ସ୍କୁଲରେ ପହଞ୍ଚୁନି ‘ଖୁସି’

ଗୋଦାମ ଗୃହରେ ପଡ଼ି ରହିଛି ନାପକିନ୍‌ ପ୍ୟାକେଟ୍‌, ସମୀକ୍ଷା ‌ବୈଠକ ପରେ ବି ସ୍ଥିତିରେ ସୁଧାର ଆସୁନି

ଭୁବନେଶ୍ବର : ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ରାଜ୍ୟ ସରକାର ମାଗଣାରେ ସାନିଟାରି ନାପକିନ୍ ଯୋଗାଇ ଦେବା ପାଇଁ ଆରମ୍ଭ କରିଛନ୍ତି ‘ଖୁସି’। କିନ୍ତୁ ଆଜି ପର୍ଯ୍ୟନ୍ତ ରାଜ୍ୟର ସବୁ ବିଦ୍ୟାଳୟରେ ନାପକିନ୍‌ ପହଞ୍ଚି ପାରିନି।‌ କେତେକ ବ୍ଲକରେ ନୂ୍ତନ ଶିକ୍ଷାବର୍ଷ ପୂର୍ବରୁ ବଣ୍ଟା ଯାଇଥିଲା। ଏହାପରେ ଆଉ ବଣ୍ଟନ ହୋଇନାହିଁ। ଆଉ କେତେକ ବ୍ଲକରେ ଗୋଦାମ ଘରେ ନାପକିନ୍‌ ପଡ଼ି ରହିଛି। ଏଥିପାଇଁ ଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟ‌ରେ ଅସନ୍ତୋଷ ପ୍ରକାଶ ପାଇଛି। ଯଦି ନିର୍ଦ୍ଧାରିତ ସମୟରେ ଛାତ୍ରୀଙ୍କ ନିକଟରେ ନାପକିନ୍‌ ପହଞ୍ଚି ପାରୁନି, ତେବେ ଏଭଳି ଯୋ‌ଜନା କାହା ପାଇଁ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି।

୨୦୧୯-୨୦ ଶିକ୍ଷା ବର୍ଷକୁ ୫ମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସବୁ ଛାତ୍ରୀଙ୍କ ପାଖରେ ନାପ୍‌କିନ୍‌ ପହଞ୍ଚି ପାରିନି। ଗତ ଦୁଇ ମାସ ହେଲା ଅନୁଗୁଳ, ନବରଙ୍ଗପୁର, ନୂଆପଡ଼ା ପରି ଜିଲ୍ଲାରେ ନାପକିନ୍‌ ବଣ୍ଟନରେ ଅବ୍ୟବସ୍ଥା ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଅଗଷ୍ଟ ୮ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ସମୀକ୍ଷା କରାଯିବା ସହ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନାପକିନ୍‌ ବଣ୍ଟନ ନିର୍ଦ୍ଧା‌ରିତ ସମୟରେ ସାରିବାକୁ ନିର୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ମାସେ ବିତିବାକୁ ବସିଥିଲେ ମଧ୍ୟ ସବୁ ବିଦ୍ୟାଳୟରେ ନାପକିନ୍‌ ପହଞ୍ଚିପାରିନି।

ତଥ୍ୟ ଅନୁଯାୟୀ ରାଜ୍ୟର ୨୯ହଜାର ୫୫୭ଟି ବିଦ୍ୟାଳୟରେ ୧୬ ଲକ୍ଷ ୮୧ ହଜାର ୬୯୦ ଜଣ ବାଳିକାଙ୍କୁ ନାପକିନ୍ ଯୋଗାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହି ଅନୁଯାୟୀ ରାଜ୍ୟ ଔଷଧ ନିଗମ ପକ୍ଷରୁ ପ୍ରଥମ ତ୍ରୈମାସିକ ପାଇଁ ଗତ ଜାନୁଆରିରେ ୯ କୋଟି ୮ ଲକ୍ଷ ୧୮ ହଜାର ୯୩୬ ଖଣ୍ଡ ନାପକିନ୍ କିଣା ଯାଇଥିଲା। ସେଗୁଡ଼ିକ ଅଗଷ୍ଟ ମାସରେ ବ୍ଲକ୍ ଓ ପୌର ସଂସ୍ଥାର ୩୧୯ଟି ସ୍ଥାନରେ ଥିବା ଗୋଦାମ ଗୃହରେ ପହଞ୍ଚା ଯାଇଥିଲା। ତେବେ ଅଧିକାଂଶ ବ୍ଲକରେ ଗୋଦାମ ଗୃହରେ ଅଟକି ରହିଯାଇଛି। ସ୍କୁଲ ପର୍ଯ୍ୟନ୍ତ ପହଞ୍ଚିପାରିନି। ଏପରିକି ଗତ ଅଗଷ୍ଟ ୮ ସୁଦ୍ଧା ବ୍ରହ୍ମପୁର, ରାଉରକେଲା ମହାନଗର ନିଗମ ଓ ଜଗତସିଂହପୁର ଜିଲ୍ଲାରେ ନାପ୍‌କିନ୍‌ ପହଞ୍ଚି ନଥିଲା। ଏବେ ବି ଭୁବନେଶ୍ବରର କେତେକ ବିଦ୍ୟାଳୟରେ ନାପକିନ୍‌ ପହଞ୍ଚି ନାହିଁ। ସୁବର୍ଣ୍ଣପୁର, ମାଲକାନଗିରି, ନୟାଗଡ଼, ନବରଙ୍ଗପୁର, ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ନାପକିନ୍ ପହଞ୍ଚିଥିବା ସମୀକ୍ଷା ବୈଠକରେ ଅଧିକାରୀମାନେ ସୂଚନା ଦେଇଥିଲେ। ବୈଠକ ପରେ କେନ୍ଦ୍ରାପଡ଼ା, ଖୋର୍ଧା, କଟକ, ପୁରୀ, ନୟାଗଡ଼, ବା‌ଲେଶ୍ବର, ଢ଼େଙ୍କାନାଳ, ଅନୁଗୁଳ ଜିଲ୍ଲାର ଅଧିକାଂଶ ବ୍ଲକରେ ବଣ୍ଟନ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର