ପୁଣି ଗୁଣିଆର ଚେଙ୍କ ଚିକିତ୍ସା : ଶିଶୁ ପେଟରେ ଫୋଡ଼ିଦେଲା ତତଲା ଛତା ତାର

ଅସୁସ୍ଥ ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି

ଅନୁଗୁଳ : ଗୁଣିଆର ମାରାତ୍ମକ ତତଲା ଡାମ୍ଫଣ ଫୋଡ଼ା ଚିକିତ୍ସାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାକୁ ଦୁଇ ଦିନ ନପୂରୁଣୁ ଆଜି ପୁଣି ଜଣେ ଶିଶୁ ଚେଙ୍କ ଚିକିତ୍ସାର ଶିକାର ହୋଇଛି। ଏଥର ଗୁଣିଆ ୧୪ମାସ ଶିଶୁର ପେଟ ନାହିରେ ଫୋଡ଼ିଛି ତତଲା ଛତା ତାର। ଶ୍ୱାସରୋଗକୁ ଭଲ କରିବା ପାଇଁ ଗୁଣିଆ ଏଭଳି ଚେଙ୍କ ଚିକିତ୍ସା କରିବା ପରେ ଶିଶୁର ଅବସ୍ଥା ଭଲ ହେବା ପରିବର୍ତେ ଅଧିକ ଅସୁସ୍ଥ ହୋଇପଡ଼ିଛି। ଗତକାଲି ପରିବାର ଲୋକେ ଶିଶୁକୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପରେ ଏ ଘଟଣା ସାମ୍ନାକୁ ଆସିଛି।

ସୂଚନାନୁଯାୟୀ, ଅନୁଗୁଳ ବ୍ଲକ କୋଠଭୂଇଁ ପଞ୍ଚାୟତ ଓଲାବିରି ଗାଁର ଜଗବଂଧୁ ଜାନି ଓ ଅଂଜଳି ଜାନିଙ୍କ ଝିଅ ଏଲିନା ଗତ କିଛି ଦିନ ହେବ ଶ୍ୱାସରୋଗରେ ପୀଡ଼ିତ ଥିଲେ। ଚାରି ଦିନ ତଳେ ଶ୍ୱାସ ଯନ୍ତ୍ରଣା କଷ୍ଟଦାୟକ ଦେବା ସହିତ ଏଲିନା ଜୋର୍‌ରେ କାନ୍ଦିବାରୁ ପରିବାର ଲୋକ ଏଲିନାଙ୍କୁ ଗାଁର ଜଣେ ଗୁଣିଆ ପାଖକୁ ନେଇଥିଲେ। ଗୁଣିଆ ଜଣକ ଭଲ କରିବା ପାଇଁ ଝଡ଼ାଫୁଙ୍କା କରିବା ସହିତ ଚେଙ୍କ ଚିକିତ୍ସା ଆରମ୍ଭ କରିଥିଲା। ଛତା ତାରକୁ ନିଆଁରେ ଗରମ କରି ସେଥିରେ ରାଶି ତେଲ ବୋଳି ଏଲିନାର ନାହିିର ଦୁଇ ପାର୍ଶ୍ୱରେ ଫୋଡ଼ିଥିଲା। ଏହାର ଗୋଟିଏ ଦିନ ପରେ ଏଲିନାଙ୍କୁ ଜୋର୍‌ରେ କାଶ ହେବା ସହିତ ଗଳାରେ କଫ ଜାମ୍‌ ହୋଇଯାଇଥିଲା।

ଅବସ୍ଥା ଅଧିକ ବିଗିଡ଼ି ଯିବାରୁ ଗତକାଲି ଦିନ ପ୍ରାୟ ୧୦ଟା ବେଳେ ଏଲିନାଙ୍କୁ ପରିବାର ଲୋକ ଅନୁଗୁଳ ମେଡିକାଲ୍‌କୁ ଆଣିଥିଲେ। ଏଠାରେ ଡାକ୍ତରଙ୍କୁ ଚେଙ୍କ ଚିକିତ୍ସା କଥା ନ କହି ଛୁଆର କାଶ ଓ କଫ ହୋଇଥିବା କହିଥିଲେ। କିନ୍ତୁ ପରବର୍ତୀ ସମୟରେ ଏଲିନାର ନାଭିର ଦୁଇ ପାର୍ଶ୍ୱରେ ଚେଙ୍କ ଚିହ୍ନ ଦେଖି ଡାକ୍ତର ମା’କୁ ପଚାରିଥିଲେ। ଏହା ପରେ ଅଞ୍ଜଳି ଝିଅକୁ ଗୁଣିଆ ଚେଙ୍କ ଚିକିତ୍ସା କରିିଥିବା କଥା ମାନିଥିଲେ। ତେବେ ଗୁଣିଆର ଚେଙ୍କ ଚିକିତ୍ସାରେ ଏଲିନାର ନାହି ଦୁଇ ପାର୍ଶ୍ୱରେ କ୍ଷତ ସୃଷ୍ଟି ହୋଇଥିବା ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିିକିତ୍ସାଧିକାରୀ ଡାକ୍ତର ଲକ୍ଷ୍ମୀନାରାୟଣ ବିଶୋଇ କହିଛନ୍ତି। ତାଙ୍କ କହିବାନୁଯାୟୀ, ଏଲିନାର ନାହିର ଦୁଇଟି ସ୍ଥାନରେ ଗୁଣିଆ ଚେଙ୍କ ଦେଇଛି। ଶରୀରରେ ବିଶେଷ କ୍ଷତ ହୋଇନାହିଁ। ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଡାକ୍ତର ବିଶୋଇ କହିଛନ୍ତି।

ଏଠାରେ ସୂଚନାଥାଉକି’ ଗତ ସୋମବାର ଦିନ ଗୁଣିଆର ମାରାତ୍ମକ ଧାନ-ସୋରିଷ-ଡାମ୍ପଣ ଫୋଡ଼ା ଚିକିତ୍ସାର ଶିକାର ହୋଇ ଛେଣ୍ଡିପଦା ଓ ଆଠମଲ୍ଲିକ ଅଂଚଳର ଦୁଇ ଯୁବକ ଗୁରୁତର ଅବସ୍ଥାରେ ଅନୁଗୁଳ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ପ୍ରାଥମିକ ଚିକିତ୍ସା ଚାଲିଥିବା ବେଳେ ଆଠମଲ୍ଲିକ ବ୍ଲକ୍‌ କୋଠଭୂଇଁ ଗାଁର ଗତିକୃଷ୍ଣ ନାୟକ(୩୨)ଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟତମ ପୀଡ଼ିତ ଛେଣ୍ଡିପଦା ବ୍ଲକ ବାଗେଡ଼ିଆ ମାଝି ନୂଆପଡ଼ା ଅଂଚଳର ମୁନା ଘଡ଼େଇଙ୍କ ସଂପ୍ରତି ଚିକିତ୍ସା ଚାଲିଛି। ତେବେ ଏ ଦୁଇଟି ଘଟଣା ମନରୁ ନଯାଉଣୁ ପୁଣି ଜଣେ ଶିଶୁ ଚେଙ୍କ ଚିକିତ୍ସାର ଶିକାର ହେବା ଘଟଣା ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ଅନ୍ଧବିଶ୍ୱାସର ବ୍ୟାପକତାକୁ କେବଳ ସୂଚାଉନାହିଁ, ଲୋକମାନେ ବିଜ୍ଞାନ ଯୁଗରେ ବି କିଭଳି ଡାକ୍ତରୀ ଚିକିତ୍ସା ବଦଳରେ ଗୁଣିଆର ଝଡ଼ାଫୁଙ୍କା ଓ ଚେଙ୍କ ଚିକିତ୍ସାର ସାହାରା ନେଉଛନ୍ତି, ତାହା ଦର୍ଶାଉଛି। ତେଣୁ ଏଭଳି ଅନ୍ଧବିଶ୍ୱାସକୁ ଦୂର କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତାମୂଳକ ପଦକ୍ଷେପ ହାତକୁ ନେବାକୁ ସାଧାରଣରେ ଦାବି ହେଉଛି।

୧୬ ବର୍ଷର ନାବାଳକକୁ ଚେଙ୍କ

ପାଇକସାହି : ପେଟ ରୋଗ ଉପଶମ ପାଇଁ ଅନୁଗୁଳ ବ୍ଲକ୍‌ ପୁରୁଣାକୋଟ ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳକକୁ ଚେଙ୍କ ଦିଆଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ନିକଟରେ ନାବାଳକର ପିତୃ ବିୟୋଗ ଘଟିଛି। ପେଟ ବେମାର ହେବାରୁ ନାବାଳକକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। କିନ୍ତୁ କିଛି ବେମାର ନଥିବା ଡାକ୍ତର କହିଥିଲେ ବୋଲି ନାବାଳକର ବୁଢ଼ୀମାଆ ପ୍ରକାଶ କରିଛନ୍ତି। ଡାକ୍ତରଖାନାରୁ ଫେରି ନାବାଳକ ଜଣକ ଏକ ମନ୍ଦିରରେ ୨ ମାସ ହେଲା ଅଧିଆ ପଡିଥିବା ବେଳେ ବେମାର ଭଲ ହେବା ପାଇଁ ବୁଢ଼ୀମାଆ ନାତି ପେଟରେ ନିଆଁ ଚେଙ୍କ ଦେଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର