ବିଜେଡି ନେତାଙ୍କ ନାଁରେ ଅପହରଣ ଅଭିଯୋଗ: ସଂଜ୍ଞାହୀନ ଅବସ୍ଥାରେ ଯୁବକ ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗୀର: ପ୍ରଥମେ ମାରପିଟ। ତାପରେ ଥାନାକୁ ଗଲା ମାମଲା। ଆଉ ପୁଲିସ ମାଡ଼ ଖାଇଥିବା ଯୁବକଙ୍କୁ ଥାନାକୁ ଡାକିବାରୁ ରାସ୍ତାରୁ ନିଖୋଜ। ବାଶ, ତାପରେ ପରିବାର ଲୋକ ଧାଇଁଲେ ପୁଲିସ ପାଖକୁ। ପୁଲିସ ବି ନିଖୋଜ ଯୁବକଙ୍କୁ ଖୋଜିବାକୁ ବାହାରିଲା। ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ। ଗାଁ ନିକଟସ୍ଥ ଜଙ୍ଗଲ ଭିତରୁ ସଂଜ୍ଞାହୀନ ଅବସ୍ଥାରେ ଦିନକ ପରେ ଠାବ ହୋଇଥିଲେ ଯୁବକ। ଯୁବକଙ୍କ ବେକରେ କଟା ଦାଗ। ଏବେ ବି ଯୁବକଙ୍କ ହୋସ୍‌ ଆସିନି। ପରିବାର ବର୍ଗ ଉଠାଇଛନ୍ତି ସଂଗିନ ଅଭିଯୋଗ। ସମଗ୍ର ଘଟଣାରେ ବିଜେଡି ଯୁବନେତା ତଥା ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର ହୋତାଙ୍କ ନାଁ ସାମ୍ନାକୁ ଆସିଛି। ଏଭଳି ଏକ ଘଟଣା ଘଟିଛି ସଦର ଥାନା ଅନ୍ତର୍ଗତ ମାଙ୍କଡ଼ଚୁଆ ଗାଁରେ।

ଘଟଣାରୁ ଜଣାଯାଏ ଯେ, ସଦର ଥାନା ଅନ୍ତର୍ଗତ ବରକାନୀ ପଂଚାୟତର ମାଙ୍କଡ଼ଚୁଆଁ ଗାଁର ଶ୍ରୀକର ମିର୍ଦ୍ଧା ଓ ମନୋରଞ୍ଜନ ତ୍ରିପାଠୀଙ୍କ ମଧ୍ୟରେ ଗତ ୧ ତାରିଖରେ ଗଣ୍ଡଗୋଳ ହୋଇଥିଲା। ଶ୍ରୀକର ନିଜ ଘରକୁ ଫେରୁଥିବା ସମୟରେ ମନୋରଞ୍ଜନ ଭୋଜିଭାତ କରୁଥିଲେ ଓ ତାଙ୍କୁ ରାସ୍ତାରେ ଅଟକାଇ ମାରପିଟ କରିଥିଲେ। ଏ ନେଇ ଶ୍ରୀକରଙ୍କ ପରିବାର ଲୋକ ସଦର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଏହାପରେ ମନୋରଞ୍ଜନ ତ୍ରିପାଠୀ ଓରଫ ମନ ମଧ୍ୟ ପାଲଟା ଅଭିଯୋଗ ଥାନାରେ ଦେଇଥିଲେ। ଏହି ମାମଲାରେ ପୁଲିସ ଶ୍ରୀକରଙ୍କୁ ରବିବାର ଦିନ ଥାନାକୁ ଡାକିଥିଲା। ହେଲେ ସେ ଗାଁରୁ ହଠାତ ନିଖୋଜ ହୋଇଯାଇଥିଲେ। ଏହାପରେ ପରିବାର ଲୋକ ବହୁ ଖୋଜାଖୋଜି କରିବା ସହ ପୁଲିସକୁ ଜଣାଇଥିଲେ। ସକାଳୁ ପୁଲିସ ପରିବାର ଲୋକଙ୍କ ସହ ଗାଁ ନିକଟସ୍ଥ ଜଙ୍ଗଲରେ ଖୋଜାଖୋଜି କରିଥିଲା।

ଜଙ୍ଗଲରୁ ସଂଜ୍ଞାହୀନ ଅବସ୍ଥାରେ ଶ୍ରୀକରଙ୍କୁ ଉଦ୍ଧାର କରିଥିଲା। ଶ୍ରୀକରଙ୍କ ଭାଇ ପ୍ରଦୀପ ମିର୍ଦ୍ଧା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଭାଇ ସହ ମନୋରଞ୍ଜନ ତ୍ରିପାଠୀ ଝଗଡ଼ା କରିଥିଲେ। ମନୋରଞ୍ଜନ ତ୍ରିପାଠୀ ସ୍ଥାନୀୟ ବରକାନୀ ସରପଞ୍ଚ ରାଜେନ୍ଦ୍ର ହୋତାଙ୍କ ପାଖ ଲୋକ। ସେମାନେ ମିଶି ଯୋଜନା କରି ତାଙ୍କ ଭାଇଙ୍କୁ ଅପହରଣ କରିଥିବା ସେ ଅଭିଯୋଗ କରିଛନ୍ତି। ସବୁ ମାରପିଟ ଓ ଘଟଣାରେ ସରପଞ୍ଚ ମାଷ୍ଟରମାଇଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ରାଜେନ୍ଦ୍ର ଯୁବ ବିଜେଡିର ସଭାପତି ଦାୟିତ୍ୱରେ ଅଛନ୍ତି। ରାଜେନ୍ଦ୍ରଙ୍କ ନାଁରେ ଏଭଳି ଅଭିଯୋଗ ଆସିବା ପରେ ଘଟଣାକୁ ନେଇ ଚର୍ଚ୍ଚା ସରଗରମ। ତଦନ୍ତକାରୀ ଅଧିକାରୀ ସଦର ଥାନା ଆଇଆଇସି ତୋଫାନ ବାଗଙ୍କ କହିବା କଥା ଶ୍ରୀକର ମିର୍ଦ୍ଧା ସହ ପୂର୍ବରୁ ମନୋରଞ୍ଜନ ତ୍ରିପାଠୀଙ୍କ ଝଗଡ଼ା ହୋଇଥିଲା। ଦୁଇଟି ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା। ନିଖୋଜ ପରେ ପୁଲିସ ଟିମ ପରିବାର ଲୋକଙ୍କ ସହ ଯାଇ ଖୋଜାଖୋଜି କରିବା ପରେ ଜଙ୍ଗଲରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚେତା ଫେରିବା ପରେ ସବୁ ଘଟଣା କଣ ଥିଲା କହିହେବ ବୋଲି କହିଛନ୍ତି। ହେଲେ ଘଟଣା ସଂପର୍କରେ ପ୍ରତିକ୍ରିୟା ରଖି ସରପଞ୍ଚ ରାଜେନ୍ଦ୍ର ହୋତା କହିଛନ୍ତି, ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ। ଗଣ୍ଡଗୋଳ ପରେ ନିଜେ ଗାଁକୁ ଯାଇ ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ। ଏହି ମାମଲାରେ ତାଙ୍କର କିଛି ସଂପୃକ୍ତି ନାହିଁ। ଯାହା ଅଭିଯୋଗ ତାଙ୍କ ଭାଇ ପ୍ରଦୀପ ଆଣିଛନ୍ତି ଭିତ୍ତିହୀନ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର