ଖୋର୍ଦ୍ଧା: ପୁଇଁଚିଆ ଗ୍ରାମରେ ପୁଲିସ ଚଢ଼ାଉ; ଲୁଟ୍‌ ଟଙ୍କା ଉଦ୍ଧାର

ଖୋର୍ଦ୍ଧା: ବୁଧବାର ପୂର୍ବାହ୍ନରେ ପୁଲିସ ବୈଦ୍ୟଶ୍ୱର ଥାନା ଅଧୀନ ପୁଇଁଚିଆ ଗ୍ରାମର ପପୁ ମାର୍ଥା, ସୁଧୀର ମହନ୍ତି ଓ ସୁନୀଲ ମହାନ୍ତିଙ୍କ ଘରୁ ନଭେମ୍ବର ଆଠ ତାରିଖ ଗୁରୁବାର ଦିନ ବାଘମାରି-କଳାପଥର ରାସ୍ତାର ଗୋଡ଼ିଆପଲ୍ଲୀ ଗାଁ ନିକଟରୁ କାର୍‌ ମଧ୍ୟରୁ ଲୁଟ୍‌ ହୋଇଥିବା ଟଙ୍କା ଉଦ୍ଧାର କରିଛି। କେତେ ପରିମାଣର ଟଙ୍କା ସେମାନଙ୍କ ଠାରୁ ଉଦ୍ଧାର କରାଯାଇଛି ସେ ସଂକ୍ରାନ୍ତରେ ପୁଲିସ କୌଣସି ସୂଚନା ଦେଇ ନାହିଁ।

ଖୋର୍ଦ୍ଧା ଏସ୍‌ପିଙ୍କ ତତ୍ତ୍ୱାବଧାନରେ ଖୋର୍ଦ୍ଧା ଏସ୍‌ଡିପିଓ, ଖୋର୍ଦ୍ଧା ଟାଉନ୍‌ ଥାନା ଅଧିକାରୀ, ବେଗୁନିଆ ଥାନା ଅଧିକାରୀ, ବୈଦ୍ୟଶ୍ୱର ଥାନା ଅଧିକାରୀ, ଧଳାପଥର ଫାଣ୍ଡି ଅଧିକାରୀ ଏବଂ କଳାପଥର ଫାଣ୍ଡି ଅଧିକାରୀ ମିଳିତ ଭାବେ ଏଇ ଚଢ଼ାଉ କରିଥିଲେ।

୮ ତାରିଖ ଦିନ ଏଲ୍‌ ଆଣ୍ଡ୍‌ ଟିର ଏଜେଣ୍ଟ୍‌ ବୈଦେଶ୍ୱର ଗ୍ରାମର ଶ୍ରୀକାନ୍ତ ଏବଂ ତାଙ୍କ ସହକର୍ମୀ ଲକ୍ଷ୍ମୀନାରାୟଣ ଖଟୁଆ ୬୧ ଲକ୍ଷ ୪୭ ହଜାର ୨୪୭ ଟଙ୍କା ଏକ କାର୍‌ରେ ନେଇ ଜମା କରିବାକୁ ଖୋର୍ଦ୍ଧାର ଏକ ବ୍ୟାଙ୍କ୍‌କୁ ଯାଉଥିଲେ। ବାଟରେ ତିନିଟି ବାଇକ୍‌ରେ ମୁଖା ପରିହିତ ଦୁର୍ବୃତ୍ତମାନେ କାର୍‌ ଅଟକାଇ ବନ୍ଧୁକ ଦେଖାଇ ସେମାନଙ୍କ ଠାରୁ ଟଙ୍କା ଛଡ଼ାଇ ନେଇ ପଳାଇଥିଲେ।

ଘଟନା ସଂକ୍ରାନ୍ତରେ ଅଧିକ ତଦନ୍ତ କରିବାକୁ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶି ଘଟନାସ୍ଥଳରେ ପହଞ୍ଚୁଛନ୍ତି।

ସମ୍ବନ୍ଧିତ ଖବର