ଯୁବତୀଙ୍କୁ ଟାଣି ଓଟାରି ୧୨ କିଲୋମିଟର ଉଠାଇ ନେଲେ

ପରମ୍ପରା ନାମରେ ଅପହରଣ

କଲ୍ୟାଣସିଂହପୁର: ସମୟ ସ୍ରୋତରେ ଅନେକ କିଛି ବଦଳି ଯାଇଛି। ତେବେ ନିୟମଗିରି ପାହାଡ଼ ଉପରେ ରହୁଥିବା ଡଙ୍ଗରିଆ କନ୍ଧ ଆଦିବାସୀମାନେ ଏବେ ବି ପୂର୍ବ ପରମ୍ପରାକୁ ଜାବୁଡ଼ି ଧରିଛନ୍ତି। ପରମ୍ପରା ଆଳରେ ଏଠାରେ ଲୋକେ ଆଇନକୁ ଫୁ କରି ଉଡ଼ାଇ ଦେଉଛନ୍ତି। ଡଙ୍ଗରିଆ ବିବାହ ପରମ୍ପରା ଅନୁଯାୟୀ ଆଜି ଜଣେ ଯୁବତୀଙ୍କୁ ବରପକ୍ଷର ଲୋକେ ଟାଣି ଘୋଷାରି ୧୨ କିଲୋମିଟର ନେଉଥିବା ଦେଖିବାକୁ ମିଳିଛି। ସର୍ବ ସମ୍ମୁଖରେ ଏଭଳି ଘଟଣା ଘଟିଥିଲେ ମଧ୍ୟ ଏହାକୁ କେହି ବି ବିରୋଧ କରି ନଥିଲେ।

କଲ୍ୟାଣସିଂହପୁର ବ୍ଲକ ନିୟମଗରି ପାହାଡର ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ଡେଭାପଡା ଗାଁର ଜଣେ ଡଙ୍ଗରିଆ ଯୁବତୀ ଆଜି ଏଭଳି ନିର୍ଯାତନାର ଶିକାର ହୋଇଥିଲେ। ସୁନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ରାଇଲିମା ଗାଁର (ଧାଙ୍ଗଡା) ମନ୍ଦରି ହୁଇକାଙ୍କ ପରିବାର ଓ ଗ୍ରାମବାସୀ ଆଜି ଏହି (ଧାଙ୍ଗିଡ଼ି)ଯୁବତୀ ଜଣକୁ ଗାଁରୁ ଉଠାଇ ନେଇଥିଲେ ବିବାହ କରିବା କରିବା ପାଇଁ। ରାଇଲିମା ଗ୍ରାମର ଯୁବକ ମନ୍ଦରି ହୁଇକା ଡେଭାପଡ଼ା ଗ୍ରାମର ଏହି ଯୁବତୀ ଜଣକୁ କିଛି ବର୍ଷ ପୂର୍ବେ ପସନ୍ଦ କରିଥିଲେ। ତେବେ ଯୁବତୀଙ୍କ ପରିବାର ଏହି ବିବାହ ପ୍ରସ୍ତାବରେ ରାଜି ନଥିଲେ। ଆଜି ମନ୍ଦରି ହୁଇକାଙ୍କ ସହ ତାଙ୍କ ପରିବାର ଏବଂ କିଛି ଗ୍ରାମବାସୀ ଜଂଗଲ ଭିତରେ ଥିବା ଡେଭାପଡ଼ା ଗ୍ରାମକୁ ଆସିଥିଲେ। ଏମାନେ ସଂପୃକ୍ତ ଯୁବତୀ ଜଣକୁ ଅପହରଣ କରି ଟାଣି ଘେଷାଡ଼ି ଜଂଗଲିଆ ରାସ୍ତାରେ ୧୨ କିଲୋ ମିଟର ପୁଇଗୁଡା ଗ୍ରାମ ପର୍ଯ୍ୟନ୍ତ ନେଇଥିଲେ। ସେଠାରୁ ଏକ ଅଟୋରେ ବସାଇ ରାଇଲିମା ନେଇଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଡଙ୍ଗରିଆ ସଂପ୍ରଦାୟରେ ଯୁବତୀ ଏବଂ ତାଙ୍କ ପରିବାରର ଇଛା ଅନିଚ୍ଛା ବୋଲି କିଛି ନଥାଏ। ଡଙ୍ଗରିଆ ଯୁବକ ଜଣକ ଚାହିଁଲେ ତା ପସନ୍ଦର ଯୁବତୀଙ୍କୁ ଉଠାଇ ନେଇ ବିବାହ କରିପାରିବ। ତେବେ କିଛି ଦିନ ପରେ  ମଦ,ଚାଉଳ,ପୋଢ ଏବଂ ଟଙ୍କା ଦେଇ  ଆପୋଷ ସମାଧାନ କରିବାକୁ ପଡିଥାଏ।

ସାଧାରଣତଃ ଦେବଗିରି ଶିବରାତ୍ର ମେଲଣ ଓ ରଥଯାତ୍ରାରେ ଡଙ୍ଗରିଆମାନେ ନିଜ ପସନ୍ଦର ଧାଙ୍ଗିଡି ବାଛିଥାନ୍ତି। ଯୁବକମାନେ ଏକତ୍ରୀତ ହୋଇ ସେହିଠାରୁ ଯେନତେନ ପ୍ରକାରେ ପସନ୍ଦର ଯୁବତୀଙ୍କୁ ଉଠାଇ ନେଇ ଯାଇଥାନ୍ତ। ଏମିତି ଟଣା ଓଟଣା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥାଏ। ଯୁବକ ଯେଉଁ ଡଙ୍ଗରିଆ ଯୁବତୀକୁ ପସନ୍ଦ କଲା ତାର କାନ୍ଧରେ ଏକ ଗାମୁଛି ପକାଇ କିମ୍ବା କୌଣସି ଖାଦ୍ୟ ଜିନିଷ ଦେଇଥାଏ। ଏଥିରେ ଯୁବତୀ ଏବଂ ତାଙ୍କ ପରିବାରର କୌଣସି ସମ୍ମତିର ଆବଶ୍ୟକତା ନାହିଁ ବୋଲି ଧାଙ୍ଗଡ଼ାର ଭାଇ ଗଗ ହୁଇକା କହିଛନ୍ତି।

 

 

 

ସମ୍ବନ୍ଧିତ ଖବର