କଟକ: ଜଗତସିଂହପୁରରୁ ଜଣେ ନାବାଳିକାଙ୍କୁ ପିଛା କରି ଚେନ୍ନାଇରୁ ଅପହରଣ କରାଯାଇଛି। ଅପହରଣ ପରେ ତାଙ୍କୁ କଟକ ନେଇ ଆସିଥିବା ବେଳେ ବାରଙ୍ଗ ପୁଲିସ ପୀଡ଼ିତାଙ୍କୁ ଉଦ୍ଧାର କରି ସିଡବ୍ଲୁସିରେ ହାଜର କରିଛି। ସିଡବ୍ଲୁସି ଏହି ନାବାଳିକାଙ୍କ ବୟାନ ରେକର୍ଡ କରିବା ପରେ ବସୁନ୍ଧରାରେ ଥଇଥାନ କରିଛି। ଅଭିଯୁକ୍ତ ଯୁବକ ପ୍ରେମ ସମ୍ପର୍କ ଯୋଡ଼ି ଏଭଳି କାଣ୍ଡ ଘଟାଇଥିବା ନାବାଳିକା ଜଣକ କହିଛନ୍ତି।

Advertisment

ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ନୂଆରତନପୁରରେ ଥିବା ମାମୁ ଘରେ ଜଣେ ୯ମ ଶ୍ରେଣୀ ଛାତ୍ରୀ ରହୁଥିଲେ। ସେଠାରେ ରହିବା ସମୟରେ କୁଜଙ୍ଗ ଅଭୟଚାନ୍ଦପୁର ଅଞ୍ଚଳର ୨୨ ବର୍ଷୀୟ ନିରଞ୍ଜନ ଦାସ ତାଙ୍କ ସହିତ ପ୍ରେମ ସମ୍ପର୍କ ଯୋଡ଼ିଥିଲେ। ତାମିଲନାଡ଼ୁର ଏକ ଫ୍ୟାକ୍ଟ୍ରିରେ କାମ କରୁଥିବା ତାଙ୍କ ବାପା ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହି ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଝିଅ ଅସୁରକ୍ଷିତ ଥିବା ମନେକରି ଝିଅକୁ ତାମିଲନାଡ଼ୁ ସ୍ଥାନାନ୍ତର କରିଥିଲେ। ସେଠାରେ ଝିଅ ଥିବା ସମୟରେ ଅଭିଯୁକ୍ତ ନିରଞ୍ଜନ ତାମିଲନାଡ଼ୁରେ ପହଞ୍ଚିଯାଇଥିଲା। ସେଠାରୁ ନାବାଳିକା ଝିଅକୁ ଅପହରଣ କରି ତାମିଲନାଡ଼ୁର ଏକ ଷ୍ଟେସନକୁ ନେଇଯାଇଥିଲା। ସେଠାରୁ ଟ୍ରେନରେ କଟକ ନେଇଆସିଥିଲା। ପୀଡ଼ିତାଙ୍କ ଅଭିଭାବକ ତାମିଲନାଡ଼ୁ ପୁଲିସକୁ ଏ ସମ୍ପର୍କରେ ଅବଗତ କରିଥିଲେ। ତାମିଲନାଡ଼ୁ ପୁଲିସ ଅଭିଯୁକ୍ତର ମୋବାଇଲ୍ ନମ୍ବର ଟ୍ରାକ୍ କରିଥିଲା। ସେ କଟକ ଜିଲ୍ଲା ବାରଙ୍ଗ ଷ୍ଟେସନ ଆଖପାଖରେ ଥିବା ଜାଣିବାକୁ ପାଇଥିଲା। ପରିବାର ଲୋକେ ଏ ସମ୍ପର୍କରେ ଜଗତସିଂହପୁରରେ ରହୁଥିବା ପୀଡ଼ିତାଙ୍କ ମାମୁଙ୍କୁ ଜଣାଇଥିଲେ। ମାମୁ ତୁରନ୍ତ ବାରଙ୍ଗ ଥାନା ପୁଲିସକୁ ଅବଗତ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ପୀଡ଼ିତାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ନିରଞ୍ଜନକୁ ଗିରଫ କରିଛି। ଅନ୍ୟପଟେ ପୀଡ଼ିତା ଏବେ ବସୁନ୍ଧରାରେ ଥିବା ବେଳେ ପରବର୍ତ୍ତୀ ଶୁଣାଣିରେ ନାବାଳିକା ଅଭିଭାବକଙ୍କ ନିକଟକୁ ଯିବେ କି ବସୁନ୍ଧରାରେ ରହିବେ, ସେ ନେଇ ନିଷ୍ପତ୍ତି ହେବ ବୋଲି ସିଡବ୍ଲୁସି ଅଧ୍ୟକ୍ଷଙ୍କ ପକ୍ଷରୁ କୁହାଯାଇଛି।