ଖୋର୍ଦ୍ଧା : ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଚିକିତ୍ସା ଲାଗି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କର ଅସୁସ୍ଥତାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
ଗତ ତିନି ଦିନ ଧରି ଶ୍ରୀ ମିତ୍ର ଅସୁସ୍ଥ ଥିବା ନେଇ କିଛି ସୋସାଆଲ୍ ମିଡିଆରେ ଖବର ପ୍ରଚାରିତ ହେଉଥିଲା। ତେବେ ଗତକାଲି ଜେଏନ୍ଏମ୍ ଫ୍ୟାନ୍ କ୍ଲବ ନାମକ ଏକ ହ୍ବାଟସ୍ଆପ୍ ଗ୍ରୁପ୍ରେ ଜିତୁ ମିତ୍ର ଅସୁସ୍ଥ ଥିବା ଓ ତାଙ୍କୁ ପ୍ରଥମେ ଭୁବନେଶ୍ବର କେୟାର୍ ହସ୍ପିଟାଲ୍ ପରେ ମୁମ୍ବାଇସ୍ଥିତ ଟାଟା ମେମୋରିଅଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା କଥା ଦର୍ଶାଇ ଆଶୁ ଆରୋଗ୍ୟ କାମନା କରାଯାଇଥିଲା। ଏହି କଥା ଖୋର୍ଦ୍ଧାରେ ପ୍ରଚାରିତ ହେବା ପରେ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏ ନେଇ ସମ୍ବାଦ ପକ୍ଷରୁ ଜୁତୁ ମିତ୍ରଙ୍କ ବ୍ୟକ୍ତିଗତ ଫୋନ୍ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନଥିଲା। ପରେ ତାଙ୍କ ଭଣଜା ରୁଦ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ତଣ୍ଟିରେ କିଛି ସଂକ୍ରମଣ ହୋଇଥିଲା। ଦୁଇ ଦିନ ପୂର୍ବେ ପ୍ରଥମେ କେୟାର୍ ହସ୍ପିଟାଲ୍ରେ ପରୀକ୍ଷଣ କରାଯାଇଥିଲା। ଏହାପରେ ବିଜୁ ଯୁବ ବାହିନୀର ସିଓଓ ଅରୂପ ପଟ୍ଟନାୟକଙ୍କ ସହାୟତାରେ ତାଙ୍କୁ ମୁମ୍ବାଇ କୋକିଲା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ ଆଣ୍ତ୍ ମେଡିକାଲ୍ ରିସର୍ଚ୍ଚ ସେଣ୍ଟରକୁ ନିଆଯାଇଛି। ସେଠାରେ ଶ୍ରୀ ମିତ୍ରଙ୍କ ଭାଇ, ପତ୍ନୀ, ଝିଅ, ଜ୍ବାଇଁ ସମେସ୍ତ ଅଛନ୍ତି। ପରୀକ୍ଷା ଚାଲିଛି, ରିପୋର୍ଟ ଆସିବା ପରେ ଯାହା କିଛି ଜଣାଯିବ ବୋଲି ରୁଦ୍ର ସୂଚନା ଦେଇଛନ୍ତି।