ଦୁଇ ଘଣ୍ଟା ଆଲୋଚନା, ତଥାପି ଖୋର୍ଦ୍ଧା ସହରର କ୍ୟାବିନ୍ ସମସ୍ୟାର ସମାଧାନ ବାଟ ବାହାରିଲା ନାହିଁ

ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା ସହର କ୍ୟାବିନ୍ ସହର ବୋଲି ପରିଚିତ । ରାସ୍ତାକଡ଼, ନାଳ ଆଦି ଜବରଦଖଲ କରି ଦୋକାନ ନିର୍ମାଣ ଉପରେ ନିୟନ୍ତ୍ରଣ ଓ କ୍ୟାବିନ୍ଗୁଡ଼ିକର ଥଇଥାନକୁ ନେଇ ପ୍ରଶାସନ ଓ କ୍ୟାବିନ୍ ଦୋକାନୀଙ୍କ ମଧ୍ୟରେ ଟଣାଓଟରା ଗତ ତିନି ଦଶନ୍ଧୀ ଧରି ଚାଲିଛି । ଏନେଇ ସଂଖ୍ୟାଧିକ ଧର ପ୍ରଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ସମାଧାନର ପନ୍ଥା ବାହାରି ପାରିନାହିଁ । ଆଜି ମଧ୍ୟ ଜିଲ୍ଲା ପ୍ରଶାସନ, କ୍ୟାବିନ୍ ମାଲିକ ସଂଘ ଓ ବିଧାୟକଙ୍କ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ବୈଠକରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଆକାଶ ଚଢ଼େଇକୁ ବେସର ବଟା ନ୍ୟାୟରେ ବିଡିଏରୁ କୋଟାଧିକ ଟଙ୍କା ଅନୁଦାନ ଆସିବା ପରେ ଯାଇ ଥଇଥାନ ହେବ, ଏଭଳି ନିର୍ଯାସ ପରେ ଯେଝା ଘରକୁ ଫେରିଯାଇଛନ୍ତି । ଆଜି ପୂର୍ବାହ୍ଣରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର ସାହୁ, ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ଆଇ ଶିବାଜୀ ଗୌରବ ଓ ଦୋକାନ ମାଲିକ ସଂଘର କର୍ମକର୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା ପ୍ରାୟ ୨ ଘଂଟା ଧରି ଚାଲିଲା ।

ଶେଷରେ ରାସ୍ତା ଉପରେ ଜବରଦଖଲ କରିରଖିଥିବା କ୍ୟାବିନ୍ ଓ ଦୋକାନଗୁଡ଼ିକୁ ହଟାଇବା ନେଇ କିମ୍ବା ସେମାନଙ୍କ ଥଇଥାନ ନେଇ କୌଣସି ନିଷ୍ପତ୍ତି ହୋଇପାରିଲା ନାହିଁ । ଦୁଇ ବିଧାୟକ ରାଜ୍ୟ ନଗର ଉନ୍ନୟନ ବିଭାଗ ଓ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷଙ୍କ ଉପରେ ଚାପ ପକାଇ ଦୋକାନ ନିର୍ମାଣ ପାଇଁ ୫-୭ କୋଟି ଟଙ୍କା ଅନୁଦାନ ଆଣିବା ପରେ ଦୋକାନ ନିର୍ମାଣ ହେବ ଓ ଦୋକାନୀ ସେଠାକୁ ସ୍ଥାନାନ୍ତର ହେବା ପରେ ରାସ୍ତାକଡ଼ରୁ ଦୋକାନଗୁଡ଼ିକ ହଟିବ ବୋଲି ସ୍ଥିର ହୋଇଥିଲା । ଖୋର୍ଦ୍ଧା ସହରରେ ମାରୁୱାଡ଼ି ପଟ୍ଟି ଠାରୁ ଷ୍ଟେଟ୍ ବ୍ୟାଙ୍କ ଛକ ମଧ୍ୟରେ ୫୪୦ଟି କ୍ୟାବିନ୍ ରହିଛି । ସମସ୍ତ କ୍ୟାବିନ୍ ରାସ୍ତା ଉପରେ ଓ ନାଳ ଉପରେ ଜବରଦଖଲ କରି ନିର୍ମାଣ କରାଯାଇଛି ।

ଦୋକାନଗୁଡ଼ିକ ଦ୍ୱାରା ସହରରେ ଟ୍ରାଫିକ୍ ସମସ୍ୟା ଏକ ନିୟମିତ ଘଟଣା ହୋଇଥିବା ବେଳେ ଅନେକ ସମୟରେ ଆମ୍ବୁଲାନ୍ସ ଯିବା ପାଇଁ ମଧ୍ୟ ରାସ୍ତା ମିଳୁନାହିଁ । ଏହାକୁ ନେଇ ସ୍ଥାନୀୟ ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀମାନେ ଦୋକାନଗୁଡ଼ିକୁ ହଟାଇବାକୁ ଅନେକ ଥର ପ୍ରଶାସନ ଉପରେ ଚାପ ପକାଇଛନ୍ତି । ପ୍ରଶାସନ ମଧ୍ୟ ପ୍ରଚେଷ୍ଟା କରି ବିଫଳ ହୋଇଛି । ମାମଲା ରାଜ୍ୟ ଉଚ୍ଚ ନ୍ୟାୟାଳୟକୁ ମଧ୍ୟ ଯାଇଛି । ଦୋକାନଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାର ବ୍ୟବସ୍ଥା କରିବା ପରେ ଯାଇ ସେମାନଙ୍କୁ ହଟାଯିବ ବୋଲି ରାୟ ଦେଇଛନ୍ତି । ୨୦୧୮ରେ ଏହି ସ୍ଥାନାନ୍ତର ନେଇ ଯୋଜନା ହୋଇଥିଲା । ପ୍ରାୟ ୭ କୋଟି ଟଙ୍କା ବ୍ୟୟରେ ହାବେଳି ପଡ଼ିଆ ଠାରେ ଦୋକାନ ଘର ନିର୍ମାଣ କରି ସ୍ଥାନାନ୍ତର କରିବାକୁ ଯୋଜନା ହୋଇଥିଲା । କିନ୍ତୁ ବିଭିନ୍ନ ରାଜନୈତିକ କାରଣ ଯୋଗୁଁ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

ସମ୍ବନ୍ଧିତ ଖବର