାଳ ଶ୍ରୀ ଭୋଇଙ୍କୁ ଜାତିଆଣ ଆକ୍ଷେପ କରିବା ସହିତ ‘ଶାଲା ଓଡ଼ିଆ କିଛି ଜାଣିଲା ନାହିଁ। ଶାଲା…’ ବୋଲି ଆକ୍ଷେପ କରିଥାନ୍ତି। ଏହି କଥାଟି ଗଣମାଧ୍ୟମରେ ଆସିଲା ପରେ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି।

ଆଜି ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ହେମନ୍ତ କୁମାର ଭୋଇ ଓ ତାଙ୍କ ପତ୍ନୀ ସବିତା ନାୟକ ଖୋର୍ଦ୍ଧା ଟାଉନ ଥାନାରେ ପହଂଚିଥିଲେ। ଜିଲ୍ଲାପାଳଙ୍କ ବିରୋଧରେ ସେମାନେ ଲିଖିତ ଅଭିଯୋଗ ଦେଇଥିଲେ। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସବିତା କହିଥିଲେ ଯେ ଜିଲ୍ଲାପାଳ ତାଙ୍କ ସ୍ବାମୀଙ୍କୁ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ଖଟାଉଛନ୍ତି। ଜିଲ୍ଲାପାଳ କାର୍ଯ୍ୟାାଳୟରେ କାର୍ଯ୍ୟ କରିବା ପରିବର୍ତ୍ତେ ଜିଲ୍ଲାପାଳଙ୍କ ବାସଗୃହ କାର୍ଯ୍ୟାଳୟରେ କାର୍ଯ୍ୟ କରିବାକୁ ବାଧ୍ୟ କରୁଛନ୍ତି। ସେଠାରେ ନିୟୋଜିତ ରାନ୍ଧୁଣିଆ, ମାଳୀଙ୍କୁ ପରିଚାଳନା କରିବାକୁ କହୁଛନ୍ତି। ଓଡ଼ିଆ ଜାତିକୁ ସମାଲୋଚନା କରି ଗାଳିଗୁଲଜ କରୁଛନ୍ତି। ମାନସିକ ଚାପ ଯୋଗୁଁ ତାଙ୍କ ସ୍ବାମୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ରକ୍ତଚାପ ବୃଦ୍ଧି ପାଇଛି। ଯଦି ତାଙ୍କ ସ୍ବାମୀଙ୍କର କିଛି ହୁଏ, ତେବେ ଏଥିପାଇଁ ଜିଲ୍ଲାପାଳ ଦାୟୀ ରହିବେ। ନିଜେ ହେମନ୍ତ ଭୋଇ ଗଣମାଧ୍ୟମକୁ କହିଛନ୍ତି ଯେ ଗତ ଦୁଇ ମାସ ଧରି ଜିଲ୍ଲାପାଳ ତାଙ୍କୁ ଖରାପ ବ୍ୟବହାର ଦେଖାଉଛନ୍ତି। ଏହାକୁ ନେଇ ସେ ମାନସିକ ଚାପରେ ଅଛନ୍ତି। ଆଜି ସକାଳେ ମଧ୍ୟ ରାନ୍ଧୁଣିଆ ନିଯୁକ୍ତିକୁ ନେଇ ଅନେକ ଗାଳିଗୁଲଜ କରିଥିଲେ।

ସେ ଜିଲ୍ଲାପାଳଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ତୁମେ ଓଡ଼ିଆ କିଛି ଜାଣିନ ଚାଲିଯାଅ ବୋଲି ଜିଲ୍ଲାପାଳ କହିଥିଲେ। ଫଳରେ ତାଙ୍କର ରକ୍ତଚାପ ହଠାତ୍ ବଢ଼ିଯାଇଥିଲା, ଚିକିତ୍ସାଳୟରେ ପହଂଚି ଡାକ୍ତରଙ୍କ ପରାମର୍ଶରେ ଔଷଧ ନେଇଛନ୍ତି। ସେ ବର୍ତ୍ତମାନ ଛୁଟିରେ ରହିବେ। ଜିଲ୍ଲାପାଳ ଯାହା ପଦକ୍ଷେପ ନେବେ ସେ ତାକୁ ସାମ୍ନା କରିବାକୁ ପ୍ରସ୍ତୁତ।

ଅଭିଯୋଗ ପରେ ଟାଉନ ଥାନା ଏସ୍‌ଡିପିଓ ଦିଲୀପ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଉପଜିଲ୍ଲାପାଳ (ଭୁବନେଶ୍ବର) ଦେବବ୍ରତ ସାହୁ, ଖୋର୍ଦ୍ଧା ଉପଜିଲ୍ଲାପାଳ ବିଷ୍ଣୁଚରଣ ସେଠୀ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ ପ୍ରମୁଖ ପହଂଚିଥିଲେ। ଏନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପାଢ଼ୀ କହିଛନ୍ତି ଯେ ଅଭିଯୋଗ ହୋଇଥିବା କଥା ଜାଣିଛୁ, କିନ୍ତୁ କ’ଣ ପାଇଁ ଏଭଳି ଘଟିଲା ସେ ଜାଣନ୍ତି ନାହିଁ। ଜିଲ୍ଲାପାଳ ଜିଲ୍ଲା ପ୍ରଶାସନର ପ୍ରମୁଖ ଅଧିକାରୀ। ଅଭିଯୋଗ କରିଥିବା ବ୍ୟକ୍ତି ମଧ୍ୟ ଜିଲ୍ଲାପ୍ରଶାସନର ଜଣେ କର୍ମଚାରୀ। ଏଣୁ କ’ଣ ଘଟିଛି ବୁଝିବା ପରେ ହିଁ କିଛି କୁହାଯାଇପାରିବ। ଆମେ ମଧ୍ୟ ଅନେକ ସମୟରେ ନିଜର ଅଧସ୍ତନ କର୍ମଚାରୀଙ୍କୁ ତାଗିଦ କରିଥାଉ। ଯଦି ଏହାକୁ ନେଇ କିଛି ଅସନ୍ତୋଷ ରହିଛି ତେବେ ଏନେଇ ଆଲୋଚନା କରାଯାଇପାରେ। ତେବେ ଏବେ ଏନେଇ ସେ କିଛି ନିର୍ଦ୍ଦିଷ୍ଟ ମତ ଦେଇପାରିବେ ନାହିଁ। ଏସ୍‌ଡିପିଓ ଦିଲୀପ କୁମାର ଦାସ କହିଛନ୍ତି ଅଭିଯୋଗ ଗ୍ରହଣ ହୋଇଛି। ଅନୁସନ୍ଧାନ ଚାଲିଛି। ଅନୁସନ୍ଧାନ ପରେ ଯାହା କିଛି ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର