‘ଖୁସି’ ସଫ୍ଟୱେର ଉନ୍ମୋଚିତ

ଖୁବ୍‌ଶୀଘ୍ର ମୋବାଇଲ ଆପ୍‌

ଭୁବନେଶ୍ବର : ସମସ୍ତ ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା କିଶୋରୀମାନଙ୍କ ପାଇଁ ମାସିକ ଋତୁକାଳୀନ ସ୍ବଚ୍ଛତା ଓ ସ୍ବାସ୍ଥ୍ୟରକ୍ଷା ପାଇଁ ରାଜ୍ୟ ସରକାର ‘ଖୁସି’ ନାମକ ସାନିଟାରି ନାପକିନ୍ ଯୋଜନା ଆରମ୍ଭ କରିଥିଲେ। ତେବେ ଏହି ଯୋଜନାର ପରିଚାଳନା ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ଲାଗି ଆଜି ଲୋକସେବା ଭବନରେ ‘ଖୁସି’ ସଫ୍ଟୱେର ଉନ୍ମୋଚିତ ହୋଇଛି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହାକୁ ‌ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ଶ୍ରୀ ମହାପାତ୍ର କହିଥିଲେ, ବର୍ତମାନର ବ୍ୟବସ୍ଥା ଅନୁସାରେ ସାନିଟାରି ନାପକିନ୍ ଯୋଗାଣକାରୀମାନେ ଠିକ୍ ସମୟରେ ସାମଗ୍ରୀ ଯୋଗାଣ ସହ ବ୍ଲକ୍‌ର ନୋଡାଲ ଅଧିକାରୀମାନେ ଏସବୁକୁ ସ୍କୁଲରେ ପହଞ୍ଚାଇବେ। ପ୍ରତ୍ୟେକ ଛାତ୍ରୀଙ୍କ ନିକଟରେ ଏହା ନିଶ୍ଚିତ ଭାବେ ପହଞ୍ଚି ପାରିବ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସବୁ ସରକାରୀ ବିଦ୍ୟାଳୟ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ସ୍କୁଲର ଛାତ୍ରୀମାନଙ୍କୁ ମାସିକ ୧୮ଟି ଲେଖାଏଁ ସାନିଟାରି ନାପକିନ୍ ଯୋଗାଇ ଦିଆଯାଉଛି। ଏଥିପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଜଣେ ମହିଳା ନୋଡାଲ ଶିକ୍ଷକଙ୍କୁ ଦାୟିତ୍ବ ଦିଆଯାଇଛି। ରାଜ୍ୟର ୩୧୪ଟି ବ୍ଲକ୍‌ ଓ ୫ଟି ମ୍ୟୁନିସିପାଲିଟିରେ ଥିବା ୨୯,୫୭୭ଟି ସ୍କୁଲର ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୬,୮୧,୬୯୦ ଛାତ୍ରୀଙ୍କୁ ସାମିଲ କରାଯାଇଛି। ସାନିଟାରି ନାପକିନ୍ ଯୋଗାଣ ପାଇଁ ୨୦୨୦/୨୧ ମସିହା ପାଇଁ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହେବା ସହିତ ସାମଗ୍ରୀ ଯୋଗାଇଦେବା ପାଇଁ ପ୍ରକ୍ରିୟା ଚାଲୁ ରହିଛି। ଚଳିତବର୍ଷ ଏଥିପାଇଁ ୩୦ କୋଟି ଟଙ୍କା ଖର୍ଚ ‌କରାଯିବ।

କାର୍ଯ୍ୟକ୍ରମରେ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀ, ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଉପ-ନିର୍ଦେଶକ ଜେନେରାଲ ଓ ରାଜ୍ୟ ଇନଫରମେଟିକ୍ସ ଅଧିକାରୀ କବିତା ରାୟ ଦାସ, ବରିଷ୍ଠ ବୈଷୟିକ ନିର୍ଦେଶିକା ନିରୁପମା ମହାପାତ୍ର ଓ ବରିଷ୍ଠ ବୈଷୟିକ ନିର୍ଦେଶକ ବିଭାସ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଖୁବଶୀଘ୍ର ଏହି ବ୍ୟବସ୍ଥା ମୋବାଇଲ ଆପ୍ ଜରିଆରେ ଉପଲବ୍ଧ ହେବ। ଫଳରେ ଯୋଜନାର ପରିଚାଳନା ସହଜ ଓ ସୁବିଧାଜନକ ହୋଇପାରିବ। ଗତବର୍ଷ ଫେବ୍ରୁଆରି ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର