ଖୋର୍ଦ୍ଧା: ରବିବାର ସନ୍ଧ୍ୟାରେ ଅବସରପ୍ରାପ୍ତ ଶିଶୁ ରୋଗ ବିଶେଷଜ୍ଞ ଡା. ମାନସ ରଂଜନ ଦାସଙ୍କ କ୍ଲିନିକ୍ରେ ପଶି ମୁଖାପିନ୍ଧା ଆତତାୟୀର ଗୁଳିମାଡ଼ ଘଟଣାରେ ଗୁରୁତର ଆହତ ହୋଇଥିବା ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁ ଓରଫ ସନ୍ତୁଙ୍କର ଆଜି ମୃତ୍ୟୁ ହୋଇ ଯାଇଛି। ସେପଟେ ସଙ୍କଟାପନ୍ନ ଅବସ୍ଥାରେ ଥିବା ଡାକ୍ତର ମାନସ ରଞ୍ଜନ ଦାସଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ପୁଲିସ ତନାଘନା ତଦନ୍ତ ଜାରି ରଖିଥିଲେ ହେଁ ଏଯାଏ ଗୁଳିକାଣ୍ଡର କାରଣ ଜାଣି ପାରୁନାହିଁ କି ଗୁଳି ଚଳାଇଥିବା ଦୁର୍ବୃତ୍ତ ପାଖରେ ପହଞ୍ଚି ପାରିନାହିଁ। ଏ ନେଇ ଖୋର୍ଦ୍ଧାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଜି କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଘଟଣାସ୍ଥଳକୁ ଆସି ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହ ତଦନ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ହତ୍ୟାକାରୀକୁ ଧରିବା ପାଇଁ ୪ଟିମ୍ ଗଠନ କରାଯାଇଛି।
ସୂଚନାଯୋଗ୍ୟ ଯେ, ରବିବାର ସନ୍ଧ୍ୟାରେ ଜଣେ ଅଜଣା ଆତତାୟୀ ମୁହଁରେ ମଙ୍କି କ୍ୟାପ୍ ପିନ୍ଧି କ୍ଲିନିକ୍ ଭିତରକୁ ପଶି ଆସିଥିଲା ଏବଂ ଡାକ୍ତର ଦାସ ଓ ଔଷଧ ଦୋକାନୀ ସନ୍ତୁଙ୍କୁ ଗୁଳି କରି ଅତି ବେପରୁଆ ଢ଼ଙ୍ଗରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଉଭୟଙ୍କ ଛାତିର ଠିକ୍ ତଳଭାଗରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ଚିକିତ୍ସା ଲାଗି ରାଜଧାନୀର ଆମ୍ରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ବିଳମ୍ବିତ ରାତିରେ ସନ୍ତୁ ଆଖି ବୁଜିଥିଲେ। ଅନ୍ୟପକ୍ଷରେ ଡାକ୍ତର ଦାସଙ୍କ ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ଗୁଳି ମିଳି ନ ଥିଲା। ତେଣୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ଏଣେ ହତ୍ୟାକାରୀକୁ ଧରିବା ପାଇଁ ପୁଲିସ କ୍ଲିନିକ୍ ନିକଟରେ ଲାଗିଥିବା ଏକ ସିସିଟିଭିରୁ ଫୁଟେଜ୍ ସଂଗ୍ରହ କରି ତାର ତଦନ୍ତ ପରିସରକୁ ବ୍ୟାପକ କରିଛି। ସିସିଟିଭିରେ ମଙ୍କି କ୍ୟାପ୍ ପିନ୍ଧିଥିବା ଆତତାୟୀ ଜଣକ ଗୁଳିମାଡ଼ କରି ଅତି ଆରାମରେ ଘଟଣାସ୍ଥଳରୁ ଚାଲି ଯାଉଥିବା ଦେଖିବାକୁ ମିଳୁଛି। ତେଣୁ ଏହି କାର୍ଯ୍ୟ କୌଣସି ପେସାଦାର ଅପରାଧୀଙ୍କର ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି ଏବଂ ଏହି ଦିଗକୁ ଫୋକସ୍ କରି ତଦନ୍ତ ଚଳାଇଛି।
ଏସ୍ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି ଯେ ତଦନ୍ତ ପାଇଁ ୨ ଜଣ ଅତିରିକ୍ତ ଏସ୍ପି ଓ ୨ଜଣ ଡିଏସ୍ପିଙ୍କ ନେତୃତ୍ବରେ ୪ଟି ଟିମ୍ ଗଠନ କରାଯାଇଛି । ଗୋଟିଏ ଟିମ୍ ସାଇବର ଦିଗକୁ ଯାଞ୍ଚ କରୁଛନ୍ତି। ଗୋଟିଏ ଟିମ୍ ଭୁବନେଶ୍ବରରୁ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ ଚଳାଇଥିବା ବେଳେ ଅନ୍ୟ ଗୋଟିଏ ଟିମ୍ ନୟାଗଡ଼, ରଣପୁର ଅଞ୍ଚଳରେ ତଦନ୍ତ ଚଳାଇଛନ୍ତି। ଅନ୍ୟ ଏକ ଟିମ୍ ବ୍ରହ୍ମପୁରର ସୁପାରି କିଲର୍ଙ୍କ ସମ୍ପର୍କରେ ତଦନ୍ତ ଚଳାଇଛନ୍ତି ବୋଲି ଏସ୍ପି ଶ୍ରୀ ସ୍ବାଇଁ କହିଛନ୍ତି। ସେହିପରି ୫୭ ନମ୍ବର ଜାତୀୟ ରାଜପଥର ବାଘମାରିରୁ ମିଳିଥିବା ଏକ ସିସିଟିଭିରେ ସମ୍ଭାବ୍ୟ ଆତତାୟୀଙ୍କର ଏକ ଫୁଟେଜ୍ ରହିଥିବା ସନ୍ଦେହ କରାଯାଉଛି। ଗତକାଲି ଓ ଆଜି ସାଇଣ୍ଟିଫିକ୍ ଟିମ୍ ନେଇ ଘଟଣାସ୍ଥଳରେ ତଦନ୍ତ କରାଯାଇଛି। ଘଟଣାସ୍ଥଳରୁ ୩ଟି ଖୋକା ଜବତ କରାଯାଇଥିବା ଏସ୍ପି ଶ୍ରୀ ସ୍ବାଇଁ କହିଛନ୍ତି। ପୁଲିସ ଗୁଳିମାଡ଼ର ସମ୍ଭାବ୍ୟ କାରଣ ଜାଣିବାକୁ ଚେଷ୍ଟା କରୁଥିବାବେଳେ ଡାକ୍ତରଙ୍କ ପତ୍ନୀଙ୍କଠାରୁ ମଧ୍ୟ ଏ ସମ୍ପର୍କରେ ବିଶେଷ କିଛି ସୂଚନା ମିଳିପାରୁନାହିଁ। ଏପରିକି କ୍ଲିନିକ୍ରେ ମଧ୍ୟ ରୋଗୀଙ୍କ ତାଲିକା, ଠିକଣା ଓ ଅନ୍ୟ ନଥିପତ୍ର ନାହିଁ। ତେଣୁ ପୁଲିସ ତଦନ୍ତକୁ ନେଇ ଅଡ଼ୁଆରେ ପଡ଼ିଛି। ତେବେ ଆତତାୟୀର ସିସିଟିଭି ଫୁଟେଜ୍କୁ ରାଜ୍ୟର ବିଭିନ୍ନ ଜେଲକୁ ପଠାଯାଇଛି। ବିଶେଷ କରି ଭୁବନେଶ୍ବରର ଝାରପଡ଼ାସ୍ଥିତ ସ୍ବତନ୍ତ୍ର କାରାଗାର ଓ ବ୍ରହ୍ମପୁର କାରାଗାର କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇ ଆତତାୟୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ କରାଯାଇଛି। ଜେଲ କର୍ତ୍ତୃପକ୍ଷଙ୍କୁ ପୁଲିସ ଏହି ଫୁଟେଜ୍ ଦେଖାଇବା ସହିତ ଏଥିରେ ଯେଉଁ ଆତତାୟୀଙ୍କର ଛବି କରିଛି, ସେ ପ୍ରକାର କୌଣସି ଅପରାଧୀ ସେମାନଙ୍କ ଜେଲରେ ଥିଲେ କି? ଯଦି ଥିଲେ, ତେବେ କେଉଁ ଅପରାଧରେ ଥିଲେ ଓ କେବେ ଜାମିନ୍ରେ ମୁକୁଳିଛନ୍ତି ସେ ସମ୍ପର୍କରେ ପୁଲିସ ତଥ୍ୟ ସଂଗ୍ରହ କରୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/68f7h8f97hf987hf98h7f98shhhhhhhhhhhhhhh.jpg)