ଭୁବନେଶ୍ବର : ଟ୍ରେନ୍‌ରୁ ବୁଲା ବିକାଳିଙ୍କୁ ହଟାଇବା ପାଇଁ ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ପକ୍ଷରୁ ଜୋରଦାର ଚଢ଼ଉ ଆରମ୍ଭ ହୋଇଛି। ବିଶେଷକରି ଖୋର୍ଧା ରେଳ ଡିଭିଜନ୍‌ ଅଧୀନରେ ୧୦ଦିନ ହେବ ନିୟମିତ ଚଢ଼ଉ ଜାରି ରହିଛି। ଫଳରେ ଡିଭିଜନ୍‌ ଅଧୀନରେ ଥିବା ଭଦ୍ରକରୁ ପଲାସା, ଅନୁଗୁଳ, ପୁରୀ ଓ ପାରାଦୀପରେ ବୁଲା ବିକାଳିଙ୍କୁ ଆଉ ଦେଖିବାକୁ ମିଳୁନାହିଁ। ଯେଉଁମାନେ ଲୁଚିଛପି ‌ଖାଦ୍ୟ କିମ୍ବା ଅନ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି ତାଙ୍କୁ ଧରିବା ପରେ ଜରିମାନା ଆଦାୟ କରାଯାଉଛି।

Advertisment

୨୦୧୮ ମସିହାରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟ‌ରେ ନୂଆଦିଲ୍ଲୀ, କାନପୁର, ନାଗପୁର, ଭୋପାଳ ଓ ଝାନ୍‌ସି ଆଦି ରେଳ ଷ୍ଟେସନ୍‌ରେ ବୁଲା ବିକାଳି ହଟାଇବା ଅଭିଯାନ ଆରମ୍ଭ ହୋଇଥିଲା। ଆର୍‌ପିଏଫ୍‌ର ବରିଷ୍ଠ ଅଧିକାରୀ ବରୁଣ କୁମାରଙ୍କ କହିବା ମୁତାବକ, ସ୍ବଚ୍ଛତା ଓ ସୁରକ୍ଷା ଦୃଷ୍ଟିରୁ ୧୦ ଦିନ ହେବ ଖୋର୍ଧା ଡିଭିଜନ୍‌ରେ ଏହି ଚଢ଼ଉ ଅଭିଯାନ ଜାରି ରହିଛି। ଯେଉଁ ବୁଲା ବିକାଳିମାନେ ଟ୍ରେନ୍‌ରେ ବୁଲିବୁଲି ଖାଦ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି ତାହାର ମାନ ଯାଞ୍ଚ କରିବା ସମ୍ଭବ ହେଉନାହିଁ। ଅନ୍ୟପକ୍ଷରେ ଲାଇସେନ୍‌ସପ୍ରାପ୍ତ ବ୍ୟବସାୟୀମାନଙ୍କ ଖାଦ୍ୟ ସମୟେ ସମୟେ କ୍ୟାଟରିଂ ଇନ୍‌ସପେକ୍ଟରଙ୍କ ଦ୍ବାରା ଯାଞ୍ଚ କରାଯାଉଛି। ଲାଇସେନ୍‌ସପ୍ରାପ୍ତ ବ୍ୟବସାୟୀମାନେ କେତେ ସହଯୋଗୀ ନିଜ ସହ ରଖୁଛନ୍ତି ତା’ର ହିସାବ ରହୁଛି। ଏଥିସହ ଖାଦ୍ୟ ପରଷୁଥିବା କ୍ୟାଟରିଂ ବୟ କୌଣସି ସଂକ୍ରାମକ ରୋଗରେ ପୀଡ଼ିତ କି ନାହିଁ ମେଡିକାଲ୍‌ ଟେଷ୍ଟ୍‌ ପରେ ସେମାନଙ୍କୁ ଖାଦ୍ୟ ପରଷିବାକୁ ଅନୁମତି ମିଳୁଛି।

ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବୁଲା ବିକାଳିମାନେ ଖାଦ୍ୟରେ ନିଶା ଦେଇ ଲୁଟ୍‌ କରୁଥିବା ଅଭିଯୋଗ ବାରମ୍ବାର ଆସିଛି। ଅନ୍ୟ ପକ୍ଷରେ ପାଣ୍ଟ୍ରି କାର୍‌ ବ୍ୟବସାୟୀମାନେ ନିର୍ଦିଷ୍ଟ ବେଶ ପୋଷାକରେ ଖାଦ୍ୟ ପରଷୁଛନ୍ତି। ତାଙ୍କ ଛାତିରେ ନେମ୍‌ପ୍ଲେଟ୍‌ ବି ରହୁଛି। ତେଣୁ ଜଣେ ଖାଦ୍ୟ ଦେବା ବେଳେ ଅନ୍ତତଃ ଖାଦ୍ୟ ପରଷୁଥିବା ପିଲାର ନାଁ’ଟି ମନେ ରଖିପାରିବ। ଅନେକ ସମୟରେ ଲାଇସେନ୍‌ସପ୍ରାପ୍ତ ବ୍ୟବସାୟୀ ଏବଂ ବୁଲା ବିକାଳିଙ୍କ ମଧ୍ୟରେ ଖାଦ୍ୟ ଯୋଗାଇବାକୁ ନେଇ ଅସ୍ବାଭାବିକ ପରିସ୍ଥିତି ଉପୁଜୁଛି। ଅନେକ ସ୍ଥାନରେ ବୁଲା ବିକାଳିମାନେ ମହିଳା ଓ ଅନ୍ୟମାନଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି ବୁଲା ବିକାଳିଙ୍କୁ ସମ୍ପୂର୍ଣ୍ଣ ହଟାଇବା ପାଇଁ ଆର୍‌ପିଏଫ୍ ପକ୍ଷରୁ ପ୍ରତିଦିନ ଚଢ଼ଉ କରାଯାଉଛି। ଭାରତୀୟ ରେଲ୍‌ୱେ ଆଇନ ୧୪୪ ଧାରା ଅନୁଯାୟୀ ବିନା ଲାଇସେନ୍‌ସରେ କୌଣସି ବୁଲା ବିକାଳିଙ୍କୁ ଖାଦ୍ୟ ବିକ୍ରିର ଅନୁମତି ମିଳିବ ନାହିଁ। ଧରା ପଡ଼ିଲେ ସେମାନଙ୍କଠାରୁ ଜରିମାନା ଆଦାୟ ହେବାର ବ୍ୟବସ୍ଥା ରହିଛି। ଏହାକୁ ଦୃଷ୍ଟିରେ ରଖି ମୂଳରୁ ବୁଲା ବିକାଳିଙ୍କୁ ଅନୁମତି ଦିଆ ନଗଲେ ସବୁ ସମସ୍ୟା ଦୂର ହୋଇଯିବା ନ୍ୟାୟରେ ଏହି ଅଭିଯାନ ଚାଲୁ ରହିଛି ବୋଲି ବରୁଣ କୁମାର କହିଛନ୍ତି।