ଖୁସ୍‌ବୁ ହତ୍ୟା ମାମଲା: ନ୍ୟାୟ ଦାବିରେ ଥାନା ଆଗରେ ବିକ୍ଷୋଭ

ରାଉର‌କେଲା: ଖୁସ୍‌ବୁ ହତ୍ୟା ମାମଲାକୁ ଇତି ମଧ୍ୟରେ ୧୭ ଦିନ ବିତିଯାଇଛି। ଏଯାଏ ପୁଲିସ ହତ୍ୟା ଘଟଣାର ପର୍ଦ୍ଦାଫାସ କରିପାରିନି। ପ୍ରତିବାଦରେ ଆଜି ଖୁସ୍‌ବୁ ପରିବାରକୁ ନ୍ୟାୟ ଦାବିରେ ପରିବାର ଓ ତାଙ୍କ ସମ୍ପର୍କୀୟ ଉଦିତନଗର ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୁଲିସ ସେମାନଙ୍କ ଅଭିଯୋଗ  ଶୁଣିବା ପରିବର୍ତ୍ତେ ଓଲଟା ସେମାନଙ୍କୁ ‘ଯାତ୍ରା କରିବାକୁ ଆସିଛ’ ବୋଲି କହି ଥାନା ପରିସରରୁ ଘଉଡାଇ ଦେଇଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସର ଏଭଳି ବ୍ୟବହାରକୁ ନେଇ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଦିତନଗର ପୁଲିସର ଏଭଳି ବ୍ୟବହାର ଓ ଖୁସ୍‌ବୁ ନ୍ୟାୟ ଦାବିରେ ଏସ୍‌ପିଙ୍କୁ ଭେଟିବେ ବ‌ୋଲି ପରିବାର ଲୋକ କହିଛନ୍ତି।

ସେପଟେ ଏ ସଂକ୍ରାନ୍ତରେ ଥାନା ଅଧିକାରୀଙ୍କୁ ପଚାରିବାରୁ ପରିବାର ଲୋକ ଥାନା ପରିସରରେ ଏମିତି ବିକ୍ଷୋଭ କରିବା କଥା ନୁହେଁ ‌ବୋଲି କହିଥିଲେ। ଘଟଣାର ତଦନ୍ତ ଚାଲିଛି। ବିସ୍ତୃତ ରିପୋର୍ଟ ମିଳିବା ପରେ ଖୁସ୍‌ବୁ ମୃତ୍ୟୁର କାରଣ ଜଣାପଡିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ୧୧ ତାରିଖ ରାତିରେ କପଡା ଗୋଦାମରୁ ଖୁସ୍ବୁଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା। କପଡା ବ୍ୟବସାୟୀ ଓ ତାଙ୍କ ପୁଅ ଖୁସ୍ବୁଙ୍କ ଆତ୍ମହତ୍ୟା ସଂକ୍ରାନ୍ତରେ କାହାକୁ କିଛି ନ କହି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଦେଇଥିଲେ। ପରିବାର ଲୋକ  ଖୁସ୍‌ବୁ ଆତ୍ମହତ୍ୟା ସଂକ୍ରାନ୍ତରେ ଜାଣିବା ପରେ ମା’ ଉଦିତନଗର ଥାନାରେ ଲିଖିତ ଏତଲା ଦେଇଥିଲେ। ପରଦିନ  ସକାଳେ ଖୁସ୍ବୁଙ୍କ ଉଦିତନଗର ଥାନାରେ ପୁଣି ଦ୍ବିତୀୟ ଏତଲା ଦେଇଥିଲେ। ତାଙ୍କ ଝିଅକୁ କପଡା ବ୍ୟବସାୟୀ କମଳ ଜୈନ ଓ ତାଙ୍କ ପୁଅ ମିଶି ହତ୍ୟା କରିବା ପରେ ଗୋଦାମରେ ଟାଙ୍କି ଦେଇଛନ୍ତି ବୋଲି ଏତଲାରେ ଦର୍ଶାଇଥିଲେ। ସେତେବେଳେ ଅତିରିକ୍ତ  ଏସ୍‌ପି ଶ୍ରୀ ଭୋଇ କହିଥିଲେ, ମୃତ ଯୁବତୀ ମା’ଙ୍କ ଲିଖିତ ଏତଲା ଅନୁଯାୟୀ ଉଦିତନଗର ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର