ବିଦ୍ୟାଳୟରେ ପହଞ୍ଚିଲା ‘ଖୁସି’ : ପ୍ରତିମାସରେ ବାଳିକାଙ୍କୁ ମିଳିବ ୧୮ଟି ସାନିଟାରି ନାପକିନ୍

ଭୁବନେଶ୍ବର ଷଷ୍ଠରୁ ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା କିଶୋରୀମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ରାଜ୍ୟ ସରକାର ମାଗଣାରେ ସାନିଟାରି ନାପକିନ୍ ଯୋଗାଇ ଦେବା ପାଇଁ ‘ଖୁସି’ ଯୋଜନା ଆରମ୍ଭ କରିଛନ୍ତି। ବଣ୍ଟନ ପାଇଁ ଏବେ ତାହା ବିଦ୍ୟାଳୟଗୁଡ଼ିକରେ ପହଞ୍ଚିଛି। ଖୁବଶୀଘ୍ର ଏହା ବାଳିକାମାନଙ୍କୁ ପ୍ରଦାନ କରାଯିବ।

ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଖୁସି ଯୋଜନାର ସମୀକ୍ଷା କରିଛନ୍ତି। ଏହି ଯୋଜନାରେ ବାଳିକାମାନଙ୍କୁ ପ୍ରତିମାସରେ ୧୮ଟି ସାନିଟାରି ନାପକିନ୍ ଯୋଗାଇ ଦିଆଯିବ। ୨୯,୫୫୭ଟି ବିଦ୍ୟାଳୟରେ ୧୬,୮୧,୬୯୦ଜଣ ବାଳିକାଙ୍କୁ ନାପକିନ୍ ଯୋଗାଣ ଲକ୍ଷ୍ୟ ରହିଛି। ରାଜ୍ୟ ଔଷଧ ନିଗମ ପକ୍ଷରୁ ପ୍ରଥମ ତ୍ରୈମାସିକ ପାଇଁ ଗତ ଜାନୁଆରି ମାସରେ ୯,୦୮,୧୮,୯୩୬ ଖଣ୍ଡ ନାପକିନ୍ କିଣା ଯାଇଥିବା ବେଳେ ଏଗୁଡ଼ିକୁ ବ୍ଲକ୍ ଓ ପୌରସଂସ୍ଥାର ୩୧୯ଟି ସ୍ଥାନରେ ଥିବା ଗୋଦାମରେ ପହଞ୍ଚିସାରିଛି। ସେହିପରି ଦ୍ବିତୀୟ ତ୍ରୈମାସିକ ପାଇଁ୯,୧୬,୩୨,୫୪୬ଖଣ୍ଡ ନାପକିନ୍ କିଣିବା ପାଇଁ ନିଗମ ପକ୍ଷରୁ ବରାଦ ଦିଆଯାଇଛି।

ଆଜି ସୁଦ୍ଧା ବ୍ରହ୍ମପୁର, ରାଉରକେଲା ମହାନଗର ନିଗମ ଓ ଜଗତସିଂହପୁରକୁ ବାଦ୍ ଦେଲେ ଅନ୍ୟ ସମସ୍ତ ସ୍ଥାନରେ ଥିବା ଗୋଦାମରେ ଏହା ପହଞ୍ଚିଛି। ସୁବର୍ଣ୍ଣପୁର, ମାଲକାନାଗିରି, ନୟାଗଡ଼, ନବରଙ୍ଗପୁର, ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ନାପକିନ୍ ପହଞ୍ଚିଥିବା ସମୀକ୍ଷାରୁ ଜଣାପଡ଼ିଛି। ଦ୍ବିତୀୟ ପର୍ଯ୍ୟାୟରେ ଖରିଦ ହୋଇଥିବା ନାପକିନ୍ ମଧ୍ୟରୁ ଯୋଗାଣକାରୀମାନେ ଇତିମଧ୍ୟରେ ବଲାଙ୍ଗୀର, ବରଗଡ଼, କଟକ, ଗଞ୍ଜାମ, ଗଜପତି, ଯାଜପୁର, କଳାହାଣ୍ଡି, ରାୟଗଡ଼ା ଓ ବ୍ରହ୍ମପୁର ମହାନଗର ନିଗମକୁ ଯୋଗାଣ ଆରମ୍ଭ କରିଛନ୍ତି। ଏବେ ସୁଦ୍ଧା ‘ଖୁସି’ ଯୋଜନାରେ ୨୨ କୋଟି ୨୩ଲକ୍ଷ ୮୯,୯୦୭ କୋଟି ଟଙ୍କା ବ୍ୟୟ ହୋଇଛି। ନାପକିନ୍ ଖରିଦରେ ସ୍ବଚ୍ଛତା ଅବଲମ୍ବନ ଓ ଗୁଣାତ୍ମକମାନ ପ୍ରତି ଦୃଷ୍ଟି ଦେବା ସହିତ ଠିକଣାଭାବେ ଏହାର ବିତରଣ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ନିର୍ଦେଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ‌ମେହେର୍ଦା, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର