୫ ବର୍ଷରେ ପ୍ରକଳ୍ପ ପାଇଁ ୨୪୪୬ କୋଟି ଟଙ୍କା ଆବଣ୍ଟନ କରାଯାଇଛି
ଖର୍ଚ୍ଚ ହୋଇଛି ମାତ୍ର ୯୧୫ କୋଟି ୮୮ ଲକ୍ଷ ଟଙ୍କା
ବଲାଙ୍ଗୀର : ଖୋର୍ଦ୍ଧାରୋଡ- ବଲାଙ୍ଗୀର ନିର୍ମାଣାଧୀନ ରେଳପଥ ପାଇଁ ଚଳିତ ବଜେଟରେ ୮୯୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାଜ୍ୟର ସମସ୍ତ ପ୍ରକଳ୍ପଠାରୁ ଏହା ସର୍ବାଧିକ ବୋଲି କୁହାଯାଉଛି। କିନ୍ତୁ ଅଧିକ ଅର୍ଥ ବ୍ୟୟ ବରାଦ କରାଯାଇ ଖର୍ଚ୍ଚ କମ୍ କରାଯିବା ପୁରୁଣା ଅଭ୍ୟାସକୁ ଖୋର୍ଦ୍ଧାରୋଡ- ବଲାଙ୍ଗୀର ରେଳ ପ୍ରକଳ୍ପ କ୍ଷେତ୍ରରେ ପୁଣିଥରେ କେବଳ ଦୋହରାଯାଇଛି ।
ବଲାଙ୍ଗୀରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଶୁକ୍ରବାର ସ୍ଥାନୀୟ ଯାଦବ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି, ସର୍ବାଧିକ ବଜେଟ ବ୍ୟୟ ବରାଦ ରସଗୋଲା ସଦୃଶ ନୁହେଁ। ଗତ ୫ ବର୍ଷରେ ଅର୍ଥାତ୍ ୨୦୧୬-୧୭ରୁ ୨୦୨୦-୨୧ ମଧ୍ୟରେ ପ୍ରକଳ୍ପ ପାଇଁ ୨୪୪୬ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ଖର୍ଚ୍ଚ ହୋଇଛି ମାତ୍ର ୯୧୫ କୋଟି ୮୮ ଲକ୍ଷ ଟଙ୍କା। ଯାହାକି ସମୁଦାୟ ଆବଣ୍ଟିତ ଅର୍ଥର ୪୦ ପ୍ରତିଶତରୁ ମଧ୍ୟ କମ୍ ଅଟେ। ଅଥଚ ୨୦୧୧-୧୨ରୁ ୨୦୧୫-୧୬ ଆର୍ଥିକ ବର୍ଷ ତଥା ୫ ବର୍ଷ ମଧ୍ୟରେ ୩୫୫ କୋଟି ଟଙ୍କା ଆବଣ୍ଟନ କରାଯାଇଥିବାବେଳେ ଖର୍ଚ୍ଚ କରାଯାଇଛି ୪୨୭ କୋଟି ଟଙ୍କା ବୋଲି ତଥ୍ୟରେ ରହିଛି। ବଜେଟ୍ରେ ଅଧିକ ଅର୍ଥ ଘୋଷଣା କରି କମ୍ ଖର୍ଚ୍ଚ କରିବା ଦ୍ୱାରା ଓଡ଼ିଶା ପ୍ରତି ରେଳ ବିଭାଗର ଅବହେଳା ପ୍ରଚାରକୁ ହୁଏତ ଏଡ଼ାଇ ଦିଆଯାଇ ପାରେ; କିନ୍ତୁ ଏହାଦ୍ୱାରା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେବ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ୨୦୧୫ ମସିହାରେ ଏକ ରାଜିନାମାରେ ରାଜ୍ୟ ସରକାର ଓ ରେଳ ବିଭାଗ ସ୍ୱାକ୍ଷର କରିଥିଲେ। ରାଜିନାମା ଅନୁଯାୟୀ ନିର୍ମାଣ କାର୍ଯ୍ୟର ୫୦-୫୦ ଭାଗ ଅର୍ଥ ରାଜ୍ୟ ଓ କେନ୍ଦ୍ର ବହନ କରିବେ। ଜମି ଅଧିଗ୍ରହଣ ୨ ବର୍ଷ ୬ ମାସ ମଧ୍ୟରେ କରାଯାଇ ମାଗଣାରେ ରାଜ୍ୟ ଜମି ଯୋଗାଇ ଦେବ ଏବଂ ୨୦୨୧ ମସିହା ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକୁ ଶେଷ କରାଯିବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାମ ଶେଷ ହୋଇନାହିଁ ବୋଲି ତଥ୍ୟରେ ଉଲ୍ଲେଖ ରହିବା ସଂଗେ ଏହି ସମୟସୀମା ମଧ୍ୟରେ ରାଜିନାମା ଅନ୍ତର୍ଭୁକ୍ତ ୧୭୭ କିମିରୁ ଅର୍ଥାତ ଦଶପଲ୍ଲାରୁ ବଲାଙ୍ଗୀର ମଧ୍ୟରେ ମାତ୍ର ୧୪.୫୮ କିମି ବିଛୁପାଲି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି ରାଜିନାମାର ସମୟସୀମା ଇତିମଧ୍ୟରେ ଶେଷ ହୋଇ ଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରାଜିନାମାର ନବୀକରଣ କରାଯାଇ ନାହିଁ।
ଗତ ୨୧ ଡିସେମ୍ବରରେ ଇଷ୍ଟକୋଷ୍ଟ ରେଲୱେ ଭୁବନେଶ୍ୱରର ଚିଫ୍ ପ୍ରୋଜେକ୍ଟ ମ୍ୟାନେଜର(୧) ୨୦୨୫ ମସିହା ପର୍ଯ୍ୟନ୍ତ ଏହାର ନବୀକରଣ ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବଙ୍କୁ ପତ୍ର ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ନବୀକରଣ କରାଯାଇ ନାହିଁ। କେଉଁ ଭିତ୍ତିରେ ଅର୍ଥ ଖର୍ଚ୍ଚ ହେବ ତାହା ଏକ ପ୍ରଶ୍ନବାଚୀ ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ରାଜିନାମା ସମୟସୀମା ମଧ୍ୟରେ ଓଡ଼ିଶା ୪୮୩ କୋଟି ଟଙ୍କା ରେଳ ବିଭାଗକୁ ପ୍ରଦାନ କରିଥିବା ବେଳେ ଖର୍ଚ୍ଚ କରାଯାଇଛି କେବଳ ୨୦୬ କୋଟି ବୋଲି ତଥ୍ୟରେ ଉଲ୍ଲେଖ ରହିଛି। ରାଜ୍ୟ ସରକାରଙ୍କ ପ୍ରଦତ୍ତ ଅର୍ଥକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ରାଜିନାମା ସମୟ ଅବଧି ତଥା ୬ ବର୍ଷ ମଧ୍ୟରେ ଖର୍ଚ୍ଚ କରାଯାଇ ନାହିଁ। ଖୋର୍ଦ୍ଧାରୋଡ- ବଲାଙ୍ଗୀର ନିର୍ମାଣାଧୀନ ରେଳପଥ ପାଇଁ ଅର୍ଥ ଘୋଷଣା ଓ ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କଲେ, ଅବହେଳାର ସୁଦୀର୍ଘ ଇତିହାସରେ କେବଳ ଆଉ ଏକ ପୃଷ୍ଠା ଯୋଡ଼ି ହୋଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/khordha-balangir.jpg)